)
କଲୋରାଡୋ: ପୁଣି ଆମେରିକାରେ ହେଲା ନରସଂହାର। ଏଥର କଲୋରାଡୋର ଏକ ତେଜରାତି ଦୋକାନରେ ଆତର୍କୀତ ଗୁଳିମାଡ ହୋଇଛି। ଏଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କର୍ମୀ ଥିବା ବୌଲଡର ପୋଲିସ କହିଛି।
ବୌଲଡର ପୋଲିସ (Boulder Police Dept) ର ସୂଚନା ଅନୁସାରେ ସୋମବାର ଅପରାହ୍ଣ ୨ଟା ୫୦ ବେଳେ ଜଣେ ଦୁର୍ବୃତ କଲୋରାଡୋର ଏକ ତେଜରାତି ଦୋକାନରେ ପ୍ରବେଶ କରିଥିଲା। ପରେ ସେ ସେଠାରେ ଆଖିବୁଜା ଗୁଳିମାଡ କରିଥିଲା। ଯେଉଁଥିରେ ଜଣେ ପୋଲିସ କର୍ମୀଙ୍କ ସମେତ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଛି। ଗୁଳିମାଡ କରିଥିବା ବ୍ୟକ୍ତିକୁ ପୋଲିସ କାବୁ କରିଛି। ମାମଲାର ଅଧିକ ତଦନ୍ତ ଚାଲିଛି।
କଲୋରାଡୋ ଗୁଳିକାଣ୍ଡ (Colorado shooting) ସହ ଆଟଲାଣ୍ଟା ଆକ୍ରମଣର କୌଣସି ସମ୍ପର୍କ ନାହିଁ ବୋଲି ପୋଲିସ ସ୍ପଷ୍ଟ କରିଛି। ତେଜରାତି ଦୋକାନକାଣ୍ଡର ଲାଇଭ୍ ଭିଡିଓ ନ କରିବାକୁ ପୋଲିସ ସମସ୍ତଙ୍କୁ ଅନୁରୋଧ କରିଥିଲା। କିନ୍ତୁ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ରାଷ୍ଟ୍ରପତି ଜୋ ବିଡେନ (Joe Biden) ଏହି ନରସଂହାର ଘଟଣାରେ ଶୋକ ବ୍ୟକ୍ତ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଆମେରିକାର ଜର୍ଜିଆ (Georgia), ଆଟଲାଣ୍ଟା ରେ ଠିକ ଏହି ଭଳି ଏକ ଘଟଣା ଘଟିଥିଲା। ସହରରେ ପୃଥକ ପୃଥକ ସ୍ପା ଓ ମସାଜ ପାର୍ଲରରେ ପଶି ଜଣେ ଯୁବକ ୮ ଜଣ ମହିଳାଙ୍କୁ ଗୁଳିକରି ହତ୍ୟା (Gunman shot) କରିଥିଲା। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୮ ମହିଳା Asian-American ଥିଲେ। ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏସିଆବାସୀଙ୍କ ସୁରକ୍ଷାକୁ ନେଇ ଅଭିଯାନ ଆରମ୍ଭ ହୋଇଛି।