• ଦେଶରେ ଆଜି ୩ ହଜାର ୮୭୬ କୋରୋନା ଆକ୍ରାନ୍ତ ମୃତ
  • ଦିନକରେ ୩ ଲକ୍ଷ ୨୯ ହଜାର ୯୪୨ ଆକ୍ରାନ୍ତ ଚିହ୍ନଟ
  • ଅକ୍ସିଜେନ ଅଭାବରୁ ତିରୁପତି ସ୍ଥିତ ହସ୍ପିଟାଲରେ ୧୧ କୋରୋନା ରୋଗୀ ମୃତ
  • ଭାରତରେ ବ୍ୟାପୁଥିବା କୋଭିଡ୍‌ ଭୂତାଣୁକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ପ୍ରକଟ
  • ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮ ଜଣଙ୍କ ଜୀବନ ନେଲା କୋରୋନା
  • । ଆଜି ଆଉ ୯ ହଜାର ୭୯୩ କୋରୋନା ଆକ୍ରାନ୍ତ ଚିହ୍ନଟ, ୯,୭୦୬ ସୁସ୍ଥ
  • ଜାମ୍ମୁ ଓ କାଶ୍ମୀର: ଅନନ୍ତନାଗର କୋକେରନାଗରେ ଆତଙ୍କବାଦୀ-ଯବାନଙ୍କ ମଧ୍ୟରେ ଗୁଳିବିନିୟମ
  • ଲସ୍କର-ଇ-ତୋଇବାର ୩ ଆତଙ୍କବାଦୀ ଗିରଫ
  • ଆଜିଠୁ ସମଗ୍ର ଉତ୍ତରାଖଣ୍ଡରେ ଲାଗୁ ହେଲାକୋଭିଡ କର୍ଫ୍ୟୁ
  • କୋରୋନା ଟିକା ଉପରୁ ଟିକସ ଉଠାଇବା ପାଇଁ ରାଜ୍ୟ ସରକାରଙ୍କ ଦାବି

କୋରୋନା ସମୟରେ କିଶୋର ଓ କିଶୋରୀ ସଶକ୍ତିକରଣ ପାଇଁ ଆହ୍ୱାନ

ମହାମାରୀ କୋରୋନା !

କୋରୋନା ସମୟରେ କିଶୋର ଓ କିଶୋରୀ ସଶକ୍ତିକରଣ ପାଇଁ ଆହ୍ୱାନ

ବିଭୂତି ଭୂଷଣ ବେହେରା, ନୂଆଦିଲ୍ଲୀ: ମହାମାରୀ କୋରୋନା ! ବିପତ୍ତି ଓ ବିପର୍ଯ୍ୟୟର ନୂଆରୂପରେ ନୂଆନାମରେ ଉଭା ହୋଇଛି I ଯଦିଓ ଏହି କୋରୋନା ଆଜି ଆମକୁ ବିଭିନ୍ନ ଦିଗରୁ ଅସୁବିଧାରେ ପକାଉଛି, ତଥାପି ଆମକୁ ଆଗକୁ ବଢିବା ପାଇଁ ଅନେକ ଆହ୍ୱାନ ଦେଉଛି I ହୁଏତ ମାନବସମ୍ବଳର ସୁରକ୍ଷାକୁ ସୁନିଶ୍ଚିତ କରିବାପାଇଁ ସରକାରୀସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି, କିନ୍ତୁ ଗତଦିନରେ କିଛି ଚିରାଚରିତ ସମସ୍ୟା ଯେପରିକି; ଶିଶୁ ଶ୍ରମିକ, ନାବାଳିକା ଓ ଯୁବତୀ ଚାଲାଣ, ମହିଳାଙ୍କୁ କର୍ମକ୍ଷେତ୍ରରେ ନିର୍ଯାତନା ଆଦି ସମସ୍ୟା ସବୁ ଆପେଆପେ ଅଟକି ଯାଇଛି ଯେମିତି I କୋରୋନା କବଳରୁ ମୁକ୍ତିସନ୍ଧାନ କରୁକରୁ ଆମପାଇଁ ଦେଶାନ୍ତର ଏକ ସମ୍ବେଦନଶୀଳ ସମସ୍ୟା ହୋଇ ଆମ ସମ୍ମୁଖରେ ଦଣ୍ଡାୟମାନ ହୋଇଛି  I ଦେଶାନ୍ତରୀମାନଙ୍କ ଭିତରେ କେବଳ ବୟସ୍କ ଅଛନ୍ତି ତା ନୁହେଁ, ବରଂ ଏମାନଙ୍କ ମଧ୍ୟରେ ମହିଳା, କିଶୋର-କିଶୋରୀ, ଯୁବକ ଓ ଶିଶୁମାନେ ମଧ୍ୟ ରହିଛନ୍ତି I ଦେଶାନ୍ତର ଯୋଗୁଁ ଯେଉଁ ସମସ୍ୟା ସୃଷ୍ଟି ହୁଏ ତାହା ଅଙ୍ଗେ ନିଭାଇ ନଥିବା ବ୍ୟକ୍ତିମାନେ ହୁଏତ ଅନୁଭବ କରିପାରିବେ ନାହିଁ I 

