)
ଭୁବନେଶ୍ୱର: ଓଡ଼ିଆ ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ରହି ଚିକିତ୍ସାଧିନ ଥିଲେ ଦୀପା। ତେବେ ଭୁବନେଶ୍ୱରର କ୍ୟାପିଟାଲ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।
ସୂଚନାଯୋଗ୍ୟ ଗତ ମାସ ୨୦ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ଆର୍ଥିକ ସମସ୍ୟା ଦେଇ ଦୀପା ଗତି କରିଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଓଲିଉଡ଼ ଜଗତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ତେବେ ଡାକ୍ତରଖାନାରେ ପ୍ରାୟ ଏକ ମାସ ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଆଜି ଜୀବନ ଯୁଦ୍ଧାରେ ହାରିଯାଇଛନ୍ତି ଦୀପା।
ଆଲବମ କୁଇନ ଦୀପାଙ୍କ ଅଭିନୀତ ହାଏ ହାଏ ତୋ ମଲ୍ଲୀଫୁଲ ଗଜରା, ମିଛେଇ ଝିଅ, ମସ୍ତ ଚାଲି ତୋର ଦର୍ଶକମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। ପାଖାପାଖି ଏକ ଦଶନ୍ଧି ଧରି ଓଡ଼ିଆ ଆଲବମରେ ନିଜର ସ୍ଥାନକୁ ମଜବୁତ କରିପାରିଥିଲେ। ମନଛୁଆଁ ଗୀତରେ ଦୀପା ଅଭିନୟ କରି ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଥିଲେ। ଆଲବମ ଇଣ୍ଡଷ୍ଟ୍ରୀ ହିଁ ଦୀପାଙ୍କୁ ଆଣିଦେଇଥିଲା ପ୍ରସିଦ୍ଧି ଓ ପ୍ରଶଂସା। କିନ୍ତୁ କର୍କଟ ରୋଗ ତାଙ୍କ ଠାରୁ ଜୀବନକୁ ଛଡ଼ାଇ ନେଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ପରିଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି।