)
ଭୁବନେଶ୍ୱର: ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ। ଗତ ଦୁଇଦିନରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚିଛି। କୋରୋନା ଜନିତ ମୃତ୍ୟୁ ତାଲିକାରେ ମାଲକାନଗିରି ଜିଲ୍ଲାର ନାମ ଆଜି ସାମିଲ ହୋଇଛି। ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ପ୍ରଥମ ଘଟଣା ହୋଇଥିବା ବେଳେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟରେ ବୃଦ୍ଧି ପାଉଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ୬ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼, କଟକ, ଭୁବନେଶ୍ୱର ଓ ମାଲକାନଗିରିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ଗଞ୍ଜାମ ଜିଲ୍ଲରେ ୩ ଜଣ ମୃତକଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ଗଞ୍ଜାମରେ ୫୫ ଓ ୫୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ଜିଲ୍ଲାରେ ୫୧ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। କଟକରେ ୬୬ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ ସୁନ୍ଦରଗଡ଼ ଜିଲ୍ଲାରେ ହୋଇଛି। ଭୁବନେଶ୍ୱରରେ ୪୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ମାଲକାନଗିରିରେ ୫୧ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ସେପଟେ ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮୨ରେ ପହଞ୍ଚିଛି। ଖୋର୍ଦ୍ଧାରେ ୧୮ ଜଣଙ୍କର, କଟକରେ ୧୦ଜଣଙ୍କର, ଗଜପତିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ୱର ଓ ଭଦ୍ରକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଯାଜପୁର, ଝାରସୁଗୁଡ଼ା, ନୟାଗଡ଼, କନ୍ଧମାଳ, ମାଲକାନଗିରି ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।