ପୂଜା ପାଇଁ ଶେଷ ପ୍ରସ୍ତୁତି । କୋରୋନା କାଳରେ ସମୟ ସହ ତାଳ ଦେଇ ବିଧି ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି ପୂଜା କମିଟି ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ପୂଜା ପାଇଁ ଶେଷ ପ୍ରସ୍ତୁତି । କୋରୋନା କାଳରେ ସମୟ ସହ ତାଳ ଦେଇ ବିଧି ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି ପୂଜା କମିଟି । କଟକଣା ହେତୁ ସର୍ବନିମ୍ନ ଆୟୋଜନରେ ପୂଜା ପାଇଁ ଅନୁମତି ଥିବାରୁ ଉସ୍ତ୍ରବ ତ ଫିକା ପଡିବ ନିଶ୍ଚୟେ, ହେଲେ ତା'ରି ଭିତରେ ମା’ଙ୍କୁ ଆବାହନ, ଆରାଧନା, ଦର୍ଶନ ଓ ପ୍ରସାଦ ସେବନ ପାଇଁ ଚଳିତ ବର୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଉପସ୍ଥିତି ଓ ଦର୍ଶନକୁ ବାରଣ କରାଯାଇଥିବାରୁ ଏଥର ଇ-ଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଛି।
ସେହିପରି ପ୍ରସାଦ ହୋମ୍ ଡେଲିଭରୀ କରିବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଆଉ ଏକ ନିଆରା ଦୃଶ୍ୟ, ପାଠ ଛାଡି ପରିବାରର କୌଳିକ ବୃତ୍ତିକୁ ବଜାୟ ରଖିବା ଲକ୍ଷ୍ୟରେ ମୂର୍ତ୍ତୀ ଗଢା କାମରେ ବାପାଙ୍କୁ ସାହାଯ୍ୟ କରୁଛନ୍ତି ଝିଅ । ଦେଖିବା କଟକ ରୋଡରେ ଥିବା ଚାରି ପୂଜା କମିଟିର ପ୍ରସ୍ତୁତି ଓ ବ୍ୟବସ୍ଥା ।
ମା’ଙ୍କ ଆବାହନକୁ ଅପେକ୍ଷା। ଦିନ କେଇଟା ପରେ ଧରାବତରଣ କରିବେ ଜଗତଜ୍ଜନନୀ ମା' ଦୂର୍ଗା । ମହାମାରୀର ମହାକୋପକୁ ଦୂରେଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବେ ମା’। ହେଲେ ଏଥର ଭିନ୍ନ ଏକ ପରିବେଶରେ ସମ୍ପନ୍ନ ହେବ ମାଙ୍କ ରୀତିନୀତି । ମା’ଙ୍କୁ ଇ- ଦର୍ଶନ କରିବେ ଭକ୍ତ । କୋଭିଡ କଟକଣା ସହ ତାଳ ଦେଇ କଟକ ରୋଡ ସ୍ଥିତ ସାର୍ବଜନୀନ ପୁରୁଣା ଷ୍ଟେସନ ବଜାର ପୂଜା କମିଟି ପକ୍ଷରୁ ମା’ଙ୍କ ମୂର୍ତ୍ତୀଗଢା ଶେଷ ହୋଇଛି ।
ନିରାଡମ୍ବର ସାଜସଜ୍ଜା ବାକି ଥିବା ବେଳେ ସ୍ୱତନ୍ତ୍ର କୋଡ ବ୍ୟବହାର କରି ଅନଲାଇନରେ ଦର୍ଶନ କରାଇବା ଏବଂ ଆବଶ୍ୟକ ସ୍ଥଳେ ପ୍ରସାଦ ହୋମ୍ ଡେଲିଭରି କରିବାକୁ ବ୍ୟବସ୍ଥା କରିଛନ୍ତି । ସେହିପରି ପୂଜା ପରେ ବଳକା ରାଶିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବେ ବୋଲି କହିଛନ୍ତି । ଝାରପଡା ଓ ରସୁଲଗଡ ପୂଜା କମିଟି ପକ୍ଷରୁ ସମାନ ବ୍ୟବସ୍ଥା । କମ୍ ଉଚ୍ଚତାର ମୂର୍ତ୍ତି ହୋଇଥିବା ବେଳେ ପୂଜାରେ ନିୟୋଜିତ ପୂଜକ ଓ କର୍ତ୍ତାଙ୍କ କୋଭିଡ ଟେଷ୍ଟ କରି ଅନୁମିତ ଦେବେ ବୋଲି କହିଛି ରସୁଲଗଡ ପୂଜା କମିଟି ।
ସେପଟେ ପଳାଶୁଣୀ ପୂଜା ମଣ୍ଡପରେ ମୂର୍ତ୍ତୀ ଗଢାରେ ଲାଗିଛନ୍ତି ବାପ ଝିଅ । ବର୍ଷ ବର୍ଷର କୌଳିକ ବୃତ୍ତିକୁ ବଞ୍ଚାଇବା ଲକ୍ଷ୍ୟରେ ଅଧାରୁ ପାଠ ଛାଡି ବାପା ଅଭିମନ୍ୟୁ ବେହେରାଙ୍କ ସହ ମୂର୍ତ୍ତି ଗଢାରେ ଲାଗି ପଡିଛନ୍ତି ଝିଅ ସୁମିତ୍ରା । କଟକରେ ତାଙ୍କ କାରାଖାନ ଥିବା ବେଳେ ଚଳିତ ବର୍ଷ କଟକଣା ହେତୁ ବଡ ମୂର୍ତ୍ତୀ ତିଆରି ହୋଇନି, ତେବେ ରାଜଧାନୀର ୪ଟି ସ୍ଥାନରେ ମୂର୍ତ୍ତୀ ପାଇଁ କାମ ନେଇ ବାପ ଝିଅ ପୂରା ଦମରେ ଲାଗିପଡିଛନ୍ତି ।
ଆସନ୍ତା ୨୨ ତାରିଖରେ ଷଷ୍ଠୀ ଆବହନ କରିବେ ମା ଦୁର୍ଗା । ପୂର୍ବବର୍ଷ ଭଳି ଚଳିତ ବର୍ଷ ପରିବେଶ ଚଳଚଂଚଳ ହୋଇନଥିଲେ ବି ବିଧିରକ୍ଷା ପାଇଁ ଅବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି ।