Trending Photos
ନୂଆଦିଲ୍ଲୀ: କାନାଡାରେ ସରିଯାଇଛି ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣିଥରେ କ୍ଷମତାକୁ ଫେରିବାର ସମ୍ଭାବନା ରହିଛି । ସୋମବାର ଏହି ସଂସଦୀୟ ନିର୍ବାଚନରେ ଲିବରାଲ ପାର୍ଟି ଓ କନଜର୍ଭେଟିଭ ପାର୍ଟି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।
କାନାଡାର ଜାତୀୟ ଗଣମାଧ୍ୟମ ଅନୁସାରେ, ଲିବରାଲ ପାର୍ଟି ଅଫ କାଡାନା ସଂଖ୍ୟା ଗରିଷ୍ଠତା ନ ପାଇଲେ ମଧ୍ୟ ସରକାର ଗଢିବ । କାରଣ ଦଳ ୩୩୮ ନିର୍ବାଚନୀ ଜିଲ୍ଲାରୁ ୧୫୬ଟିରେ ଜିତିଛି ବା ଆଗକୁ ଚାଲିଛି । ଅନ୍ୟପକ୍ଷେ ତାଙ୍କ ପ୍ରତିଦ୍ୱନ୍ଦୀ ଏଣ୍ଡ୍ରୁ ଶୀର ଓ ତାଙ୍କ ଦଳ କନଜର୍ଭେଟିଭ ପାର୍ଟି ୧୨୨ଟି ଆସନରେ ଜିତିଛି ବା ଆଗକୁ ଚାଲିଛି ।
ନିଜର ପ୍ରଥମ କାର୍ଯ୍ୟକାଳର ଚାରି ବର୍ଷ କାନାଡା ରାଜନୀତିରେ ଲୋକପ୍ରିୟ ରହିଥିବା ଟ୍ରୁଡୋଙ୍କୁ ୪୦ ଦିନର ନିର୍ବାଚନୀ ପ୍ରଚାରରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଚଳିତ ନିର୍ବାଚନର ପ୍ରଚାରକୁ କାନାଡା ଇତିହାସରେ ସବୁଠାରୁ ନିମ୍ନସ୍ତରର ବୋଲି କୁହାଯାଉଛି । ଏହାପୂର୍ବରୁ କାନାଡାର ଟିଭି ଚ୍ୟାନେଲଗୁଡିକରେ ଟ୍ରୁଡୋ ପୁଣିଥରେ କ୍ଷମତାକୁ ଫେରିବେ ବୋଲି ଅନୁମାନ କରିଥିଲେ ।
୨୦୧୫ରେ ୪୭ ବର୍ଷୀୟ ଟ୍ରୁଡୋ କାନାଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ପିତା ପୂର୍ବତନ ପ୍ରଧାନମନ୍ତ୍ରୀ ପିୟର ଟ୍ରୁଡୋଙ୍କ ଅସୀମ ଲୋକପ୍ରିୟତାକୁ ଆଗକୁ ବଢାଇ ସେ ୨୦୧୫ର ନିର୍ବାଚନ ଜିତିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଦୁର୍ନୀତି ଓ ଲୋକଙ୍କ ଆଶା ତାଙ୍କ ବିଜୟ ପଥରେ ବାଧା ସାଜିଥିଲା । ତେଣୁ ତାଙ୍କୁ ପୂର୍ଣ୍ଣ ବହୁମତ ମିଳିନାହିଁ ।