ଏହାଛଡା କେବଳ ଯେ ସେଠାରେ ପୁରୁଷ ଜଣକ ଦୁଃଖ-କଷ୍ଟରେ ରହୁଛନ୍ତି ତାହା ନୁହେଁ, ମହିଳା, କିଶୋର-କିଶୋରୀ ଓ ଶିଶୁମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖିନ ହୁଅନ୍ତି I ଯଦି କିଶୋର ବା କିଶୋରୀ ଜଣକ ନିଜ ପରିବାର ସହିତ ଦେଶାନ୍ତରୀ ହୋଇଥାଏ, ତେବେ ଯେତିକି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ପରିବାର ପାଖରେ ନଥିଲେ ଆହୁରି ଅଧିକ ଅସୁବିଧାକୁ ନିତିଦିନ ଦେଖନ୍ତି ଓ ସମ୍ମୁଖିନ ହୋଇ ଜୀବନ ଜିଇଁ ଚାଲିଛନ୍ତି I କୋରୋନା ଯୋଗୁଁ ଆଜି ପ୍ରାୟ ପ୍ରତ୍ୟେକ ଘରେ ସମସ୍ତ ସଦସ୍ୟ ଅଛନ୍ତି I ଯଦିଓ ଅନେକ ପରିବାର ନିଜ ଭିଟାମାଟି ଜନ୍ମସ୍ଥାନକୁ ଫେରି ନାହାଁନ୍ତି; ତଥାପି, ଯେଉଁମାନେ ପହଞ୍ଚିଛନ୍ତି ସେମାନଙ୍କର ପରିବାରର ସମସ୍ତ ସଦସ୍ୟ/ସଦସ୍ୟା ବର୍ତ୍ତମାନ ଏକାଠି ଅଛନ୍ତି I ଯଦିଓ ଅନେକ ଆସି ପହଞ୍ଚିଗଲେଣି ବା ଆଗାମୀ ଦିନରେ ପହଞ୍ଚିପାରନ୍ତି । ସେହି ନିର୍ଦିଷ୍ଟ ମାନବସମ୍ବଳର ଉପଯୁକ୍ତ ଯତ୍ନ ଓ ସୁରକ୍ଷାକୁ ସଠିକ ଭାବରେ ସୁନିଶ୍ଚିତ କରିପାରିଲେ ଆମେ ନିଶ୍ଚୟ ଆମ ପରପିଢିକୁ ସୁରକ୍ଷିତ ରଖିପାରିବା I

