• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

ରାଜଧାନୀରେ ବ୍ୟାଙ୍କ ଡକାୟତି ଘଟଣା: ଯେଉଁ ବ୍ୟାଙ୍କରୁ ଚୋରି, ସେହି ବ୍ୟାଙ୍କରେ ଋଣ ପରିଶୋଧ

ବ୍ୟାଙ୍କ ଯିବା ସମୟରେ ଡକାୟତିରେ ବ୍ୟବହାର ହେଲମେଟ୍ ଓ ସ୍କୁଟିକୁ ନେଇ ଯାଇଥିଲା ।  

ରାଜଧାନୀରେ ବ୍ୟାଙ୍କ ଡକାୟତି ଘଟଣା: ଯେଉଁ ବ୍ୟାଙ୍କରୁ ଚୋରି, ସେହି ବ୍ୟାଙ୍କରେ ଋଣ ପରିଶୋଧ

ସରୋଜ ବେହେରା, ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଘଟଣାରେ ସମ୍ପୃକ୍ତ ସୌମ୍ୟ ରଂଜନ ଜେନା ଓରଫ ଲିଟୁକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ଼ । ଅଭିଯୁକ୍ତଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା, ପିସ୍ତଲ ଓ ଡକାୟତିରେ ବ୍ୟବହାର ହୋଇଥିବା ଡ୍ରେସ ଓ ଗାଡି ଜବତ ହୋଇଛି । ଲକଡାଉନ ବେଳେ ବ୍ୟାଙ୍କ ଋଣ ସୁଝିବା ପାଇଁ ସୌମ୍ୟ ଡକାୟତି କରିଥିବା ପୋଲିସ ଜଣିବାକୁ ପାଇଛି ।  

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ବ୍ୟାଙ୍କରୁ ଅଭିଯୁକ୍ତ ଲୁଟ୍ କରିଛି ସେହି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି ଓ ଲୁଟ ଟଙ୍କାକୁ ସେହି ବ୍ୟାଙ୍କରେ ସେ ଜମା ମଧ୍ୟ କରିଛି । ଲୁଟ କରିବା ପୂର୍ବରୁ ୟୁଟ୍ୟୁବରୁ ଲୁଟର ତରିକା ଶିଖିଥିଲା ଅଭିଯୁକ୍ତ ସୌମ୍ୟ ରଂଜନ । ହେଲେ କୁହାଯାଏ ଚୋର ଭାଗ୍ୟ ସବୁ ବେଳେ ଟାଣ ନ ଥାଏ । ଅନଭିଜ୍ଞ ଡକାୟତକୁ ଧରାଇ ଦେଇଥିଲା ସେ ବ୍ୟବହାର କରୁଥିବା ହେଲମେଟ୍ । ପ୍ରଥମ ଥର ପାଇଁ ଡକାୟତି କରିବା ପରେ ବରିମୁଣ୍ଡ ବ୍ୟାଙ୍କରେ ଥିବା ଋଣ ଶୁଝିବାକୁ ଯାଇଥିଲା ସୌମ୍ୟ ।  

ବ୍ୟାଙ୍କ ଯିବା ସମୟରେ ଡକାୟତିରେ ବ୍ୟବହାର ହେଲମେଟ୍ ଓ ସ୍କୁଟିକୁ ନେଇ ଯାଇଥିଲା । ଯାହାର ସିସିଟିଭି ଫୁଟେଜ ଲାଗିଥିଲା ସ୍ପେଶାଲ ସ୍କ୍ୱାର୍ଡ ହାତରେ । ଡକାୟତିର ୧୫ ଦିନ ପୂର୍ବରୁ ସବୁ ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ ବେଳେ ସୌମ୍ୟ ବ୍ୟାଙ୍କ ଆସି ୬୦ ହଜାର ଟଙ୍କା ଋଣ ଟଙ୍କା ଶୁଝିଥିଲା । ପୂର୍ବରୁ ଟଙ୍କା ଦେଇ ପାରୁନଥିବା ସୌମ୍ୟ ପାଖରେ ହଠାତ୍ ଏତେ ଟଙ୍କା କିଭଳି ଆସିଲା ତାହାକୁ ନେଇ ପୁଣି ତନାଘନା ପରେ ସବୁ ତଥ୍ୟ ପଦାକୁ ଆସିଥିଲା । ଜେରା ବେଳେ ସବୁ କଥା ଓଗାଳିଥିଲା ସୌମ୍ୟ ।   

