)
ହିମାଂଶୁ ଶେଖର ସାହୁ, ବୌଦ୍ଧ: ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ୨ କୋରୋନା ପଜିଟିଭ ବାହାରିଥିବା ନେଇ ପ୍ରକାଶ ପାଇଛି । ଉଭୟ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଫେରି ଘରେ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ସମ୍ପର୍କରେ ସେମାନେ ସ୍ୱାମୀ-ସ୍ତ୍ରୀ । ପଜିଟିଭ ଚିହ୍ନଟ ହେବା ପରେ ବୌଦ୍ଧ କୋଭିଡ କେୟାର ସେଣ୍ଟରରେ ଉଭୟଙ୍କୁ ଭର୍ତ୍ତି କରାଯାଇଛି । ସେପଟେ ଜିଲ୍ଲାରେ କ୍ୱାରେଣ୍ଟାଇନ ସେଣ୍ଟରରୁ କୋରୋନା ଭୂତାଣୁ ଏବେ ସ୍ଥାନୀୟ ସଂକ୍ରମଣ କରିବାରେ ଲାଗିଛି ।
ଜିଲ୍ଲାରେ ପହଞ୍ଚିଛି ଗଞ୍ଜାମ ଲିଙ୍କ । ପୂର୍ବରୁ ଚାରିଛକ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଡ୍ରାଇଭରଙ୍କୁ କୋରୋନା ହୋଇଥିବା ଜଣା ପଡ଼ିଥିଲା । ସେହିପରି ଗତକାଲି ଜିଲ୍ଲାରେ ୭ଟି ନୂଆ କୋରୋନା ପଜିଟିଭ ମାମଲା ଆସିଥିବା ବେଳେ ସେମାନଙ୍କୁ ମଧ୍ୟରୁ ମାତ୍ର ଜଣେ ସଙ୍ଗରୋଧ କେନ୍ଦ୍ରରୁ ରହିଥିଲେ । ତେବେ ସ୍ଥାନୀୟ ସଂକ୍ରମଣ ଜିଲ୍ଲାରେ ଧିରେ ଧିରେ ପ୍ରବେଶ କରିଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ କୋଠୋର ନୀତି ଆପଣାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ବୌଦ୍ଧ ସହରର ବୁଟୁପାଲି, ଲିପ୍ସା ଛକ, ନୂଆସାହି ଛକ ଠାରୁ ଯେ ନୂତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ହରଭଙ୍ଗା ବ୍ଲକର ବ୍ଲକ ସଦର ମହକୁମ ଚାରିଛକ, ଝାରରାଜିଙ୍ଗ, ବାଣିଭୁଷଣପୁର, ପୁରୁଣାକଟକ ପଞ୍ଚାୟତର ହାଇସ୍କୁଲ ଛକ ଠାରୁ ମା ଭୈରବୀ ମନ୍ଦିର ଯାଏଁ, ସେହିପରି ମଥୁରା ପଞ୍ଚାୟତର କୋଡାସାହି ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ୭୧ ଘଣ୍ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ସମ୍ପୃକ୍ତ ଅଞ୍ଚଳର ମ୍ୟାପ ଜାରି କରାଯାଇ ସମସ୍ତ ଅଞ୍ଚଳକୁ ସାଇନିଟାଇଜ କରାଯାଇଛି ।
ଏନେଇ ଜିଲ୍ଲା ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକରେ ଆଗାମୀ ୭୨ ଘଣ୍ଟା ଯାଏଁ ଅତ୍ୟାବଶକୀୟ କାମ ନଥିଲେ ଘରୁ କେହି ବାହାରକୁ ବାହାରନ୍ତୁ ନାହିଁ ବୋଲି ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି । କୌଣସି ଲୋକ ବିନା କାରଣରେ ଘରୁ ବାହାରକୁ ବାହାରିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଡ଼ା ଚେତାବନୀ ଦେଇଛି ବୌଦ୍ଧ ପୋଲିସ ।
ଅନ୍ୟପଟେ ଜିଲ୍ଲାରେ କୋରୋନା ଭାଇରସ୍ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଏହାକୁ ଆଖି ଆଗରେ ରଖି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମଗ୍ର ବୌଦ୍ଧ ଜିଲ୍ଲା ପାଇଁ ନୂଆ କୋରୋନା କଟକଣା ଜାରି କରିଛନ୍ତି । ଏଣିକି ଜିଲ୍ଲାରେ କେବଳ ସକାଳ ୭ ଟାରୁ ଯେ ଦିନ୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ, ବଜାର ଖୋଲିବାକୁ ଅନୁମତି ମିଳିଛି । ସେହିପରି ଦିନ ୨ ଟାରୁ ଯେ ସକାଳ ୭ ଯାଏଁ କର୍ଫ୍ୟୁ ଭଳି ନିୟମ ଲାଗୁ କରିଛନ୍ତି । ଏଥିରେ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ନିୟମ ୭୨ ଘଣ୍ଟା ପାଇଁ ବଳବତ୍ତର ରହିବ ବୋଲି କୁହାଯାଇଛି । ଅନ୍ୟପଟେ ଜିଲ୍ଲାରେ ସମୁଦାୟ ୬୨ ଟି କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବି ଜିଲ୍ଲାରେ ଆଉ ୧୭ ଟି ଆକ୍ଟିଭ କେସ ରହିଛି । କୋରୋନା ମୁକାବିଲା ପାଇଁ ସରକାର କରିଥିବା ସମସ୍ତ ନିୟମମାନି ଚଳିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାବସୀଙ୍କୁ ନିବେଦନ କରିଛନ୍ତି ।