)
ସରୋଜ ବେହେରା, ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଥଳକୁଳ ପାଉନଥିବା ଜିଆରପି ଥାନା ପୋଲିସ ଶେଷରେ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ଚିଠି ଲେଖିଛି । ଆଦିତ୍ୟଙ୍କ ଡାୟରୀରେ ଲେଖା ହୋଇଥିବା ହାତ ଲେଖା ଆଦିତ୍ୟଙ୍କ ନା ଆଉ କାହାର ତାହାର ରିପୋର୍ଟ ଯଥାଶୀଘ୍ର ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ପାଖାପାଖି ଦୁଇ ସପ୍ତାହ ହେବ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ଆଦିତ୍ୟଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଦିତ୍ୟଙ୍କ ସ୍ତ୍ରୀ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଆସୁଛନ୍ତି । ଏ ମଧ୍ୟରେ ୩୫ ଜଣଙ୍କ ବୟାନ ରେକର୍ଡ କରସାରିଛି ପୋଲିସ । ଏତେ ଜଣଙ୍କ ସାକ୍ଷ୍ୟ ଓ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ପରେ ବି ଜିଆରପି ପୋଲିସ ଘଟଣାର ଥଳକୁଳ ମଧ୍ୟ ପାଇପାରୁନି । ଏବେ ଶେଷ ଆଶା ଭରଷା ହେଉଛି ଆଦତ୍ୟଙ୍କ ଘରୁ ମିଳିଥିବା ଡାୟରୀ । ସେହି ଡାୟରୀ ହିଁ ଖୋଲି ପାରିବ ମୃତ୍ୟୁର ରହସ୍ୟ ।
ହ୍ୟାଣ୍ଡ ରାଇଟିଂଟି ଆଦିତ୍ୟଙ୍କ ନା ଅନ୍ୟ କେହି ତାଙ୍କ ନାଁ ଧରି ଏ ସବୁ କରିଛି । ଏତେ ସନ୍ଧାନ ପରେ ବି ଜିଆରପି ପାଇପାରୁନି କୌଣସି ରହସ୍ୟ । ତେଣୁ ତୁରନ୍ତ ରିପୋର୍ଟ ଦେବା ପାଇଁ ଚିଠି ଲେଖିଛି ଜିଆରପି । ଯଦି ହ୍ୟାଣ୍ଡ ରାଇଟିଂ ଆଦିତ୍ୟଙ୍କ ହୋଇଥାଏ ତେବେ ଘଟଣାର ତଦନ୍ତରେ ବେଶି କିଛି ରହିବ ନାହିଁ । ଏଥିପାଇଁ ତଦନ୍ତରେ ଫୁଲ ଷ୍ଟପ ଦେବା ପୂର୍ବରୁ ହ୍ୟାଣ୍ଡ ରାଇଟିଂ ରିପୋର୍ଟ ଆସିବା ଆବଶ୍ୟକ ବୋଲି ଭାବିଛି ଜିଆରପି । ଘଟଣାରେ ଅନେକ ଗୁଡାଏ କଥା ରହିଛି ଯେଉଁଥି ପାଇଁ ସନ୍ଦେହ ଘନାଉଛି ।
ବିବାହର ମାତ୍ର ୨୦ ଦିନ ମଧ୍ୟରେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ମଧ୍ୟରେ କଣ ଏଭଳି ଘଟିଲା ଯାହାକୁ ନେଇ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ଆଦିତ୍ୟଙ୍କ ମୋବାଇଲ ଫ୍ରିଜ ଭିତରେ କିଏ ରଖିଥିଲା । ଫ୍ରିଜ ଭିତରେ ରହିବା ମଧ୍ୟରେ କିଏ ସେ ବ୍ୟକ୍ତି ଯିଏ ନିୟମିତ କଥା ହେଉଥିଲା । ଏଭଳି ଅନେକ ପ୍ରଶ୍ନ ଏବେ ସାଧରଣରେ ଉଙ୍କି ମାରୁଥିବା ବେଳେ ପୋଲିସ ଏହାର ଉତ୍ତର ପାଇପାରୁମାହିଁ । ଆଶା କରିବା ଜିଆରପି ଯଥାଶୀଘ୍ର ହ୍ୟାଣ୍ଡ ରାଇଟ ରିପୋର୍ଟ ପାଉ ଓ ମାମଲାରେ କୌଣସି ଏକ ନିଷ୍କର୍ସରେ ପହଂଚିଯାଉ ପୋଲିସ ।