ପ୍ରଥମ ଥର ପାଇଁ  ମାସକରେ ୨ ଦୁଇଟି ବ୍ୟାଙ୍କ ଡକାୟତି । ନିଦ ହଜି ଯାଇଥିଲା କମିଶନରେଟ ପୋଲିସର । ବ୍ୟାଙ୍କରୁ ହାତ ସଫା କରି ଲୁଟି ନେଉଥିବା ଭିଜୁଆଲ କଏଦ ହେଉଥିଲା ସିସିଟିଭିରେ । ୨୦ ଦିନ ଭିତରେ ଲୁଟ ହେଇଛି ପ୍ରାୟ ୧୨ ଲକ୍ଷ ଟଙ୍କା । ଲୁଟ ପରେ ତଦନ୍ତ ଭାର ନେଇଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ତଦନ୍ତ ବେଳେ ସମ୍ପୂର୍ଣ୍ଣ ଅସ୍ପଷ୍ଟ ଥିବା ମାମଲାରେ ଘଟଣା ସ୍ଥଳରୁ ଆରମ୍ଭ କରିଥିଲେ ତଦନ୍ତ ।  

ତଦନ୍ତର ସପ୍ତାହକ ପରେ ପୋଲିସ ପାଇଥିଲା ସୁରାକ । ଡକାୟତ କୌଣସି ବାହାର ରାଜ୍ୟର ନୁହଁ ବରଂ ସେହି ଅଞ୍ଚଳର କେହି ଜଣେ । ସେ ସବୁକୁ ନେଇ ସ୍ପେଶାଲ ସ୍କ୍ୱାର୍ଡ ତାହାର ତଦନ୍ତକୁ ଆହୁରି ଜୋରଦାର କରିଥିଲା । ଆଉ ଶେଷରେ ପହଞ୍ଚିଥିଲା ମଞ୍ଚେଶ୍ୱର ଥାନା ଟଙ୍ଗୀ ବନ୍ତ ଗାଁର ସୌମ୍ୟ ରଂଜନ ଜେନାଙ୍କ ପାଖରେ । ପୋଲିସର ତଦନ୍ତ ବେଳେ ସବୁ ସତ କଥା ବଖାଣି ଥିଲା ସୌମ୍ୟ । ଋଣ ଶୁଝିବାକୁ ସେ ଡକାୟତି କରିଥିବା ସ୍ୱିକାର କଲା ସୌମ୍ୟ । ଲୁଟ ଟଙ୍କାରୁ ସୌମ୍ୟ ଗୋଟାଏ ବନ୍ଧୁକ କିଣିଥିବା ବେଳେ ୬୦ ହଜାର ଟଙ୍କା ବ୍ୟାଙ୍କ ଋଣ ମଧ୍ୟ ଶୁଝିଥିଲା ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।  

ଅଭିଯୁକ୍ତ ସୌମ୍ୟର ମଞ୍ଚେଶ୍ୱର ଟାଙ୍ଗୀ ବନ୍ତ ଗାଁରେ ରହିଛି ଏକ ଲୁଗା ଶୋ ରୁମ । କିଛି ବର୍ଷ ତଳେ ବ୍ୟାଙ୍କରୁ ସେ ନେଇଥିଲା ୧୯ ଲକ୍ଷ ଟଙ୍କାର ଋଣ । ଲକ ଡାଉନ ବେଳେ ସେ ଋଣ ଟଙ୍କା ଶୁଝି ପାରି ନ ଥିଲା । ଫଳରେ ଲୁଟ ପାଇଁ ସେ ଯୋଜନା ଆରମ୍ଭ କରିଥିଲା । ଏଥିପାଇଁ ୟୁଟ୍ୟୁବର ସହାୟତା ନେଇଥିଲା ସୌମ୍ୟ । କିଭଳି ଡକାୟତି କଲେ ପୋଲିସ ତାଙ୍କୁ ଧରି ପାରିବ ନାହିଁ ତାହାକୁ ନେଇ ସେ ରଚିଥିଲା ପ୍ଲାନ । ନିଜ ଦୋକାନରୁ କଳା ଡ୍ରେସ ନେଇ ଆରମ୍ଭ କରିଥିଲା ଡକାୟତି ।  

ପ୍ରଥମେ ଇନଫୋସିଟିର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଓ ପରେ ବରିମୁଣ୍ଡର ବ୍ୟାଙ୍କ ଅଫ ଇଣ୍ଡିଆରେ କରିଥିଲା ହାତ ସଫା । ସୌମ୍ୟଙ୍କ ଶୋରୁମ ଥିବା ବେଳେ ପୂର୍ବରୁ ତାଙ୍କର କୌଣସି ଅପରାଧିକ ରେକର୍ଡ ନ ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତ ସୌମ୍ୟକୁ ସେ ସମସ୍ତ ବ୍ୟାଙ୍କକୁ ନେଇ ଡେମୋ କରିଛି ପୋଲିସ ।   କିଭଳି ଡକାୟତି କରିଥିଲେ ତାହା ଅଭିଯୁକ୍ତ ନିଜେ ବଖାଣିଛି । ସ୍ଥାନୀୟ ଗାଁ ଲୋକେ ମଧ୍ୟ ସୌମ୍ୟର ଏଭଳି କାର୍ଯ୍ୟକଳାପ ଉପରେ ବିଶ୍ୱାସ କରିପାରୁନାହାନ୍ତି ।