ଭୁବନେଶ୍ୱର: କାହାକୁ ଔଷଧ ମିଳୁନି । ଔଷଧ ଅଭାବରୁ କାହାର ଜୀବନ ଯାଉଛି । ହେଲେ ଏଠି ଫିଙ୍ଗା ହେଉଥିଲା ଲକ୍ଷାଧିକ ଟଙ୍କାର ଔଷଧ । ଏହାର expiry date ମଧ୍ୟ ସରିନଥିଲା । ଆପଣଙ୍କୁ ହୁଏତ ଏ ଘଟଣା ଆଶ୍ଚର୍ଯ୍ୟ ଲାଗୁଥିବା । ହେଲେ ଆଜି ରାଜଧାନୀ ଭୁବନେଶ୍ୱରରେ ଏମିତି କିଛି ହିଁ ଘଟିଛି ।
ଭୁବନେଶ୍ୱରର ରାସ୍ତାରେ ଫିଙ୍ଗା ହେଉଛି ଔଷଧ । କିଛି ମହିଳା ଅଣ୍ଟାରେ ଶାଢୀ ଭିଡି ଫୋପାଡି ଚାଲିଥିଲେ ଲକ୍ଷାଧିକ ଟଙ୍କାର ଔଷଧ । ସାଧାରଣ ଲୋକ ବି ଆଶ୍ଚର୍ଯ୍ୟ । କ'ଣ ହୋଇଛି ? expiry date ଥାଇ ମଧ୍ୟ ଔଷଧ ଫିଙ୍ଗୁଛନ୍ତି କାହିଁକି ? ଔଷଧ ସବୁ ରାସ୍ତାରେ ଫିଙ୍ଗା ହେଉଥିବା ଦେଖି ଲୋକେ ମଧ୍ୟ ଉତ୍ୟକ୍ତ । ଦୋକାନରୁ ଔଷଧ ଫିଙ୍ଗୁଥିବା ମହିଳାମାନଙ୍କୁ ଗୋଡାଇ ଗୋଡାଇ ଘଉଡାଉଥିଲେ । ଏହାକୁ ନେଇ ଭୁବନେଶ୍ୱର ନୟାପଲ୍ଲୀ ଆଇଡି ମାର୍କେଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ପୋଲିସ ଉପସ୍ଥିତିରେ ବସ୍ତିରୁ ଆସିଥିବା ମହିଳା ଗୋଷ୍ଠୀ କିପରି ଔଷଧ ଫିଙ୍ଗୁଥିଲେ ? ପୋଲିସ କାହିଁକି କରୁନଥିଲା ? ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଥିଲା । ଲୋକଙ୍କ ପ୍ରଶ୍ନର ଉତ୍ତର ପୋଲିସ ବାବୁଙ୍କ ପାଖରେ ବି ନଥିଲା । ତାଙ୍କୁ ବି ଜଣା ନଥିଲା, ସେଠି କ'ଣ ଚାଲିଛି ।
ଘଟଣା ପଛରେ ଜମିଜମା ବିବାଦ ରହିଥିବା ପରେ ଜାଣିବାକୁ ମିଳିଛି । ଭାଇ ଭଉଣୀଙ୍କ ମଧ୍ୟରେ ଜମି ବିବାଦ ଅନେକ ଦିନ ହେବ ରହିଥିଲା । ମାମଲା ହାଇକୋର୍ଟକୁ ମଧ୍ୟ ଯାଇଥିଲା । ଦୋକାନ ଖାଲି କରୁନଥିବାରୁ ଦୋକାନ ମାଲିକ ଏଭଳି କାର୍ଯ୍ୟ କରିଥିବା ଜାଣିବାକୁ ମିଳିଛି । ଏପେଟେ କୋଟି କୋଟି ଟଙ୍କାର ଔଷଧ ପୋଲିସ ଉପସ୍ଥିତିରେ ରାସ୍ତାରେ ଫିଙ୍ଗା ଘଟଣାକୁ ସାଧରଣ ଲୋକେ ନାପସନ୍ଦ କରିଛନ୍ତି ।
ଅଧିକ ପଢନ୍ତୁ; ଜବତ ମାଛଧରା ଡଙ୍ଗା ଭାରତକୁ ଫେରାଇଦେବ ଶ୍ରୀଲଙ୍କା