Trending Photos
ସମ୍ବଲପୁର: ବର୍ତ୍ତମାନ ସମଗ୍ର ବିଶ୍ୱରେ କାୟାବିସ୍ତାର କରି ଚାଲିଛି ମହାମାରୀ କୋରୋନା। ଏଭଳି ପରିସ୍ଥିତିରେ ସମ୍ବଲପୁରଠାରେ ମଧ୍ୟ କୋରୋନା ପଜିଟିଭଙ୍କ ସଂଖ୍ୟା ପ୍ରତିଦିନ ବଢି ଚାଲିଛି। ଜିଲ୍ଲାରେ କୋରୋନା ସଂକ୍ରମଣ ଵ୍ୟାପିବା ଘଟଣା ବୃଦ୍ଧି ପାଉଥିବାରୁ ଏବେ ସମ୍ବଲପୁର ମହାନଗର ନିଗମ ପିଡିଏସ ରିଟେଲର ଆସୋସିଏସନର ଚିନ୍ତା ବଢ଼ିଯାଇଛି।
ପିଡ଼ିଏସ ରିଟେଲଙ୍କ ବଢିଛି ଚିନ୍ତା। କୋରୋନା ପରି ମହାମାରୀ ସମୟରେ କେମିତି ହେବ ପିଡ଼ିଏସ ସାମଗ୍ରୀ ବଣ୍ଟନ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲଗଡାଉନ ସମୟରେ ଖାଉଟିଙ୍କୁ ଆଗୁଆ ପିଡିଏସ ସାମଗ୍ରୀ ବଣ୍ଟନ ପାଇଁ ସ୍ଥିର କରାଯାଇଥିଲା ।ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଖାଉଟିଙ୍କୁ ପିଡିଏସ ସାମଗ୍ରୀ ନେବା ସମୟରେ ଏକ ସ୍ୱତନ୍ତ୍ର ମେସିନରେ ଆଙ୍ଗୁଠି ଚିହ୍ନ ଦେଇ ସାମଗ୍ରୀ ପ୍ରଦାନ କରାଯାଇଥାଏ ।
ତେବେ ବର୍ତ୍ତମାନ ଜିଲ୍ଲାରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୄଦ୍ଧି ପାଉଥିବା ବେଳେ ଶହଶହ ଖାଉଟି ପିଡିଏସ ସାମଗ୍ରୀ ନେବା ପାଇଁ ଡିଲରଙ୍କ ପାଖକୁ ଆସୁଛନ୍ତି । ଅପରପକ୍ଷରେ ସହ ସହ ଖାଉଟି ଗୋଟିଏ ମେସିନରେ ଆଙ୍ଗୁଠି ଚିହ୍ନ ନେଇ ପିଡିଏସ ସାମଗ୍ରୀ ଦେବା ଯୋଗୁଁ ମେସିନ ସଂସ୍ପର୍ଶରେ ବହୁ ଲୋକ ଆସି କୋରୋନା ସଂକ୍ରମଣ ଵ୍ୟାପିବା ଆଶଙ୍କା କରିଛନ୍ତି ପିଡିଏସ ରିଟେଲର ।
ଦଶ ଦିନ ହେବ ପିଡ଼ିଏସ ସାମଗ୍ରୀ କଣ୍ଟ୍ରୋଲ ଦୋକାନରେ ପଡ଼ି ରହିଥିବା ବେଳେ ପାଇ ପାରୁନାହାନ୍ତି ଖାଉଟି। ମେସିନରେ ଟିପ ଦେଲେ କୋରୋନା ସଂକ୍ରମଣର ଭୟ ରହିଥିବାରୁ ରିଟେଲର ଜିଲ୍ଲା ପ୍ରଶାସନଙ୍କୁ ଅବଗତ କଲେ ମଧ୍ୟ କୌଣସି ପ୍ରକାର ବିକଳ୍ପ ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ଏନେଇ ସମ୍ବଲପୁର ମହାନଗର ନିଗମ ପିଡିଏସ ରିଟେଲର ଆସୋସିଏସନ ତରଫରୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରାଯାଇ ଏକ ଦାବିପତ୍ର ଦିଆଯିବା ସହ ଆଲୋଚନା କରାଯାଇଥିଲା। ଏହା ସହ କୋରୋନା ପରିସ୍ଥିତି ସାମାନ୍ୟ ନ ହେବା ଯାଏ ଖାଉଟିଙ୍କ ମେସିନରେ ଆଙ୍ଗୁଠି ଚିହ୍ନ ଦେଇ ପିଡିଏସ ସାମଗ୍ରୀ ଦେବା ଵ୍ୟବସ୍ଥାକୁ ବନ୍ଦ କରି ଖାଉଟିଙ୍କ ଲିଷ୍ଟ ଦେଖି ପୁର୍ବପରି ପିଡିଏସ ସାମଗ୍ରୀ ବଣ୍ଟନ ପ୍ରଦାନ କରାଯିବା ଵ୍ୟବସ୍ଥା ଲାଗୁ କରାଯିବାକୁ ଦାବି କରାଯାଇଛି । ତେବେ ଜିଲ୍ଲାରେ ଏପରି ପରିସ୍ଥିତି ଲାଗିରହିବା ଯୋଗୁ ଖାଉଟିମାନେ ଚଳିତ ମାସର ପ୍ରଥମ ସପ୍ତାହ ବିତି ଯାଇଥିଲେ ମଧ୍ୟ ପିଡିଏସ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଯଥାଶୀଘ୍ର ସମାଧାନର ସୁତ୍ର ବାହାର କରିବାକୁ ସାଧାରଣରେ ଦାବି ହୋଇଛି।