)
ହିମାଂଶୁ ଶେଖର ସାହୁ, ବୌଦ୍ଧ: ଯେତେବେଳେ ଦେଶ କୋରୋନା ମୁକାବିଲା କରୁଛି, ଆପଣ ଦରଦି ପୋଲିସର ଅନେକ ଖବର ପଢ଼ିଥିବେ । ଆମ ପୋଲିସ ଏବେ ଲୋକଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଦେଇଛି । ଜୀବନକୁ ବାଜି ଲଗାଇ କୋରୋନା ମୁକାବିଲା କରୁଛି । ଲୋକଙ୍କୁ କୋରୋନା ଭାଇରସରୁ ରକ୍ଷା କରିବା ପାଇଁ ଦିନରାତି ଉଦ୍ୟମ କରୁଛି ପୋଲିସ । ଲକଡାଉନ୍ ଯେପରି ସଫଳ ହେବ, ସେ ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ଏହି ସମୟରେ ଏମିତି କିଛି ପୋଲିସ ଅଛନ୍ତି, ଯେଉଁମାନେ ଲୋକଙ୍କ ସମସ୍ୟାକୁ ମଧ୍ୟ ବୁଝୁଛନ୍ତି । ଲୋକେ ଭୋଗୁଥିବା ଯନ୍ତ୍ରଣାର ଭାଗିଦାରୀ ହେବା ପାଇଁ ଚେଷ୍ଠା କରୁଛନ୍ତି । ଏମିତି ଜଣେ ମହିଳା ପୋଲିସ ହେଉଛନ୍ତି ବୌଦ୍ଧର ବନ୍ଦନା ବେହେରା ।
ବୌଦ୍ଧ କଣ୍ଟାମାଳ ଥାନାରେ ମହିଳା କନଷ୍ଟେବଲ ଅଛନ୍ତି ବନ୍ଦନା । ଡ୍ୟୁଟି ସମୟରେ ନିଜର ଦାୟିତ୍ୱ ସମ୍ପାଦନ, ଅତିରିକ୍ତ ସମୟରେ ଗରିବ ଲୋକଙ୍କୁ ସେବା । ଅସହାୟଙ୍କ ସାଥିରେ ଛିଡ଼ା ହେବା ପାଇଁ ସତେଯେମିତି ସେ ପଣ କରିଛନ୍ତି । ନିଜ ଦାୟିତ୍ୱରେ କେବେ ଖିଲାପ କରନ୍ତି ନାହିଁ ବନ୍ଦନା । ଡ୍ୟୁଟି ସରିବା ପରେ ଯେଉଁ ସମୟ ମିଳୁଛି, ସେହି ସମୟରେ ଗାଁ ଗାଁ ବୁଲି ଗରିବ ଅସହାୟଙ୍କୁ ଭେଟୁଛନ୍ତି । ତାଙ୍କ ସୁଖ ଦୁଃଖରେ ସାଥି ହେବା ପାଇଁ ଚେଷ୍ଠା କରୁଛନ୍ତି ।
ଏବେ ସମଗ୍ର ଦେଶ ଲକଡାଉନ୍ । କୋରୋନାକୁ ମାତ୍ ଦେବା ପାଇଁ ଏହା ହିଁ ଆମ ପାଇଁ ବିକଳ୍ପ । ହେଲେ ଲୋକଙ୍କ ସମସ୍ୟା ମଧ୍ୟ ଲକଡାଉନ୍ ଯୋଗୁ ବଢ଼ିଯାଇଛି । ଏକଥାକୁ ଭଲ ଭାବେ ବୁଝିଛନ୍ତି ଏହି ମହିଳା କନଷ୍ଟେବଲ । ସେଇଥିପାଇଁ ତ ସମୟ ବାହାର କରି ଗୋଟିଏ ଗୋଟିଏ ଗାଁକୁ ଯାଆନ୍ତି ବନ୍ଦନା । ଆଉ ସାଥିରେ ନେଇଥାନ୍ତି ଶୁଖିଲା ଖାଦ୍ୟ । ଅସହାୟ ଓ ଗରିବ ଲୋକଙ୍କୁ ଏହା ପ୍ରଦାନ କରୁଛନ୍ତି । ବାସ୍, ସେମାନଙ୍କ ମୁହଁରେ ହସ ଟିକିଏ ଦେଖିଲେ ନିଜକୁ ଭାଗ୍ୟବାନ ମନେକରନ୍ତି ସେ । ଆଉ ତାଙ୍କ ଏଭଳି କାର୍ଯ୍ୟକୁ କେବଳ ଜିଲ୍ଲା ପୋଲିସ କାହିଁକି, ବୌଦ୍ଧବାସୀ ପ୍ରଶଂସା କରିଛନ୍ତି ।
ପୋଲିସକୁ ନେଇ ଆମ ଧାରଣା ବିଭିନ୍ନ ସମୟରେ ନକରାତ୍ମକ ରହିଆସିଛି । ପୋଲିସ ନାଁ ଶୁଣିଲେ ଏବେ ବି କିଛି ଲୋକଙ୍କ ମଧ୍ୟରେ ଭୟ, ଘୃଣା ଇତ୍ୟାଦି ସୃଷ୍ଟି ହୋଇଥାଏ । ହେଲେ ଏମିତି କିଛି ପୋଲିସ କର୍ମଚାରୀ ଅଛନ୍ତି, ଯେଉଁମାନେ ବଦଲାଇପାରିଛନ୍ତି ଲୋକଙ୍କ ସେହି ନକରାତ୍ମକ ମାନସିକତା । ପୋଲିସ ଯେ ଲୋକଙ୍କ ପାଇଁ ସବୁବେଳେ ଉତ୍ସର୍ଗୀକୃତ, ଏଭଳି କିଛି ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି । ଆଉ ଠିକ୍ ସେମିତି ଜଣେ ପୋଲିସ କର୍ମଚାରୀ ହେଉଛନ୍ତି ବନ୍ଦନା ବେହେରା ।