ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକଙ୍କ ହତ୍ୟା ମାମଲା, ୩ ଅଭିଯୁକ୍ତ ଗିରଫ

ହତ୍ୟାକାଣ୍ଡର ୫ ଦିନ ପରେ ବିଜେପି ନେତା ଲୋକନାଥ ପ୍ରଧାନଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କଂଟାମାଳ ପୋଲିସ । ହତ୍ୟା କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକଙ୍କ ହତ୍ୟା ମାମଲା, ୩ ଅଭିଯୁକ୍ତ ଗିରଫ
ଫାଇଲ ଫଟୋ

ହିମାଂଶୁ ଶେଖର ସାହୁ, ବୌଦ୍ଧ: ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଲୋକନାଥ ପ୍ରଧାନଙ୍କ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଲୋକନାଥ ପ୍ରଧାନ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସମ୍ପାଦକ ଦାୟିତ୍ୱରେ ଥିଲେ । ତାଙ୍କ ଘର ଜିଲ୍ଲାର କଂଟାମାଳ ଥାନା ଖମନମୁଣ୍ଡା ପଂଚାୟତ ଅନ୍ତର୍ଗତ ସିଆଲଝୁଲି ଗ୍ରାମରେ ଅବସ୍ଥିତ । ସେ କେବଳ ଦଳୀୟ କାର୍ଯ୍ୟରେ ଲିପ୍ତ ରହୁଥିଲେ ତାହା ନୁହେଁ ସମାଜସେବୀ ଭାବେ ଅଚଂଳରେ ଲୋକଙ୍କ ବିପଦେ ଆପଦେ ଠିଆ ହେଉଥିଲେ । ଲୋକନାଥଙ୍କ ଏଭଳି ସେବା ମନୋବୃତ୍ତି ପାଇଁ ଅଚଂଳରେ ବେଶ ପ୍ରଶଂସାର ପାତ୍ର ଥିଲେ ।

ହେଲେ ଗତ ୨୪ ତାରିଖ ସକାଳୁ କଂଟାମାଳ ଥାନା ଅନ୍ତର୍ଗତ ଆମ୍ବଗାଁ ପଂଚାୟତ ଏକ ନାଳ ନିକଟରୁ କ୍ଷତିବିକ୍ଷତ ଅବସ୍ଥାରେ ଲୋକନାଥଙ୍କ ମୃତଦେହ ଉଦ୍ଧାର କରିଥିଲା  ପୋଲିସ । ଲୋକନାଥଙ୍କ ମରଶରୀରକୁ ଦେଖିଲେ ଯେ କେହିବି କହିବ କିଭଳି ନିର୍ମମ ଭାବେ କରାଯାଇଛି ହତ୍ୟାକାଣ୍ଡ । ସକାଳୁ ଏ ଘଟଣା ଜଣାପଡିବା ପରେ ଅଚଂଳରେ ଶୋକାକୁଳ ପରିବେଶ । ମର ଶରୀରକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା ଘଟଣା ସ୍ଥଳରେ । ୨୩ ତାରିଖ ରାତିରେ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ । ତେବେ କିଏ ଓ କାହିଁକି ଲୋକନାଥଙ୍କ ହତ୍ୟା କରିଛି କଣ ହୋଇଥାଇପାରେ କାରଣ ? ଏମିତି ଅନେକ ରହସ୍ୟର ମୃତ୍ୟୂ ଘଟଣାର ତଦନ୍ତ ଆରମ୍ଭ କଲା କଂଟାମାଳ ପୋଲିସ ।

ହତ୍ୟାକାଣ୍ଡର ୫ ଦିନ ପରେ ବିଜେପି ନେତା ଲୋକନାଥ ପ୍ରଧାନଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କଂଟାମାଳ ପୋଲିସ । ହତ୍ୟା କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ୩ ଅଭିଯୁକ୍ତ ହେଲେ ସିଆଲଝୁଲି ଗ୍ରାମର ଲିଙ୍ଗରାଜ ବଗର୍ତି, ଆମ୍ବଗାଁର ପପୁନ ଓରଫ ଜୋତିର୍ମୟୀ ଦଳେଇ ଏବଂ ପିଙ୍କୁ ଓରଫ ସତ୍ୟନାରାୟଣ ଦଳେଇଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡ ପଛରେ ଟଙ୍କା ନେଣଦେଣ କାରବାର ରହିଥିବା ପୋଲିସ ସୂଚନା ଦେଇଛି ।

ପୋଲିସ ପକ୍ଷରୁ ହସ୍ତଗତ ହୋଇଥିବା ସୂଚନା ମୁତାବକ, ମୃତ ଲୋକନାଥ ପ୍ରଧାନ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ନିର୍ବାଚନ ସମୟରେ ଅଭିଯୁକ୍ତଙ୍କ ଠାରୁ କେତେ ଟଙ୍କା ଧାର ନେଇଥିଲେ । ଅଭିଯୁକ୍ତମାନେ ବାରମ୍ବାର ଉକ୍ତ ଟଙ୍କା ମାଗି ଆସୁଥିବା ବେଳେ ଲୋକନାଥ ସେହି ଅର୍ଥକୁ ଫେରାଇ ନଥିଲେ । ଯାହାକୁ ନେଇ ଅଭିଯୁକ୍ତମାନେ ଲୋକନାଥଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଗତ ୨୩ ତାରିଖ ସକାଳେ ଲିଙ୍ଗରାଜ ଏକ ଖଣ୍ଡାକୁ ଧାର କରିବା ପାଇଁ ପପୁନକୁ ଦେଇଥିଲା । ପପୁନ ଧାର କରି ସାରିବା ପରେ ଲିଙ୍ଗରାଜକୁ ଦେଇଥିଲା । ସେହିଦିନ ଦିନ ୧୧ ଟାରେ ୩ ଜଣ ହତ୍ୟା କରିବା ପାଇଁ ଉପଯୁକ୍ତ ସ୍ଥାନକୁ ଯାଇଥିଲେ । ପୂର୍ବ ଯୋଜନା ମୁତାବକ ପପୁନ ଓ ପିଙ୍କୁ ଏକ ଭୋଜି ଦେବା ପାଇଁ କହି ଲୋକନାଥଙ୍କୁ ନିମନ୍ତ୍ରଣ କରିଥିଲେ । ଗୋଟିଏ ବାଇକରେ ଲିଙ୍ଗରାଜ ଓ ଲୋକନାଥ ଘଟଣା ସ୍ଥଳକୁ ଆସିଥିଲେ । ତେବେ ଯୋଜନାବଦ୍ଧ ଭାବେ ଲିଙ୍ଗରାଜ, ପପୁନ ଓ ପିଙ୍କୁ ଲୋକନାଥ ପ୍ରଧାନଙ୍କୁ ଗୋଡାଇ ଗୋଡାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା ବୋଲି ବୌଦ୍ଧ ଏସଡିପିଓ ଏସ.ଟିଗା ସୂଚନା ଦେଇଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ କଟୁରୀ ଘଟଣା ସ୍ଥଳରୁ ଜବତ କରିବା ସହିତ ମୁଖ୍ୟ କାରଣ ଟଙ୍କା କାରବାର ଥିବା କହିଛି ପୋଲିସ ।

ତେବେ ପୋଲିସ ଚାପର ବଶବର୍ତ୍ତୀ ହୋଇ ଲୋନାଥ ହତ୍ୟା ଘଟଣାର ଦିଗ ବଦଳାଇବାକୁ ଚେଷ୍ଟା କରାଯାଇଛି । ଟଙ୍କା ପାଇଁ ନୁହଁ ବରଂ ରାଜନୈତିକ ଶତ୍ରୁତା କାରଣରୁ ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଲୋକନାଥଙ୍କ ଧର୍ମପତ୍ନୀ ରୋହିଣୀ ପ୍ରଧାନ । ଠିକ ସମାନ ଅଭିଯୋଗ ଆଣିଛନ୍ତି ଲୋନାଥଙ୍କ ବାପା ଜଗଦିଶ ପ୍ରଧାନ । ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରୁ ଯେ ଏଯାବତ ଲୋକନାଥଙ୍କୁ ବିରୋଧିମାନେ ହତ୍ୟା କରିବାକୁ ନେଇ ବାରମ୍ବାର ଧମକ ଦେଇଆସୁଥିଲେ ମଧ୍ୟ ଏଦିଗପ୍ରତି ପୋଲିସ ତଦନ୍ତ ଆରମ୍ଭ ନ କରିବା ନେଇ ଅଭଯୋଗ କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ଏହି ହତ୍ୟାକାଣ୍ଡ ପଛରେ କଂଟାମାଳ ବିଧାୟକଙ୍କ ପୁଅ ଏବଂ ସରପଂଚଙ୍କ ହାତ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ।
 
