ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

 ମୃତକଙ୍କ ମଧ୍ୟରେ କପିଲଦେବ ରାୟଙ୍କ ପୁଅ ୩୨ ବର୍ଷୀୟ ଚିକୁ କୁମାର, ଚିକୁ କୁମାରଙ୍କ ସଡୁ ପଙ୍କଜ କୁମାର(୩୩) ଏବଂ ଭଗବାନପୁରର ପୋଲିସ ଷ୍ଟେସନ ଅଞ୍ଚଳର ଦହିଆ ବାସିନ୍ଦା ୩୧ ବର୍ଷୀୟ ଡ୍ରାଇଭର ରାଜକୁମାର ମହତୋ ସାମିଲ ଅଛନ୍ତି । 

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ
ପ୍ରତୀକାତ୍ମକ ଫଟୋ

ପାଟନା: ବିହାରର ବେଗୁସରାଇରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁର୍ଘଟଣାର ସମସ୍ତ ପୀଡିତ ବ୍ୟକ୍ତି ସ୍କର୍ପିଓରେ ଦହି ନେଇ ଫେରୁଥିଲେ । ଏହି ଘଟଣା ଲାଖୋ ପୋଲିସ ଷ୍ଟେସନ କ୍ଷେତ୍ରରୁ ସାମ୍ନାକୁ ଆସିଛି । ଆଜାଦ ନାଗର କାସିମପୁର ନିବାସୀ କପିଲଦେବ ରାୟଙ୍କ ମୃତ୍ୟୁ ପରେ ଶ୍ରଦ୍ଧା ଭୋଜି ଚାଲୁଥିଲା । ଭୋଜିରେ ଦହି ଶେଷ ହୋଇଯାଇଥିଲା । ଫଳରେ ପରିବାରର କିଛି ସମ୍ପର୍କୀୟଙ୍କ ସହ ମୁଫାସିଲ ପୋଲିସ ଷ୍ଟେସନର ରଜୌରାରୁ ଦହି ନେଇ ଫେରୁଥିବାବେଳେ ସ୍କର୍ପିଓ ପ୍ରଥମେ NH 31ରେ ସ୍ଥିତ ରୋଡ ଡିଭାଇଡର ସହ ଟକ୍କର ହେବା ପରେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା ।

ଏହି ସମୟରେ ସ୍କର୍ପିଓକୁ ଖାଗରିଆରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍କର୍ପିଓ ଡ୍ରାଇଭର ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ କପିଲଦେବ ରାୟଙ୍କ ପୁଅ ୩୨ ବର୍ଷୀୟ ଚିକୁ କୁମାର, ଚିକୁ କୁମାରଙ୍କ ସଡୁ ପଙ୍କଜ କୁମାର(୩୩) ଏବଂ ଭଗବାନପୁରର ପୋଲିସ ଷ୍ଟେସନ ଅଞ୍ଚଳର ଦହିଆ ବାସିନ୍ଦା ୩୧ ବର୍ଷୀୟ ଡ୍ରାଇଭର ରାଜକୁମାର ମହତୋ ସାମିଲ ଅଛନ୍ତି । ଏଥିସହିତ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଆହତମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ ପାରିନାହିଁ ।