ଉତ୍କଳମଣି ଗୋପବନ୍ଧୁ: ଦୁଃଖିରଙ୍କିଙ୍କର ଥିଲେ ଦରଦୀ ମଣିଷ
Advertisement

ଉତ୍କଳମଣି ଗୋପବନ୍ଧୁ: ଦୁଃଖିରଙ୍କିଙ୍କର ଥିଲେ ଦରଦୀ ମଣିଷ

ଉତ୍କଳର ମଣି ତଥା ସାମ୍ୱାଦିକତା ମଉଡ଼ମଣି ଗୋପବନ୍ଧୁ ଦାସ (୧୮୭୭–୧୯୨୮) ଙ୍କର ଆଜି ହେଉଛି ପବିତ୍ର ଜନ୍ମବାର୍ଷିକି। ଏକାଧାରାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ସମାଜ ସଂସ୍କାରକ, ସାମ୍ୱାଦିକ ଓ ଦୈନିକ ଖବର କାଗଜ 'ସମାଜ' ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା । 

ଉତ୍କଳମଣି ଗୋପବନ୍ଧୁ: ଦୁଃଖିରଙ୍କିଙ୍କର ଥିଲେ ଦରଦୀ ମଣିଷ

ବିଭୁତି ଭୂଷଣ ବେହେରା, ନୂଆଦିଲ୍ଲୀ: ଉତ୍କଳମଣି ଗୋପବନ୍ଧୁ ଦାସ ଆଜି ହେଉଛି ତାଙ୍କର ୧୪୩ ତମ ପବିତ୍ର ଜନ୍ମବାର୍ଷିକି । ୧୮୭୭ ମସିହା ଅକ୍ଟୋବର ୯ ତାରିଖ ଦିନ ପୁରୀ ଜିଲ୍ଲାର ସୁଆଣ୍ତୋରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରାରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ସମାଜ ସଂସ୍କାରକ, ସାମ୍ୱାଦିକ ଓ ଦୈନିକ ଖବର କାଗଜ 'ସମାଜ' ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ।

ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଭକ୍ତକବି ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ଗୋପବନ୍ଧୁଙ୍କୁ ମର୍ମାହତ କରିଥିଲା । ସେ ପ୍ରପୀଡ଼ିତ ଅଞ୍ଚଳରେ ଏକା ଏକା ବୁଲି ଲୋକଙ୍କୁ ଚୁଡା ଓ ଚାଉଳ ବାଣ୍ଟିବା ସହ ଗରିବ ଓ ଦରିଦ୍ର ଜନସାଧାରଣଙ୍କ ସେବା କରୁଥିଲେ  । ଯହା ଆଜି ବି ଓଡିଶାରେ ବନ୍ଯା କି ମରୁଡି କି ମହାମାରୀ ଆସିଲେ ଉତ୍କଳ ମଣିକୁ ଲୋକମାନେ ମନେ ପକାନ୍ତି । ସେହି ସମୟରେ ବ୍ରିଟିଶମାନଙ୍କୁ ଚେକ୍ ଦେବାକୁ ଯାଇ, ସେହି ମହାନ୍ ଜନ ନାୟକଙ୍କ କଲମରୁ ଝରି ଆସିଥିଲା...

"ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ । ଦେଶର ସ୍ୱରାଜ୍ୟ-ପଥେ ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସ-ହାଡ଼ ।
ସ୍ୱାଧୀନତା-ପଥେ ତିଳେ ହେଲେ ନର ମୋ ଜୀବନ ଦାନେ ହେଉ ଅଗ୍ରସର । ମଙ୍ଗଳମୟଙ୍କ ସୁମଙ୍ଗଳ ଇଛା ପରୁ ଏ ପରାଣେ ଏହି ଶେଷ ଭିକ୍ଷା ।"

ଉତ୍କଳମଣିଙ୍କ ଏ ଦୁଇ ପଦ କଥା ସେହି ସମୟରେ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ସମାଜ ସେବା କରିବା ସହ ଇଂରେଜ ବିରୋଧରେ ଭାରତକୁ ସ୍ବାଧୀନ କରିବା ପାଇଁ ଦାନା ବାନ୍ଧି ଥିଲା । ଯାହା ପରବର୍ତ୍ତୀ ସମୟରେ ଏକ ନୂଆ ଆନ୍ଦୋଳନ ସୂତ୍ରପାତ ହୋଇଥିଲା ।

ସମାଜର ଦିଗ୍‌ଦର୍ଶନ "ସମାଜ"

