)
ହିମାଂଶୁ ଶେଖର ସାହୁ, ବୌଦ୍ଧ: କାହାଣୀ ଜଣେ କଳାକାରଙ୍କର । ଏ କାହାଣୀ ଲକଡାଉନ୍ ବେଳର । ଏ କାହାଣୀ ଜଣେ ନାଟ୍ୟଗୁରୁ ଏବଂ ତାଙ୍କ ପତ୍ନୀଙ୍କ ଉପରେ ପର୍ଯ୍ୟବେସିତ । ଲକାଡାଉନ୍ ଘୋଷଣା ହେଉ ହେଉ ଏହା ଆରମ୍ଭ ହୋଇଥିଲା । ଲକଡାଉନ୍ ସରିନି, ହେଲେ କାହାଣୀ ଏବେ ଶେଷ ପର୍ଯ୍ୟାୟରେ । ପଥର ଭିତରୁ ବାହାରୁଛି ପାଣି, ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ନାଟ୍ୟଗୁରୁଙ୍କ ଲକଡାଉନ୍ କାହାଣୀ ।

ନାଁ- ଏକାଦଶି ଅଦାବର । ଘର- ବୌଦ୍ଧ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ରତନପୁର ଗାଁରେ । ପେଶାରେ ନାଟ୍ୟଗୁରୁ । ଗାଁ ଗାଁ ବୁଲି ପୌରାଣିକ ଓ କାଳ୍ପନିକ ନାଟକ ଶିଖାନ୍ତି । ଆଉ ସେଥିରୁ ଯେଉଁ ଦୁଇ ପଇସା ମିଳେ, ସେଥିରେ ପରିବାର ଚଳାନ୍ତି । ତେବେ ନାଟ୍ୟଗୁରୁଙ୍କ ଜୀବନରେ ସବୁଠୁ ବଡ଼ ସମସ୍ୟା ଥିଲା ପାଣି । ଘରେ କୂଅଟିଏ ନଥିବାରୁ ଏକ କିଲୋମିଟର ଦୂରକୁ ଯାଇ ପାଣି ଆଣିବାକୁ ପଡ଼ୁଥିଲା । ବାଡ଼ିରେ କୂଅଟିଏ ଖୋଳିବାକୁ ଇଚ୍ଛା ଥିଲା ସତ, ହେଲେ ଅର୍ଥ ସାଜିଥିଲା ବାଧକ । ସେମିତିରେ ବି ନାଟ୍ୟଗୁରୁ ପେଶାରେ ସବୁବେଳେ କାର୍ଯ୍ୟବ୍ୟସ୍ତତା । ଅନ୍ୟପଟେ ବହୁ ଦୂରରୁ ସ୍ତ୍ରୀ ପାଣି ଧରି ଆସୁଥିବା ଦୃଶ୍ୟ ମଧ୍ୟ ଏକାଦଶି ଅଦାବରଙ୍କୁ ଆନ୍ଦୋଳିତ କରୁଥିଲା ।

ଆଉ ଏସବୁ ଭିତରେ କୋରୋନା ମୁକାବିଲା କରିବାକୁ ଯାଇ ସମଗ୍ର ଦେଶକୁ ଲକଡାଉନ ଘୋଷଣା କରାଗଲା । ଗାଁ ଗାଁ ବୁଲି ନାଟକ ଶିଖାଉଥିବା ଏକାଦଶିଙ୍କୁ ମଧ୍ୟ ଘରେ ରହିବାକୁ ସମୟ ମିଳିଥିଲା । ତେବେ ସାମ୍ନାରେ ଗ୍ରୀଷ୍ଟ ଋତୁ । ଖରାଦିନର ଜଳକଷ୍ଟକୁ ଭଲ ଭାବରେ ବୁଝିଥିଲେ ଅଦାବର । ବାଡ଼ିରେ କୂଅ ଖୋଳିବାକୁ ନିଷ୍ପତ୍ତି ନେଇଥିଲେ ।
ବାଡ଼ି ସିନା ଟାଙ୍କରା ଥିଲା, ହେଲେ ନାଟ୍ୟଗୁରୁ ଏବଂ ତାଙ୍କ ସ୍ତ୍ରୀଙ୍କ ମନୋବଳ ବେଶ୍ ଅଧିକ ରହିଥିଲା । ଦୃଢ଼ ଇଚ୍ଛାଶକ୍ତି ଆଗରେ ଯେ ସବୁ ବାଧାବିଘ୍ନ ଦୂର ହୋଇଯାଏ, ଏକଥାକୁ କାମରେ କରି ଦେଖାଇଛନ୍ତି ନାଟ୍ୟଗୁରୁ ପରିବାର । ଶାବଳ, ଶେଣି, ଲୁହାର ହାମାର ଇତ୍ୟାଦି ସାହାଯ୍ୟରେ କୂଅ ଖୋଳୁଥିଲେ ଏକାଦଶି । ଆଉ ସ୍ୱାମୀଙ୍କ କାମରେ ସାହାଯ୍ୟ କରୁଥିଲେ ସ୍ତ୍ରୀ କାଞ୍ଚନ । ମୁଣ୍ଡରେ ପଥର ବୋହି ବାହାରେ ପକାଉଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, କୂଅ ଖୋଳା କାମରେ ଅନ୍ୟ କାହାର ମଧ୍ୟ ସହଯୋଗ ନେଇ ନ ଥିଲେ ।

ଲକଡାଉନ୍ ସରିନି, ହେଲେ ଟାଙ୍ଗାରା ଓ ପଥର ବଣି ସ୍ଥାନରେ ୨୦ ଫୁଟର କୂଅ ଖୋଳା କାମ ଗୋଟିଏ ପ୍ରକାର ସରିବାକୁ ବସିଛି । ପଥର ଭିତରୁ ଝରିଛି ପାଣି । ଆଉ ଦୁଇ ଫୁଟ ଖୋଳିବା ପରେ କୂଅରେ ନନ୍ଦ ପକାଇବେ ବୋଲି କହିଛନ୍ତି ନାଟ୍ୟଗୁରୁ ଦମ୍ପତି । ସେହିପରି, କୂଅ ଭିତରୁ ଯେଉଁ ପଥର ବାହାରିଛି, ତାହାକୁ ମଧ୍ୟ ମେଟାଲ କରି ବିକ୍ରି କରିବେ । ପାଣି ସମସ୍ୟା ତ ଦୂର ହେବ, ଆଉ ଏହା ସହ ମେଟାଲ ବିକ୍ରି କରି ଦୁଇ ପଇସା ରୋଜଗାର ବି ହୋଇଯିବ । ଏବେ ଆଉ ପାଣି ବୁନ୍ଦାଇ ପାଇଁ ମାଇଲ ମାଇଲ ଦୂର ଯିବକୁ ପଡ଼ିବନି ।
ଲକଡାଉନ୍ ୧.୦ରୁ ଲକଡାଉନ୍ ୪.୦ । ମାର୍ଚ୍ଚ ୨୫ରୁ ମଇ ୩୧ । କିଏ କେମିତି କଟାଉଛି ଦିନ । ନେତା, ଅଭିନେତାଙ୍କ ଲକଡାଉନ୍ ଜୀବନ ତ ଖବରରେ ଦେଖୁଛୁ । ହେଲେ ଜଣେ ନାଟ୍ୟଗୁରୁଙ୍କ ଏ ଲକଡାଉନ୍ କାହାଣୀ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ ।