ପୁଣି ବଜ୍ରପାତ ନେଲା ୧୪ ଜୀବନ

ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନୀତୀଶ ସରକାର ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ପୁଣି ବଜ୍ରପାତ ନେଲା ୧୪ ଜୀବନ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆକାଶରୁ ମାଡ଼ ଆସିଲା ମୃତ୍ୟୁ । ପୁଣି ଗଲା ୧୪ ଜଣଙ୍କ ଜୀବନ । କ୍ରମାଗତ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ବିହାରରେ କାଳ ହେଲା ବଜ୍ରପାତ । ଗୁରୁବାର ପୁଣି ବଜ୍ରପାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ଆହୁରି ବଜ୍ରପାତ ସତର୍କ ସୂଚନା ଜାରି କରିଛି । ମଧେପୁର ଜିଲ୍ଲାର କୁମଖଣ୍ଡର ମୁର୍ଲିଗଞ୍ଜର ସଦର ବ୍ଲକରେ ବଜ୍ରପାତ ହେବାର ଚେତାବନୀ ଦିଆଯାଇଛି । ଏହା ସହିତ ଲୋକଙ୍କୁ ନିଜ ଘରେ ରହିବାକୁ ନିବେଦନ କରାଯାଇଛି । ଅନ୍ୟପକ୍ଷରେ ସମସ୍ତିପୁରରେ ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁସାରେ, ଗୁରୁବାର ବିହାରର ସମସ୍ତିପୁର ଜିଲ୍ଲାରେ ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ୫ ଜଣଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ ସମସ୍ତିପୁରର ରୋସାଡ଼ାରେ ୩ ଜଣ, ପୁସାର ମୋରସଣ୍ଡରେ ଜଣେ, ଭୁଇଧାରାରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ସମସ୍ତିପୁରରେ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ସାମିଲ ଅଛନ୍ତି ।

ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନୀତୀଶ ସରକାର ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।