ଓଡ଼ିଆ ଜାତି ପାଇଁ ଏକ ଅନୁଷ୍ଠାନ ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ହିନ୍ଦୁସ୍ଥାନର ହିନ୍ଦୁ ମାନଙ୍କର ପ୍ରଗତି ସହ ଜନସାଧାରଣଙ୍କୁ ଅବଗତ କରାଇବା ଅଭିପ୍ରାୟରେ ଗୋପବନ୍ଧୁ ଦାସ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦିନ ଦଶହରା ତିଥିରେ ଜନତାଙ୍କ ପ୍ରଗତି ପାଇଁ ପ୍ରକାଶ କଲେ ସାପ୍ତାହିକ ଖବର କାଗଜ "ସମାଜ" । ପ୍ରଥମେ ଏହା ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । ବନ୍ଦୀର ଆତ୍ମକଥା କବିତାରେ ସମାଜକୁ ଦିଗ୍‌ଦର୍ଶନ ଦେବାକୁ ଯାଇ ସେ ଲେଖିଥିଲେ...

"ହେଉ ଗୃହ ନାଶ ଅବା କାରାବାସ,
ଯାଉ ପଛେ ପ୍ରାଣ ନ ଯାଉ ବିଶ୍ୱାସ ।" 

ଏହି କବିତା ସାମ୍ବାଦିକତା କରୁଥିବା ଆଜିର ଯୁବପିଢି ପାଇଁ ପ୍ରଯୁଜ୍ୟ । କାରଣ  ଜନତାଙ୍କ ହିତ ପାଇଁ ସାମ୍ବାଦିକତା ଏବଂ ସାମ୍ବାଦିକଙ୍କ ସ୍ୱର ଏକ ଜନ ମଙ୍ଗଳ ରାଷ୍ଟ୍ରର ଜନତାଙ୍କ ଜନ ମଙ୍ଗଳ ପାଇଁ ଏବଂ ପ୍ରାଣ ଅର୍ଥାତ୍ ଜୀବନ ପଛେ ଚାଲିଥାଉ ଜନତାଙ୍କ ପାଖରେ ଖବରର ବିଶ୍ୱାସ ଥାଉ ଯାହା ଜନତାଙ୍କ ମଙ୍ଗଳ ହେବ ବୋଲି ସେ କହୁଥିଲେ ।

ଗୋପବନ୍ଧୁ ସାମ୍ବାଦିକତା କରୁଥିବା ବେଳେ ଓଡିଶାର ଜନତାଙ୍କ ଦାରିଦ୍ର୍ୟର ଦାରୁଣ ଦୁଃଖି ଜନତାଙ୍କ କାହାଣୀ ଦେଖି ହତୋତ୍ସିତ ନ ହୋଇ ସେମାନଙ୍କ ସମାଧାନ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା 'କାରାକବିତା' ଓ 'ବନ୍ଦୀର ଆତ୍ମକଥା' । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ 'ଉତ୍କଳମଣି' ବୋଲି ସମ୍ବୋଧନ କରିଥିଲେ । ଉପସ୍ଥିତ ଜନତାଙ୍କ କରତାଳି ମାଧ୍ୟମରେ ଏହି ଉପାଧିକୁ ସ୍ୱିକୃତି ମିଳିଥିଲା । ଜନତାଙ୍କ ସେବା, ତ୍ୟାଗ ଓ ଦରଦୀ ମଣିଷଙ୍କୁ ଭଲପାଇବା ଦେଖି ଗୋପବନ୍ଧୁଙ୍କୁ ଲାଲା ଲାଜପତ ରାୟ ଲୋକସେବକ ମଣ୍ଡଳର ସଦସ୍ୟ ରୂପେ ଗ୍ରହଣ କରିଥିଲେ । 

ପରେ ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । କିନ୍ତୁ,୨୦୧୯ ସମିହାରେ ଗୋପବନ୍ଧୁଙ୍କର ମାନସ ସନ୍ତାନ 'ସମାଜ' ୧୦୦ ବର୍ଷ ପୁରଣ କରିସାରିଛି । ଆଜି ତାଙ୍କୁ ଆଧୁନିକ ଭାରତରେ ସମ୍ୱାଦ ଓ ସାମ୍ୱାଦିକତାର ମଉଡ଼ମଣି ବୋଲି ବିବେଚନା କରାଯାଏ । ଆଉ ତାଙ୍କ ପ୍ରତିଷ୍ଠିତ ଖବର କାଗଜ  'ସମାଜ' ଓଡିଶାବାସୀଙ୍କୁ ଦିଗ୍‌ଦର୍ଶନ ଦେଇ ନୂଆ ମାଇଲଖୁଣ୍ଟ ନିର୍ମାଣ କରୁ ।  'ସମାଜ' ସମାଜ ପାଇଁ ପୂର୍ବପରି ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ହେଉ । ଏହା ତାଙ୍କ ଜନ୍ମ ବାର୍ଷିକୀରେ ସମାଜ ସେ ମହାନ୍ ନାୟକଙ୍କ ପାଇଁ ଉପହାର ହେବ ।