)
କଟକ: ଅସହାୟ ରୋଗୀଙ୍କ ପାଇଁ ସେ ଶେଷ ସାହାରା, ଶାନ୍ତ୍ୱନାର ଦୁଇପଦ କଥା ଓ ବେଦନା ନିବାରକ ଔଷଧ ପରି । ଏହି ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଉଛନ୍ତି ରୌପ୍ୟ ନଗରୀ କଟକର ଅଭିମନ୍ୟୁ ଦାସ। ଜୀବନର ମହାଭାରତ ଯୁଦ୍ଧରେ ସରିନାହିଁ ମହାଭାରତ କିମ୍ବା ହାରିନାହାନ୍ତି ଅଭିମନ୍ୟୁ । ଏସସିବି ହେଉ କି କ୍ୟାନସର ହସ୍ପିଟାଲ, କୋରୋନା ଭଳି ସଂକଟଜନକ ପରିସ୍ଥିତିରେ ବି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। କୋରୋନା ଡରରେ ଲୋକେ ମୃତ ଶରୀର ପାଖକୁ ବି ଯାଉ ନାହିଁନ୍ତି। ମୃତ ଶରୀର ପାଖରେ ପହଞ୍ଚି ମୃତଦେହକୁ ନେବା ସହିତ ନିଜେ ହିଁ ଶବଦାହ କରୁଛନ୍ତି। କୋରୋନା ଭୟକୁ ମାତ ଦେଇ ଏଭଳି କାର୍ଯ୍ୟ ଜାରୀ ରଖିଛନ୍ତି କଟକର ଅଭିମନ୍ୟୁ ଦାସ ।
କଟକର କୋରୋନା କବଜାରେ ରହିଛି କଟକର ସମସ୍ତ ସରକାରୀ ମେଡିକାଲ। ଯାହାଫଳରେ ଅସହାୟ ହୁଅନ୍ତୁ ବା ଅଚିହ୍ନା ରୋଗୀଙ୍କ ପାଖରେ କେହି ବି ସହଯୋଗର ହାତ ବଢାଉ ନାହାଁନ୍ତି। ଏହି ସମୟରେ ସେହି ବେସାହାରା ଲୋକଙ୍କୁ ସାହାରା ଯୋଗାଉଛନ୍ତି ଅଭମନ୍ୟୁ । ଏଥିପାଇଁ ଅଭିମନ୍ୟୁ ସବୁ ବେଳେ କୋରୋନା ପାଇଁ ସଜାଗ ମଧ୍ୟ ରହୁଛନ୍ତି। ଯେ କୌଣସି ମୁହୂର୍ତ୍ତରେ କୌଣସି ଲୋକଙ୍କ ଅସୁବିଧା ଖବର ମିଲିବା ମାତ୍ର ପିପିଇ କିଟ ସହିତ ମାସ୍କ ପିନ୍ଧି ବାହାରି ଯାଆନ୍ତି ଅସହାୟ ଲୋକଙ୍କ ପାଖକୁ। ଏହିଭଳି ଲୋକଙ୍କୁ ସହଯୋଗ କରିବା ପରେ ସେମାନଙ୍କ ଖୁସିର ଦୁଇପଦ କଥା ମନକୁ ବେଶ ଶାନ୍ତି ଦେଇଥାଏ ବୋଲି କୁହନ୍ତି ଅଭିମନ୍ୟୁ।
ପରିବାର ବୋଝ ଆସିବା ଦିନ ଠାରୁ ହିଁ ବହି ସେଲିଂ ଓ ବାଇଣ୍ଡିଂ କରିବା କାମ କରୁଛନ୍ତି ଅଭିମନ୍ୟୁ। ଏହାପରେ ଘରେ ଏକ ବହିଂ ପ୍ରେସିଂ ମେସିନ ରଖି ଆରମ୍ଭ କରିଥିଲେ ନିଜର ବ୍ୟବସାୟ। ସ୍ୱଳ୍ପ ଆୟ ମଧ୍ୟରେ ଅନେକ କିଛି ସମସ୍ୟା ଦେଇ ଗତି କରିବାକୁ ପଡୁଥିଲା। ଏହି ସମୟ ମଧ୍ୟରେ ଘରର ୪ ଜଣ ସଦସ୍ୟ କର୍କଟରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେମାନଙ୍କ ଚିକିତ୍ସା ପାଇଁ ଅନେକ ସମୟରେ କ୍ୟାନ୍ସର ହସ୍ପିଟାଲକୁ ଦୌଡିବାକୁ ପଡିଥିଲା ଅଭମନ୍ୟୁଙ୍କୁ । ସେହିଠାରେ ଅସହାୟ ଲୋକଙ୍କୁ ସେବା ଯୋଗାଇବା ପାଇଁ ମନୋବଳ ବଢାଇଥିଲେ।
ଏହାପରେ ଦୀର୍ଘ ୧୨ ବର୍ଷ ହେବ ନିରନ୍ତର ଭାବେ ରୋଗୀ ସେବା ଯୋଗାଇ ଆସୁଛନ୍ତି । ଏହାରି ମଧ୍ୟରେ ସେ ଏକ ହାଜରରୁ ଊର୍ଦ୍ଧ୍ୱ ଲୋକଙ୍କ ଶବଦାହ ମଧ୍ୟ କରିସାରିଲେଣି । ତାଙ୍କର ଏହି ସେବା ମନୋଭାବ ଅନେକ ସ୍ଥାନରେ ସମ୍ମାନର ହକଦାର ହୋଇଛନ୍ତି । ଏପରିକି ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ କୈଫ ମଧ୍ୟ ଟ୍ୱିଟ ଯୋଗେ ତାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି। କୋରୋନା ପୂର୍ବରୁ ହେଉ ଅବା ପରେ ନିଜର ଏହି କାର୍ଯ୍ୟ ଜାରି ବି ରଖିଛନ୍ତି। ଅଭିମନ୍ୟୁଙ୍କ ଏହି ଛୋଟିଆ ପ୍ରୟାସ ଅନେକକୁ ପ୍ରେରିତ କରିଛି। ଏବେ ଅନେକ ଯୁବପିଢି ଅଭିମନ୍ୟୁଙ୍କ ସହିତ ଏକାଠି ହୋଇ ଅସହାୟ ଲୋକଙ୍କୁ ଯୋଗାଉଛନ୍ତି ସେବା।
କୋରନା ଏବେ ସମସ୍ତଙ୍କୁ ବଢାଇଲାଣି ଚିନ୍ତା । ମାହାମାରୀ କୋରନା ଯୋଗୁଁ ବିପଦ ସମୟରେ ନିଜ ସଂମ୍ପର୍କୀୟ ବି ଦୂରେଇ ଯାଉଛନ୍ତି। ମାତ୍ର ଏମିତି ଏକ ବ୍ୟକ୍ତି ଅଛନ୍ତି ଯିଏ କୋରନା ଭୟକୁ ପଛରେ ପକାଇ ଆସାହ୍ୟ ରୋଗୀଙ୍କ ପାଇଁ ସାହାରା ପାଲଟିଛନ୍ତି। ସେ ହେଉଛନ୍ତି କଟକର ଅଭିମନ୍ୟୁ ଦାସ। କିଏ ଏହି ଅଭିମନ୍ୟୁ ଓ କିପରି ଲୋକଙ୍କୁ ସହଯୋଗ କରୁଛନ୍ତି ଦେଖିବା ଏହି ରିର୍ପୋଟରେ।