କେନ୍ଦ୍ରର ବଡ଼ ଘୋଷଣା: ପେଟ୍ରୋଲ-ଡିଜେଲ ପରେ ଶସ୍ତା ହେଲା LPG cylinder, ଉପକୃତ ହେବେ ୯ କୋଟି ପରିବାର
Advertisement

କେନ୍ଦ୍ରର ବଡ଼ ଘୋଷଣା: ପେଟ୍ରୋଲ-ଡିଜେଲ ପରେ ଶସ୍ତା ହେଲା LPG cylinder, ଉପକୃତ ହେବେ ୯ କୋଟି ପରିବାର

ଗତ ଏକ ମାସ ମଧ୍ୟରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇଛି। ମାର୍ଚ୍ଚରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ସପ୍ତାହେ ପୂର୍ବେ ଘରୋଇ LPG ଦର ୩.୫୦ ଟଙ୍କା ବୃଦ୍ଧି ଘଟିଛି। 

ପ୍ରତିକାତ୍ମକ ଫଟୋ

LPG cylinder : ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ପେଟ୍ରୋଲ-ଡିଜେଲ ପରେ LPG cylinder ଶସ୍ତା ହୋଇଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏଥିପାଇଁ ବର୍ଷକୁ ପ୍ରାୟ ୬୧୦୦ କୋଟି ଟଙ୍କା ରାଜସ୍ୱ ପ୍ରଭାବିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଗତ ଏକ ମାସ ମଧ୍ୟରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇଛି। ମାର୍ଚ୍ଚରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ସପ୍ତାହେ ପୂର୍ବେ ଘରୋଇ LPG ଦର ୩.୫୦ ଟଙ୍କା ବୃଦ୍ଧି ଘଟିଛି। ଏହି ବୃଦ୍ଧି ସାରା ଦେଶରେ ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହୋଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୩ ଟଙ୍କା, କୋଲକାତାରେ ୧୦୨୯ ଟଙ୍କା ଏବଂ ଚେନ୍ନାଇରେ ୧୦୧୮.୫ ଟଙ୍କା ରହିଛି। ଏହାରି ଭିତରେ ଉଜ୍ଜଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି।

Also Read: Ujjwala Yojana: ଦ୍ୱିତୀୟ ଥର ସିଲିଣ୍ଡର ଭରିନାହାନ୍ତି ୯୦ ଲକ୍ଷ ହିତାଧିକାରୀ

 

ଶନିବାର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, 'ଜରୁରୀ ଜିନିଷଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଆନ୍ତର୍ଜାତୀୟ ପରିସ୍ଥିତି ସତ୍ତ୍ୱେ ଆମେ ନିଶ୍ଚିତ କରିଛୁ ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନାହିଁ। ଆମ ସରକାର ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ। ଫଳସ୍ୱରୂପ, ଆମର କାର୍ଯ୍ୟକାଳ ମଧ୍ୟରେ ହାରାହାରି ମୁଦ୍ରାସ୍ଫୀତି ପୂର୍ବ ସରକାରଙ୍କ ତୁଳନାରେ କମ୍ ରହିଆସିଛି' ବୋଲି ସୀତାରମଣ ଏକ ଟ୍ୱିଟ୍‌ରେ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଅଗଷ୍ଟ ୨୦୨୧ରେ ଉତ୍ତର ପ୍ରଦେଶର ମହୋବାଠାରେ ଉଜ୍ଜଳା ୨.୦ ଲଞ୍ଚ କରିଥିଲେ। Ujjwala 2.0 ରେ, ପ୍ରବାସୀ ଶ୍ରମିକଙ୍କୁ ବିନା ପ୍ରମାଣ ପତ୍ରରେ ମାଗଣାରେ ସିଲିଣ୍ଡର ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୬ରେ Ujjwala 1.0 ଯୋଜନା ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ବିପିଏଲ୍ ପରିବାରର ପାଞ୍ଚ କୋଟି ମହିଳା ସଦସ୍ୟଙ୍କୁ ଏଲପିଜି ସଂଯୋଗ ଯୋଗାଇବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପରବର୍ତ୍ତୀ ସମୟରେ, ଏପ୍ରିଲ୍ ୨୦୧୮ରେ ଏହି ଯୋଜନାରେ SC / ST, PMAY, AAY ପରି ଆହୁରି ସାତୋଟି ବର୍ଗର ମହିଳା ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଗଲା। 

