ବୌଦ୍ଧ ହରଭଙ୍ଗା ଥାନା ସଙ୍କୁଲେଇ ପଞ୍ଚାୟତ ବିଶିପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଆଉ ଏହି ଦୃଶ୍ୟ ହିଁ କହୁଛି ଜିଲ୍ଲାର ଡିଣ୍ଡିମ ପିଟା ବିକାଶର ନଗ୍ନଚିତ୍ର ।
Trending Photos
ହିମାଂଶୁ ଶେଖର ସାହୁ, ବୌଦ୍ଧ: ଆମ୍ବୁଲାନ୍ସ ଯିବାକୁ ପ୍ରସ୍ତୁତ ଥିଲା ସତ, ହେଲେ ରାସ୍ତା ନଥିଲା । ଫଳରେ ୪ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହେଲେ ଭାଲୁ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ । ବୌଦ୍ଧ ହରଭଙ୍ଗା ଥାନା ସଙ୍କୁଲେଇ ପଞ୍ଚାୟତ ବିଶିପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଆଉ ଏହି ଦୃଶ୍ୟ ହିଁ କହୁଛି ଜିଲ୍ଲାର ଡିଣ୍ଡିମ ପିଟା ବିକାଶର ନଗ୍ନଚିତ୍ର ।
ସୂଚନା ମୁତାବକ, ଆଜି ଗ୍ରାମର ୬୫ ବର୍ଷିୟ ବୃଦ୍ଧ ଘାସିରାମ କର୍ମି ଶୌଚ ପାଇଁ ଯାଇଥିବା ବେଳେ ଜଙ୍ଗଲି ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ସେ ଗୁରୁତର ଆହତ ହୋଇପଡ଼ିଥିଲେ । ଯଦିଓ ବୃଦ୍ଧଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଆସିଥିଲା, ତେବେ ୪ କିଲୋମିଟର ଦୂରରେ ହିଁ ଅଟକି ରହିଥିଲା । କାହିଁକିନା ବର୍ଷା ଦିନେ ଗାଁ ରାସ୍ତା ଏପରି ଶୋଚନୀୟ ହୋଇପଡ଼ିଛି ଯେ, ଚାରି ଚକିଆ ଗାଡ଼ିଟିଏ ଭିତରକୁ ପଶିବା ସମ୍ଭବ ନଥିଲା ।
ଗୋଟିଏ ପଟେ ଭାଲୁ ଆକ୍ରମଣରେ ଛଟପଟ ହେଉଥିଲେ ବୃଦ୍ଧ, ଅନ୍ୟପଟେ କାଦୁଅ ରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ । ଶେଷରେ ବାଧ୍ୟହୋଇ ଖଟିଆରେ ୪ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧଙ୍କୁ ବୋହି ନେଇଥିଲେ ଗ୍ରାମବାସୀ । ପରେ ଆମ୍ବୁଲାନ୍ସ ଦ୍ୱାରା ଡାକ୍ତରଖାନା ନିଆଯାଇଥିଲା । ପ୍ରଥମେ ବୃଦ୍ଧଙ୍କୁ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ବୌଦ୍ଧ ଜିଲ୍ଲାରେ ଗମନା ଗମନର ଏହି ନଗ୍ନଚିତ୍ର ଆଜିର ନୁହେଁ । ବର୍ଷ ବର୍ଷ ଧରି ବର୍ଷା ଦିନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଲୋକେ । କାଦୁଅ ରାସ୍ତା ଦେଇ ଗାଁରୁ ସହରକୁ ଯିବା, ଅନେକ ଗ୍ରାମବାସୀଙ୍କ ପାଇଁ ନିତିଦିନିଆ ଘଟଣା ।