ଶିଶୁ ମାନଙ୍କ ଉପରେ ଗବେଷଣା କରୁଥିବା ରତ୍ନେଶ୍ୱର ସାହୁଙ୍କ ମୁତାବକ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କିଛି ନିର୍ଦ୍ଦିଷ୍ଟ ଦିଗପ୍ରତି ଆମେ ଅଧିକ ଧ୍ୟାନ ଦେବାକୁ ପଡିବ I ପ୍ରଥମତଃ ଆମେ ପଥରେ ସେହି ମହିଳା, କିଶୋରୀ, କିଶୋର, ଶିଶୁ ଓ ଯୁବକଙ୍କୁ ଚିହ୍ନଟ କରିବାକୁ ପଡିବ I ସେମାନଙ୍କର କାମ, ଦକ୍ଷତାକୁ ମାପି ସେମାନଙ୍କୁ ବିଭିନ୍ନ ଦକ୍ଷତା ବିକାଶ ତାଲିମ ପ୍ରକ୍ରିୟାରେ ସାମିଲ କରିବାକୁ ପଡିବ I ଅନେକ ସମୟରେ ମଧ୍ୟ ଦେଖାଯାଉଛି ଯେ, କିଶୋର ଓ କିଶୋରୀମାନେ ସଙ୍ଗରୋଧ ଅବଧି ସାରି ଗାଁକୁ ଫେରିଲେ ସେଠାରେ ମଧ୍ୟ ଗାଁ ଲୋକେ ସେମାନଙ୍କୁ ସହଜରେ ଗ୍ରହଣ କରୁ ନାହାଁନ୍ତି । ଏପରିକି ସେମାନଙ୍କ ପରିବାରକୁ କିଛି ସ୍ଥାନରେ ସାମାଜିକ ବାସନ୍ଦର ସମ୍ମୁଖୀନ ହେବାକୁ ପଡୁଛି I ଏହି ପରିପ୍ରେକ୍ଷୀରେ କିଶୋର ଓ କିଶୋରୀଙ୍କୁ ସୁରକ୍ଷା ଦେବାକୁ ପଡିବ ଓ ଗ୍ରାମସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡିବ I

ଦ୍ଵିତୀୟତଃ ସେମାନଙ୍କ କର୍ମନିଯୁକ୍ତି ପାଇଁ ଆବଶ୍ୟକ କୁଟୀରଶିଳ୍ପ ଦ୍ୱାରା ରୋଜଗାରର ସୁଯୋଗ ସୃଷ୍ଟି କରିବା ସହିତ ନିୟମିତ ଏହି  ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ପଡିବ I ଶିଶୁ ଓ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସମନ୍ୱିତ ଶିଶୁ ବିକାଶ ସେବାକୁ ଅଧିକ କ୍ରିୟାଶୀଳ କରିବାକୁ ହେବ I ୬ମାସରୁ ୩ବର୍ଷର ଶିଶୁମାନଙ୍କ ପାଇଁ ସରକାର ପୁଷ୍ଟିକର ଖାଦ୍ୟଯୋଗାଣ ବ୍ୟବସ୍ଥା ଦ୍ୱାରା ଖାଦ୍ୟ ଯୋଗାଇ ଆସୁଛନ୍ତି, ଠିକ ସେହିପରି ୩ ରୁ ୬ ବର୍ଷର ଶିଶୁ ମାନଙ୍କୁ ପ୍ରାକ ବିଦ୍ୟାଳୟ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଇଛନ୍ତି, କିଶୋରୀଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା, ଲୌହ ବଟିକା ବିତରଣ ମାଧ୍ୟମରେ ସୁସ୍ଥ ଶରୀର ପ୍ରତି ଗୁରୁତ୍ୱ ଦିଆଯାଉଛି I ଏଗୁଡିକୁ ଆଜି ଆମ ସମସ୍ତଙ୍କୁ ତଦାରଖ କରିବାକୁ ପଡିବ ଯେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକ ମାନଙ୍କ ଖାଦ୍ୟ ସୁରକ୍ଷା, ପୁଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ମାଧ୍ୟମରେ ଯେଊଁ ସୁବିଧା ଗୁଡିକ ଦେଇ ଆସୁଛନ୍ତି ତାହା ସଠିକ ସମୟରେ ଓ ଉପଯୁକ୍ତ ପରିମାଣର ପହଞ୍ଚିବ I ଆଜି ସମସ୍ତଙ୍କର ଏହି ଗୁରୁଦାୟିତ୍ୱ ରହିଛି ତେଣୁ ଆଗାମୀ ପିଢି କିପରି ଏକ ସୁସ୍ଥ ସମାଜ ପାଇଁ ବାଟ ଦେଖାଇବ ତାହା ସୁନିଶ୍ଚିତ କରାଇବା ପାଇଁ ଆମ ସମସ୍ତଙ୍କୁ ଆଗକୁ ଆସିବାକୁ ପଡିବ I

ପୁର୍ବରୁ ସମସ୍ତଙ୍କ ଅଭିଜ୍ଞତା ରହିଛି ଯେ, ଯେତେବେଳେ ବି କୌଣସି ବିପର୍ଯ୍ୟୟ ଆସିଛି ତାହା ଦେଶାନ୍ତର, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ମହିଳା ଚାଲାଣ, ଯୁବତୀ ଚାଲାଣ ଭଳି ସମସ୍ୟାକୁ ଆଗକୁ ନିଏ I ଆଜି ଯଦି ସମସ୍ତେ ଏକଜୁଟ ନ ହେବା, ତେବେ ଆଗାମୀ ଦିନରେ ଏହିଭଳି ସମସ୍ୟାକୁ ବୃଦ୍ଧି ହେବାର ନିଶ୍ଚିତ ଦେଖିବା I ଯାହାକି ଆମ ଦେଶ ଜାତି ପାଇଁ ଆଦୌ ଗ୍ରହଣୀୟ ନୁହେଁ ।

କୋରୋନା ଯୋଗୁଁ ଆଜି ଶିଶୁର ୪ଟି ଅଧିକାର ବାଧାପ୍ରାପ୍ତ, ସେ ନିଜକୁ ସୁରକ୍ଷିତ ବୋଲି ଅନୁଭବ କରି ପାରୁନି, ନିଜେ କୌଣସି ବିଷୟରେ ଭାଗନେଇ ନିଜର ମତ ରଖି ପାରୁନାହିଁ, ନିଜର ସ୍ୱାସ୍ଥ୍ୟର ଯତ୍ନ ସଠିକ ଭାବେ ନେଇ ପାରୁନାହିଁ । ଶିକ୍ଷା ଗ୍ରହଣ ମଧ୍ୟ ସମଭାବରେ ବିପର୍ଯ୍ୟସ୍ତ । ଯଦିଚ ଆଜି ଦିନରେ ଶିଶୁମାନଙ୍କ ପାଇଁ WHATSAPP, ମୋବାଇଲ ଭିଡିଓ ଓ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମରେ ଅନଲାଇନ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯାଇଛି, ତଥାପି ଅନେକ ଛାତ୍ରଛାତ୍ରୀ ଅନଲାଇନ ପାଠ ପଢିବା ପାଇଁ ସୁଯୋଗ ପାଉ ନାହାଁନ୍ତି । ସେଗୁଡିକ ପଛରେ ଅନେକ କାରଣ ରହିଛି; କେଊଁଠି ନେଟୱର୍କ ନାହିଁ, ତ କେଉଁଠି ପିଲା ପାଖରେ ମୋବାଇଲ ନାହିଁ I ପରିବାରର ପ୍ରାଥମିକତା ଓ ପ୍ରାସଙ୍ଗିକତା ମଧ୍ୟ ଅଲଗା ଅଲଗା । ତେଣୁ ପିଲାମାନେ ପଢିବେ କିପରି ତାହା ସମାଜ ପାଇଁ ମଧ୍ୟ ଅନ୍ୟଏକ ପ୍ରମୁଖ ଆହ୍ୱାନ I 