ସୂଚନାଯୋଗ୍ୟ, କୋରୋନା ମହାମାରୀ ପରଠାରୁ ଅନେକ ଉଜ୍ଜଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସବସିଡି ଟଙ୍କା ଆସୁନଥିବା ଅଭିଯୋଗ ହୋଇଛି। ଚଳିତମାସରେ କେତକଙ୍କ ଖାତାକୁ ସବସିଡି ବାବଦକୁ ମାତ୍ର ୧୬ ଟଙ୍କା ଆସିଛି। ଗତ ଆର୍ଥିକ ବର୍ଷରେ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରମୁଖ ଯୋଜନା 'ଉଜ୍ୱଳା'ରେ ପ୍ରାୟ ୯୦ ଲକ୍ଷ ହିତାଧିକାରୀ ଆଉ ଦ୍ୱିତୀୟ ଥର ସିଲିଣ୍ଡର ଭର୍ତ୍ତି କରିନାହାଁନ୍ତି। ଇଂରାଜୀ ଖବରକାଗଜ 'ହିନ୍ଦୁ' ନିଜର ସ୍ୱତନ୍ତ୍ର ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗତ ଆର୍ଥିକ ବର୍ଷରେ ପ୍ରାୟ ଏକ କୋଟି ହିତାଧିକାରୀ କେବଳ ଥରେ ମାତ୍ର ସିଲିଣ୍ଡର ଭର୍ତ୍ତି କରିଛନ୍ତି।

Also Read: Fuel Price Reduced: ପେଟ୍ରୋଲ-ଡିଜେଲ ଉପରୁ କେନ୍ଦ୍ର Excise Duty ହ୍ରାସ କରିବା ପରେ ରାଜ୍ୟ କମାଇଲା ଟିକସ

ସୂଚନା ଅଧିକାର ବଳରେ ମଗାଯାଇଥିବା ତଥ୍ୟରେ ଇଣ୍ଡିଆନ ଅଏଲ କହିଛି ଯେ, ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଆଯାଇଥିବା ସଂଯୋଗ ମଧ୍ୟରୁ ୬୫ଲକ୍ଷ ହିତାଧିକାରୀ ଗତ ଆର୍ଥିକ ବର୍ଷରେ ସିଲିଣ୍ଡର ରିଫିଲ୍ କରିନାହାନ୍ତି । ଏଥିସହିତ ହିନ୍ଦୁସ୍ତାନ ପେଟ୍ରୋଲିୟମର ୯.୧ ଲକ୍ଷ ହିତାଧିକାରୀ  ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମର ୧୫.୯୬ ଲକ୍ଷ ହିତାଧିକାରୀ ସେମାନଙ୍କ ସିଲିଣ୍ଡର ଭର୍ତ୍ତି କରିନାହାନ୍ତି। ଭାରତ ପେଟ୍ରୋଲିୟମ କର୍ପୋରେସନ ସ୍ପଷ୍ଟ କରିଛି ଯେ, ସେପ୍ଟେମ୍ୱର ୨୦୧୯ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୧୫.୯୬ ଲକ୍ଷ ହିତାଧିକାରୀ ଗ୍ୟାସ ସଂଯୋଗ ପାଇଥିଲେ। ଯେଉଁ ହିତାଧିକାରୀମାନେ କେବଳ ଥରେ ସିଲିଣ୍ଡର ଭର୍ତ୍ତି କରିଛନ୍ତି, ସେମାନଙ୍କ ମଧ୍ୟରେ ୫୨ ଲକ୍ଷ ଇଣ୍ଡିଆନ ଅଏଲ କର୍ପୋରେସନ, ୨୭.୫୮ ଲକ୍ଷ ହିନ୍ଦୁସ୍ଥାନ ପେଟ୍ରୋଲିୟମ, ଏବଂ ଭାରତ ପେଟ୍ରୋଲିୟମର ୨୮.୫୬ ଲକ୍ଷ ହିତାଧିକାରୀ ରହିଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚରେ ମୋଦି ସରକାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଉଜ୍ୱଳା ଯୋଜନା ଅଧୀନରେ ପ୍ରତିବର୍ଷ କେବଳ ୩.୬୬ ଏଲପିଜି ସିଲିଣ୍ଡର ରିଫିଲ କରାଯାଉଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନା ଅଧୀନରେ ୨୦୨୦ ମସିହା ଏପ୍ରିଲ ୧ରୁ ୨୦୨୦ ଡିସେମ୍ୱର ୩୧ ପର୍ଯ୍ୟନ୍ତ ତିନିଥର ମାଗଣା ଗ୍ୟାସ ଦେଇଥିଲେ। ଏବେ ସରକାର ବର୍ଷକୁ ୧୨ଟି ସିଲିଣ୍ଡରରେ ୨୦୦ ଟଙ୍କା ଲେଖାଏଁ ସବସିଡି ଦେବେ। ତେବେ ଏହି ସୁବିଧା କେତେ ମାସ ଯାଏଁ ଲାଗୁ ରହିବ ତାହା ସ୍ପଷ୍ଟ ହୋଇନାହିଁ।