ଲୋକନାଥ ହତ୍ୟା ଘଟଣା ଏବେ ଏହା ରାଜନୈତିକ ରୂପ ନେବାକୁ ବସିଥିବାବେଳେ ଲୋକନାଥଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେବା ସହିତ ପରିବାର ସଦସ୍ୟଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିବା ଦାବି କରିଛି ବୌଦ୍ଧ ଜିଲ୍ଲା ବିଜେପି । ଅନ୍ୟପଟେ ଲୋକନାଥ ସିଆଲଝୁଲି ଗ୍ରାମରେ ରାଜ୍ୟ ବିଜେପିର କୁଚିଣ୍ଡା ବିଜେପି ବିଧାୟକ ନାଉରି ନାୟକ, ପୂର୍ବତନ ବିଧାୟକ ରବିନାୟକ ଏବଂ ଟଙ୍କଧରଙ୍କ ଭଳି ଆଗଧାଡିର ବିଜେପି ନେତା ମାନେ ପହଚିଂ ପରିବାରଙ୍କୁ ସମବେଦନା ଜଣାଇବା ସହିତ ସଠିକ ତଦନ୍ତ ଦାବି କରିଛନ୍ତି । ଏହାପରେ ବିଜେପିର କର୍ମକର୍ତ୍ତାମାନେ କଂଟାମାଳ ଥାନାକୁ ଯାଇଥିଲେ ହେଁ ସେଠାରେ ଥାନା ବାବୁ ନଥିବାରୁ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଚିଂ ବୌଦ୍ଧ ଏସପିଙ୍କ ସହିତ ଆଲୋଚନା କରିଛନ୍ତି । ଲୋକନାଥଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି କାହିଁକି ତଦନ୍ତ କରାନଯାଇ ଅନ୍ୟଦିଗରେ ତଦନ୍ତ କରି ଅସଲ ଦୋଷୀ ମାନଙ୍କୁ ଛାଡିବା ପାଇଁ ଅନ୍ୟମାନଙ୍କୁ ଦୋଷୀ ସଜାଇଛନ୍ତି ବୋଲି ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ପ୍ରଶ୍ନ କରିବା ସହିତ ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି । ସେହିପରି ଆଜି କନ୍ଧମାଳର ବିଜେପି ସାଂସଦ ପ୍ରାର୍ଥି ଐ୍ୟର ଖାରବେଳ ସ୍ୱାଇଁ ମଧ୍ୟ ଲୋକନାଥଙ୍କ ପରିବାରଙ୍କୁ ଭେଟିବା ସହିତ ବୌଦ୍ଧ ଏସପିଙ୍କୁ ଭେଟି ନିର୍ମମ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।
ଲୋକନାଥ ହତ୍ୟା ଘଟଣାରେ ମୋ ପରିବାରର କୌଣସି ସଦସ୍ୟଙ୍କ ସମ୍ପୃକ୍ତି ଆସିଲେ 

ତେବେ ଏହି ହତ୍ୟାକାଣ୍ଡ ପଛରେ କଂଟାମାଳ ବିଧାୟକ ମହିଧର ରଣାଙ୍କ ପୁତ୍ର ନାମରେ ସିଧାସଳଖ ଅଭିଯୋଗ ଆସିବାରୁ ଏହାକୁ ନେଇ ବିଜେପି ଦଳହୀନ ରାଜନୀତି କରୁଥିବା କହିଛନ୍ତି କଂଟାମାଳ ବିଧାୟକ । ଲୋକନାଥ ପ୍ରଧାନ ହତ୍ୟା ଘଟଣାରେ ମୁଁ ମର୍ମାହତ କହିବା ସହିତ ବିଜେପି ଦଳ ଅସହିଷ୍ନୁତା ହୋଇ ମୋ ପୁଅ ନାମରେ ଅଭିଯୋଗ ଆଣୁଛି । ପୋଲିସ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିସାରିଥିବାବେଳେ ଏଭଳି ଅଭିଯୋଗ ଆଣି ହୀନ ରାଜନୀତି କରୁଛି ବୋଲି କହିବା ସହିତ ଏହି ହତ୍ୟାକାଣ୍ଡ ପଛରେ ଯଦି ମୋ ପରିବାରର କୌଣସି ସଦସ୍ୟଙ୍କ ସମ୍ପୃକ୍ତି ଆସେ ତାହେଲେ ମୁଁ ବିଧାୟକ ପଦରୁ ଇସ୍ଥାଫା ଦେଇଦେବି ବୋଲି କହିବା ସହିତ ସଠିକ ତଦନ୍ତ ଦାବି କରିଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଟାମାଳ ବିଧାୟକ ମହିଧର ରଣା । 

ଅନ୍ୟପଟେ ଏହି ଘଟଣାକୁ ନେଇ ଯେଉଁମାନେ ମୋତେ ମୋ ପରିବାରଙ୍କୁ ଯୋଡି ମୋର ମାନସମ୍ମାନ ହାନି କରିବାକୁ ପ୍ରୟାସ କରୁଛନ୍ତି । ସେମାନଙ୍କ ବିରୋଧରେ ମୁଁ ମାନହାନି କରିବି ବୋଲି ମଧ୍ୟ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ପୋଲିସ ଲୋକନାଥ ପ୍ରଧାନ ହତ୍ୟା ଘଟଣାରେ ସଂମ୍ପୃକ୍ତି ଥିବା ନେଇ ଯେଉଁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସତରେ କଣ ସେମାନେ ଦୋଷୀ ନୁହଁନ୍ତି ? ସେମାନେ ଯଦି ଦୋଷୀ ନୁହଁନ୍ତି ତାହେଲେ ଲୋକନାଥଙ୍କୁ ଏଭଳି ବିଭତ୍ସଭାବେ ହତ୍ୟା କଲା କିଏ ? ଲୋକନାଥ ହତ୍ୟାକାଣ୍ଡକୁ ନେଇ କଣ ସତରେ ହେଉଛି ରାଜନୀତି? ଏଭଳି ଅନେକ ପ୍ରଶ୍ନ ଭିତରେ କଂଟାମାଳ ଅଚଂଳବାସୀଙ୍କ ମୁଖ୍ୟ ଦାବି ଲୋକନାଥ ପ୍ରଧାନ ହତ୍ୟା ମାମଲାରେ ସମସ୍ତ ଦୋଷୀଙ୍କୁ ମିଳୁ ଉଚିତ ଦଣ୍ଡ ।