ନୂଆ ମାମଲାକୁ ମିଶାଇ ବୌଦ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । କହିବାକୁ ଗଲେ ବୌଦ୍ଧ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ହଟସ୍ପଟ ପାଲଟିଛି ।
Trending Photos
ହିମାଂଶୁ ଶେଖର ସାହୁ, ବୌଦ୍ଧ: ଜିଲ୍ଲାରେ ପୂର୍ବରୁ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୨୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ସମସ୍ତ ଆକ୍ରାନ୍ତ ପ୍ରବାସୀ ଓଡ଼ିଆ । ଏମାନଙ୍କ ମଧ୍ୟରୁ ୨୦ ଜଣ ଗୁଜୁରାଟ ଫେରନ୍ତା ରହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶରରୁ ୫ଜଣ, ତେଲେଙ୍ଗାନାରୁ ୨ ଜଣ ଏବଂ ମହାରାଷ୍ଟ୍ରରୁ ଜଣେ ଫେରିଥିଲେ । ଆକ୍ରାନ୍ତମାନେ ହରଭଙ୍ଗା ବ୍ଲକ ଆଡ଼େଣିଗଡ଼, ବାଣିଭୂଷଣପୁର, ଓ ବୀରନରସିଂପୁର ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ କ୍ୱାରେଣ୍ଟାଇନରେ ରହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସୂଚନା ମିଳିଛି ।
ତେବେ ନୂଆ ମାମଲାକୁ ମିଶାଇ ବୌଦ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । କହିବାକୁ ଗଲେ ବୌଦ୍ଧ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ହଟସ୍ପଟ ପାଲଟିଛି । ପଶ୍ଚିମ ଓଡ଼ିଶାରେ ସର୍ବାଧିକ ଆକ୍ରାନ୍ତ ବୌଦ୍ଧରୁ ଚିହ୍ନଟ ହୋଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତ ସୁରତ(ଗୁଜୁରାଟ) ଫେରନ୍ତା ଥିଲେ । ଏବେ ଜିଲ୍ଲାକୁ ଗୁଜୁରାଟ ସହ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନ ଓ ମହାରାଷ୍ଟ୍ରରୁ ଆସିଛି କୋରୋନା ଲିଙ୍କ ।
ଚିହ୍ନଟ ହୋଇଥିବା ୨୮ ପଜିଟିଭଙ୍କ ମଧ୍ୟରୁ ୨୧ ଜଣଙ୍କୁ ବୌଦ୍ଧ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯିବ । ଅନ୍ୟ ୭ ଜଣଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି, ଯଦି ଅନ୍ୟ କୌଣସି ପଜିଟିଭ ଗୁରୁତର ହୁଅନ୍ତି, ତାହାଲେ ମଧ୍ୟ ଭୁବନେଶ୍ୱର ପଠାଯିବ ବୋଲି ସୂଚନା ଦେଇଛନ୍ତି ବୌଦ୍ଧ ଉପଜିଲ୍ଲାପାଳ ଏନସି ଜୋତି ରଞ୍ଜନ ନାଏକ ।
ଏପଟେ ଏକାଥରକେ ୨୮ପଜିଟିଭ ବାହାରିବା ପରେ ଜିଲ୍ଲାବାସୀଙ୍କ ମନରେ ଭୟର ବାତାବରଣ ଦେଖାଯାଇଛି । ଯେଉଁ କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀମାନେ ରହିଥିଲେ, ସେଠି ସଙ୍ଗରୋଧ ନିୟମ ଠିକ ଭାବେ ପାଳନ ହେଉଥିଲା ନା ନାହିଁ, ତାହା ଏବେ ବେଶ୍ ଗୁରୁତ୍ୱବହନ କରୁଛି । କାହିଁକିନା ଯଦି କ୍ୱାରେଣ୍ଟାଇନ ନିୟମରେ ଖିଲାପ ହୋଇଥାଏ, ତେବେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ମଧ୍ୟ ଏଡ଼ାଇ ହେଉନାହିଁ ।