)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋରୋନା ଆଉ ୪ଟି ମୁଣ୍ଡ ନେଇଛି। ମୃତକଙ୍କ ମଧ୍ୟରେ ଅନୁଗୋଳ, ଗଜପତିରୁ ଜଣେ ଲେଖାଏଁ ଓ ଗଞ୍ଜାମରୁ ଦୁଇ ଜଣ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି
ବିଭାଗ ଦେଇଥିବା ସୂଚନା ମୁତାବକ ରାଜ୍ୟରେ ଆଉ ୪ କୋରୋନା ପଜିଟିଭଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମର ଦୁଇ ଜଣଙ୍କ ମଧ୍ୟରୁ ଜଣେ ୫୭ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେ ଡାଇବେଟିସ ରୋଗରେ ମଧ୍ୟ ଆକ୍ରାନ୍ତ ରହିଥିବା ନେଇ ବିଭାଗ ସୂଚନା ଦେଇଛି। ଗଞ୍ଜାମ ଜିଲ୍ଲାରେ ଅନ୍ୟ ଜଣେ ୬୦ ବର୍ଷୀୟ ପୁରୁଷଙ୍କର ମଧ୍ୟ ଦେହାନ୍ତ ହୋଇଥିବା ଜଣାପଡ଼ିଛି।
ସେହିପରି ଅନୁଗୋଳ ଜିଲ୍ଲାରେ ଜଣେ ୬୬ ବର୍ଷୀୟ ବୃଦ୍ଧଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେ ସ୍ନାୟୁ ଜନିତ ରୋଗରେ ମଧ୍ୟ ପୂର୍ବରୁ ପୀଡ଼ିତ ଥିଲେ।ଗଜପତି ଜିଲ୍ଲାରେ ୫୬ ବର୍ଷୀୟ କୋରୋନା ସଂକ୍ରମିତଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ପୂର୍ବରୁ ଡାଇବେଟିସ ଓ ହୃଦରୋଗରେ ପୀଡିତ ଥିଲେ ବୋଲି ବିଭାଗ ସୂଚନା ଦେଇଛି।
ଏହା ସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୫୦ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଖୋର୍ଦ୍ଧାରେ ୧୩ ଓ କଟକରେ ୮ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି। ପୁରୀ, ଅନୁଗୋଳ ଓ ଗଜପତିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି।