)
ହିମାଂଶୁ ଶେଖର ସାହୁ, ବୌଦ୍ଧ: ମହାମାରୀ କୋରୋନା ସହିତ ଯୁଦ୍ଧ କରୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । କୋରୋନା ଭୂତାଣୁକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ଭ୍ୟାକସିନ ବାହାରି ନ ଥିବା ବେଳେ ଏକମାତ୍ର ଉପାୟ ସାମାଜିକ ଦୂରତା ରକ୍ଷା କରିବା । ମୁହଁରେ ମାସ୍କ ବ୍ୟବହାର କରିବା ସହିତ ସତର୍କ ଓ ସଚେତନ ରହିବା । ରାଜ୍ୟରେ କୋରୋନା ତାର କାୟା ମେଲାଇ ଚାଲିଥିବା ବେଳେ ବୌଦ୍ଧକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୪ ଜଣଙ୍କ ପିଜିଟିଭ ବାହାରିଛି । ଅନ୍ୟପଟେ କୋରୋନା ମୁକାବିଲା ପାଇଁ ସରକାର ସମ୍ବେଦନଶୀଳ ହୋଇଥିବା ବେଳେ ଏହି ସମୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିକୁ ବି କ୍ଷମା କରାଯାଉନାହିଁ । ପଞ୍ଚାୟତ ସ୍ତରରେ ଏହାକୁ ମୁକାବିଲା କରିବା ପାଇଁ ପ୍ରତ୍ୟେକ ସରପଞ୍ଚଙ୍କୁ ଜିଲ୍ଲାପାଳର କ୍ଷମତା ଦିଆଯାଇଛି । ହେଲେ କିଛି ସରପଞ୍ଚ ଏହାକୁ ଖାମଖିଆଲ ଭାବେ ନେଉଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଥିବା ପଞ୍ଚାୟତ ମହାବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୭୨ ଜଣ ପ୍ରବାସୀଙ୍କୁ ରଖାଯାଇଛି । ହେଲେ ପ୍ରବାସୀଙ୍କୁ ଖାଇବାକୁ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି । ଗତ ୫ ଦିନ ହେବ କିଏ ସୁରଟ ତ ଆଉ କିଏ ତାମିଲନାଡୁରୁ ଫେରି ହରଭଙ୍ଗା କ୍ୱାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟର ଟି ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି । କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ପାଣି ଠାରୁ ଆରମ୍ଭ କରି ଖାଇବା ଶୋଇବା ପ୍ରତି ଗୁରୁତ୍ୱ ଦେଇ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରହୁଥିବା ପ୍ରବାସୀମାନଙ୍କ ପାଇଁ ଉଚିତ ଖାଦ୍ୟପେୟ ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି ।
ଏଭଳି ଅଭିଯୋଗ ଆଣି କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ୭୨ ଜଣ ପ୍ରବାସୀ ଓଡ଼ିଆ ଛତ୍ରଙ୍ଗ-ହରଭଙ୍ଗା ରାସ୍ତାର କଲେଜ ଛକରେ ଅବରୋଧ କରିଥିଲେ । ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିବା ବଦଳରେ ରାସ୍ତା ଓହ୍ଲାଇ ସ୍ଥାନୀୟ ସରପଞ୍ଚଙ୍କ ଏଭଳି ମାନମାନି କାର୍ଯ୍ୟକୁ ବିରୋଧ କରିଛନ୍ତି । ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିବାବେଳେ ହରଭଙ୍ଗା ଥାନା ପୋଲିସ ପହଞ୍ଚି ପ୍ରବାସୀଙ୍କୁ ବୁଝାସୁଝା କରିଥିଲା । ପରେ ସେମାନେ କ୍ୱାରେଣ୍ଟାଇନ ସେଣ୍ଟର ଭିତରକୁ ଯାଇଥିବା ଜଣାପଡିଛି ।