ଏହା ଆମେ ଜାଣିଛନ୍ତି ଯେ, ଯେତେବେଳେ ଛାତ୍ରଛାତ୍ରୀ  ନିଜକୁ ପଢିବାରେ, ଖେଳିବାରେ ବା କିଛି ଶିଖିବା କାର୍ଯ୍ୟରେ ନ ଲଗାନ୍ତି, ସେତେବେଳେ ସେମାନେ ନିଜେ ମାନସିକ ଭାବରେ ବହୁପଛକୁ ଫେରି ଯାଆନ୍ତି I ଅନେକ ଛାତ୍ରଛାତ୍ରୀ ନିଜ ଶିକ୍ଷକଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି, ଯଦିଓ ନିଜ ପିତାମାତା ଅଧିକ ଶିକ୍ଷିତ ଥାନ୍ତି । ନିଜ ବିଦ୍ୟାଳୟର ଶିକ୍ଷକ ଯାହା କୁହନ୍ତି ତାକୁ ହିଁ ସେମାନେ ପାଳନ କରନ୍ତି I ଅନ୍ୟ ଏକ ବିଷୟ ନଜରକୁ ଆଣିବା ପାଇଁ ଚାହୁଁଛି ଯେ, ଅନେକ ଛାତ୍ରଛାତ୍ରୀ ଯେଉଁମାନେ ନିଜ ସାଙ୍ଗସାଥୀଙ୍କ ସହ ଆଲୋଚନା କରି ବିଭିନ୍ନ ବିଷୟରେ ଶିଖିଥାନ୍ତି ଓ ଜାଣିଥାନ୍ତି I ନିଜ ସାଙ୍ଗସାଥି ମାନଙ୍କ ସହ ମିଶି ନପାରିଲେ ଶିଶୁର ନିଜର ମନର କଥା ଅନ୍ୟ ପାଖରେ ପ୍ରକାଶିତ ହୋଇ ପାରେ ନାହିଁ I ଏହା ଅନେକ ସମୟରେ ବିଷାଦ ଭାବ ସୃଷ୍ଟି କରେ I ସମସ୍ତେ କୁହନ୍ତି ଯେ କାହିଁକି ଶିଶୁଟି ଚୁପ ହୋଇ ରହୁଛି I
ଯେହେତୁ ଅନେକ ପରିବାର ଆଜି ନିଜର ନିତିଦିନିଆ ରୋଜଗାର ହରାଇ ବସିଛନ୍ତି, ସେହି ପରିସ୍ଥିତିରେ ପ୍ରଥମେ ନିଜର ପରିବାର ପାଇଁ ଖାଦ୍ୟ ମୁଠେ ଯୋଗାଡ କରିବା ପାଇଁ ମୁରବୀମାନେ ବ୍ୟସ୍ତ I ଏହି ଭଳି ସଙ୍ଗୀନ ସ୍ଥିତିରେ ଶିଶୁମାନଙ୍କର ଆଗ୍ରହ ଓ ମତାମତକୁ କେତେ ପରିମାଣରେ ଗୁରୁତ୍ୱ ଦିଆଯାଉଥିବ ତାହା ମଧ୍ୟ ଅଲୋଚନା ସାପେକ୍ଷ I ପରିବାରର ନିୟମିତ ରୋଜଗାର କ୍ଷୀଣ ହେବାରେ ଲାଗିଥିବା ହେତୁ, ଶିଶୁଟିର ଉଭୟ ଶାରିରୀକ ଓ ମାନସିକ ଅବସ୍ଥା ଆଜି ପ୍ରଭାବିତ ।

କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ପ୍ରସଙ୍ଗ ଉହାଡରେ ଲୁଚିଯାଉଛି I କିଶୋରୀ ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଆଲୋଚନା ପାଇଁ କିଶୋରୀ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ସହିତ ପ୍ରତି ଶନିବାର ଦିନ ଅଙ୍ଗନୱାଡି ସ୍ତରରେ ଲୌହ ଓ ଫୋଲିକ ଏସିଡ ଖୁଆଇବାର ବ୍ୟବସ୍ଥା ରହିଛି; କିନ୍ତୁ ଏହି କୋରୋନା ବିପତ୍ତି ସମୟରେ ଅଙ୍ଗନୱାଡି କର୍ମୀମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଘରଘର ବୁଲି ପୁଷ୍ଟିକର ଖାଦ୍ୟଯୋଗାଣ କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ କିଶୋରୀ ମାନଙ୍କୁ କେନ୍ଦ୍ରକୁ ଡାକି ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ତଥା ଏହିଭଳି କାର୍ଯ୍ୟକ୍ରମ ସମୂହର ଆୟୋଜନ ବର୍ତ୍ତମାନ ସମ୍ଭବ ହେଉନାହିଁ  । ତେଣୁ କିଶୋରୀ ମାନଙ୍କ କଥା ଅନଲୋଚିତ ହୋଇ ରହିଯାଉଛି I

ଅନ୍ୟଏକ ଗୁରୁତର ସମସ୍ୟା ବର୍ତ୍ତମାନ ମୁଣ୍ଡ ଟେକିଛି ଯେ, ବର୍ତ୍ତମାନ ଅଳ୍ପ ସଂଖ୍ୟକ ବନ୍ଧୁବର୍ଗଙ୍କୁ ନେଇ ବିବାହ ଭୋଜି କରି ବାହାଘର କରି ହେବ ଏହିଭଳି ସ୍ଥିତିରେ ଅଳ୍ପଖର୍ଚ୍ଚ ହେବ । ତେଣୁ ପିତାମାତା ଏହିଭଳି ସୁଯୋଗରେ ୧୮ ବର୍ଷରୁ କମ ବୟସର ଝିଅମାନଙ୍କୁ ମଧ୍ୟ ବିବାହ କରାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏହାଦ୍ୱାରା କିଶୋରୀଟି ବାଲ୍ୟବିବାହର ଶିକାର ହେବ, ତେଣୁ ଏହିଭଳି ସ୍ଥିତିରେ ସରକାର କିଛି ବ୍ୟବସ୍ଥାଗତ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି I ପ୍ରଥମ କଥା କି, ଶିକ୍ଷକମାନେ ନିୟମିତ ଭାବେ ସ୍କୁଲକୁ ଓ ଗାଁ ଗୁଡିକୁ ବୁଲିବାକୁ ଯାଆନ୍ତୁ I ଅଭିଭାବକ ମାନଙ୍କ ସହ ମିଶନ୍ତୁ, ନିଜ ଛାତ୍ରଛାତ୍ରୀଙ୍କୁ ସାମାଜିକ ଦୂରତା ରକ୍ଷା କରି ସେମାନଙ୍କ ଭଲମନ୍ଦ ବୁଝନ୍ତୁ, ପାଠପଢା ବିଷୟରେ ଆଲୋଚନା କରନ୍ତୁ । ଏହା ଏକ ସକରାତ୍ମକ ଭାବ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ଯୋଗାଇବ I ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୁଷ୍ଟି ଦିବସ ପାଳନ ସମୟରେ କିଶୋରୀମାନଙ୍କୁ କେନ୍ଦ୍ରସ୍ତରକୁ ଡକାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ପରିଷ୍କାର ପରିଛନ୍ନତା ବିଷୟରେ ଆଲୋଚନା କରିବାର ଆବଶ୍ୟକତା ରହିଛି I

ଯେହେତୁ ବର୍ତ୍ତମାନ ଅନେକ ପରିବାର ନିଜର ବୋଝକୁ ହାଲୁକା କରିବା ପାଇଁ ଝିଅମାନଙ୍କୁ କମ ବୟସରେ ବିବାହ କରାଇବାର ସମ୍ଭାବନା ରହିଛି ତେଣୁ ଯଦି କିଶୋରୀମାନେ ନିଜେ ଅଳ୍ପ ବୟସରେ ବିବାହ କଲେ କଣ ଅସୁବିଧା ହେବାର ସମ୍ଭାବନା ରହିଛି ବୁଝିବେ, ତେବେ ନିଜେ ବିବାହ କରିବା ପାଇଁ ନିଜ ତରଫରୁ ମନା କରିବେ I ଆବଶ୍ୟକ ହେଲେ ୧୦୯୮ ନମ୍ବର ଡାଏଲ କରି ଚାଇଲ୍ଡ ଲାଇନର ସହାଯତା ନେବେ କିମ୍ବା ୧୦୦କୁ ଡାଏଲ କରି ପୋଲିସଙ୍କୁ ଜଣାଇବେ, ନଚେତ ସଖି “ୱାନ ଷ୍ଟପ ସେଣ୍ଟର”ର ସହାୟତା ନେଇ ନିଜର ସୁରକ୍ଷାପାଇଁ ଚିନ୍ତା କରିବେ I ଯଦିଓ ଅଙନୱାଡି କର୍ମୀ ମାନେ ପ୍ରବାସୀମାନଙ୍କ କଥା ବୁଝୁଛନ୍ତି ତଥାପି ଆହୁରି ଅନେକ କର୍ମୀ ନିଜର ଅଙ୍ଗନୱାଡି କେନ୍ଦ୍ରରେ ହିଁ କାର୍ଯ୍ୟ କରନ୍ତି ସେମାନେ ମଧ୍ୟ ନିଜସ୍ତରରେ ଏହି କାମଗୁଡିକ ଆରାମରେ କରି ପାରିବେ I 

ସବୁଠାରୁ ସହଜ ହେବ, ଯଦି ବାହାଘର ପାଇଁ ଅନୁମତି ନିମନ୍ତେ ପୁଅଘର ଓ ଝିଅଘର ସରକାରୀ କାର୍ଯ୍ୟାଳୟକୁ ଆସନ୍ତି ତେବେ ସେମାନେ ନିଜ ଝିଅର ବୟସ ପ୍ରମାଣପତ୍ର ଭାବେ ସ୍କୁଲ ସାର୍ଟିଫିକେଟ, ଜନ୍ମ ସାର୍ଟିଫିକେଟ ସାଙ୍ଗରେ ଧରି ଆସିବା ପାଇଁ ଏକ ସରକାରୀ ଚିଠି ପ୍ରକାଶିତ ହେବା ଆବଶ୍ୟକ I ଏହି ସମୟରେ ପିତାମାତା ଆଧାର କାର୍ଡକୁ ବୟସ ବୋଲି ଦର୍ଶାଇବେ କିନ୍ତୁ ବାସ୍ତବରେ ଏହା ଜନ୍ମ ପ୍ରମାଣ ପତ୍ର ନୁହେଁ I ଫଳରେ କମ ବୟସରେ ବାହାଘର ରୋକିବାରେ ସହାୟକ ହେବ I କାରୋନାମୟ ଏହି କରୁଣ ପରିସ୍ଥିତିର ଅନ୍ତରାଳେ, ଉପର ଲିଖିତ ଘଟଣାସମୂହକୁ ନଜର ଦେଇ ଯଥାସମ୍ଭବ ଉପଯୁକ୍ତ କାର୍ଯ୍ୟପନ୍ଥା ଉଭୟ ସରକାରୀ ଓ ସାମାଜିକ ସ୍ତରରେ ଗ୍ରହଣ କରାଇପାରିଲେ, ଆମେ ହୁଏତ ଆମ କୋମଳମତୀ କିଶୋର-କିଶୋରୀ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଇପାରିବା I