ବୌଦ୍ଧରେ କାୟା ମେଲାଉଛି କୋରୋନା: ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ
Advertisement

ବୌଦ୍ଧରେ କାୟା ମେଲାଉଛି କୋରୋନା: ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ

ଆଜି(ମଙ୍ଗଳବାର) ଜିଲ୍ଲାରେ ୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବାବେଳେ ଆଉ ୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ଫାଇଲ ଫଟୋ

ହିମାଂଶୂ ଶେଖର ସାହୁ, ବୌଦ୍ଧ: ଜିଲ୍ଲାରେ କୋରୋନା ସ୍ଥିତ ଦିନକୁ ଦିନ ସୁଧୁରିବା ପରିବର୍ତ୍ତେ ଗମ୍ଭୀର ରୁପ ଧାରଣା କରିବା ଅଭିମୁଖେ ଅଗ୍ରସର ହେଉଥିବା ମନେ ହେଉଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୦ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତ ସଂକ୍ରମିତ ବିଭିନ୍ନ ପଂଚାୟତର କ୍ୱାରେଣ୍ଟାଇନ ସେଟଣ୍ଟରୁ ବାହାରିଥିଲେ । କିନ୍ତୁ ଗତକାଲି(ସୋମବାର) ୩ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ କ୍ୱାରେଣ୍ଟାଇନ ଓ ଜଣେ ସ୍ଥାନୀୟ ଅଞ୍ଚଳରୁ ସାମିଲ ଥିଲେ । ସେହିପରି ଆଜି(ମଙ୍ଗଳବାର) ଜିଲ୍ଲାରେ ୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବାବେଳେ ଆଉ ୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତକାଲି ବାହାରିଥିବା ପ୍ରଥମ ସ୍ଥାନୀୟ ସଂକ୍ରମଣ ମାମଲଟି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ବାଣୀଭୁଷଣପୁର ପଂଚାୟତର ବୋଲି ଜଣାପଡ଼ିଛି । ତେବେ ଡ୍ରାଇଭରଙ୍କ ପାଖରେ କୋରୋନା ପୋଜେଟିଭ ବାହାରିବା ପରେ ଡ୍ରାଇଭରଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ହରଭଙ୍ଗା ବ୍ଲକ ଅଚଂଳରୁ ୭୨ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ସ୍ୱୟଂ ଜିଲ୍ଲାପାଳ ପହଂଚି ପଚାଂୟତର ବାଣିଭୁଷଣପୁର, ଝାରରାଜିଙ୍ଗ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ସହିତ ଏବଂ ବ୍ଲକ ସଦର ମହକୁମା ଚାରିଛକ ବଜାରକୁ ୩ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । 

ସେହିପରି ଆଜି ଜିଲ୍ଲାରେ ୭ ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ସେଥି ମଧ୍ୟରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ଅଚଂଳର ୨ ଜଣ, ମଥୁରା ପଞ୍ଚାୟତରୁ ଜଣେ, ବୌଦ୍ଧ ବୁଟୁପାଲି ସହରରେ ଥିବା ଟାଟା ପାୱାର କମ୍ପାନୀର ୨ ଜଣ, ଏଆରଏସଏସର ଜଣେ ସାମିଲ ଅଛନ୍ତି । ଏମାନେ ସମସ୍ତେ ସ୍ଥାନୀୟ ହୋଇଥିବାବେଳେ ଅନ୍ୟଜଣେ ସଂକୁଳେଇ ପଞ୍ଚାୟତର କ୍ବାରେଣ୍ଟାଇନ ସେଣ୍ଟର ରହିଥିଲେ ବୋଲି ଜଣାପଡିଛି । ପୁରୁଣାକଟକରେ ଲୋକାଲ କେଶ ବାହାରିବା ପରେ ସ୍ଥାନୀୟ ସରପଞ୍ଚ ଏବଂ ବୌଦ୍ଧ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଆଗାମୀ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି ।

ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋଙ୍କୁ ଘରୁ ନ ବାହାରିବା ପାଇଁ ନିବେଦନ କରିବା ସହିତ ଯଦି କେହି ବାହାରନ୍ତି ବିନା କାରଣରେ ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ । ଚାରିଛକ ଦମକଳ ବାହିନୀ ପକ୍ଷରୁ ପୁରୁଣାକଟକ ଅଂଚଳକୁ ସାନିଟାଇଜ କରାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବୌଦ୍ଧ ବୁଟୁପାଲିରୁ ବାହାରି ଥିବା ୩ ଲୋକାଲ କେସର କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଥିବା ସୂଚନା ମିଳିଛି । ସମ୍ପୃକ୍ତ ଟାଟା ପାୱାର କମ୍ପାନୀ ଏକ ଋଣ ଦେବା ସଂସ୍ଥା ହୋଇଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଯାଇ ମହିଳା ସଂଘ ଗ୍ରୁପ ମାନଙ୍କ ଠାରୁ ଋଣ ଆଦାୟ କରିଥାନ୍ତି । ସେହିପରି ଆଉ ଜଣେ ମଧ୍ୟ ଏଆରଏସଏସ କମ୍ପାନୀର ହୋଇଥିବାବେଳେ ସେ ବୁଟୁପାଳିରେ ରହୁଥିଲେ । ବୁଟୁପାଲି, ଲିପ୍ସା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଅଂଚଳକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ସଟଡାଉନ କରିଛନ୍ତି ଜିଲ୍ଲାପାଳ ।

 ଅନ୍ୟପଟେ ସମ୍ପୃକ୍ତ ଅଂଚଳକୁ ଦମକଳ ବାହିନୀଙ୍କ ଦ୍ଵାରା ସାନିଟାଇଜ କରାଯାଇଛି । ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬୦ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ଯାଏଁ ୪୫ ଜଣ ସୁସ୍ଥ ହୋଇଥିବାବେଳେ ୧୫ ସଂକ୍ରିୟ କୋରୋନା ମାମଲା ରହିଛି । ସେମାନଙ୍କୁ ବୌଦ୍ଧ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଜିଲ୍ଲାରେ ଗତ ୨ ଦିନ ଭିତରେ ଯେଉଁଭଳି ଭାବେ ସ୍ଥାନୀୟ ସଂକ୍ରମଣର ମାମଲା ଆସୁଛି ଏହାକୁ ଆଖି ଆଗରେ ରଖି ଜିଲ୍ଲାବାସୀ ସଟଡାଉନ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ସତର୍କ ଓ ସଚେତନ ରହିବା ଏବଂ ଅତ୍ୟନ୍ତ ଜରୁରୀ ନ ହେଲେ ଘରୁ ଜମାରୁ ବହାରନ୍ତୁ ନାହିଁ ବୋଲି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧବାସୀଙ୍କୁ ନିବେଦନ କରିଛନ୍ତି ।