ସାରୁ ଭିତରେ ଅଛି କି ମାରୁ?
Advertisement

ସାରୁ ଭିତରେ ଅଛି କି ମାରୁ?


ସେ କୋଲକାତାରୁ ଆସୁଥବା ବେଳେ ଏକ ବସ୍ ଭିତରୁ ତାଙ୍କୁ ଗିରଫ କରାଯାଇଛି। ତେବେ ସେ ଏତେଦିନ ଧରି ଫେରାର ଥିବା ବେଳେ ଠିକ୍ ଆଜିଦିନରେ ହିଁ କାହଁକି ଘରବାହୁଡ଼ା ହେଉଥିଲେ, ଯେତେବେଳେ କି ତାଙ୍କ ବଞ୍ଚିଥିବା ଉପରେ ଆଙ୍ଗୁଳି ଉଠିବା ଆରମ୍ଭ ହେଲା ? ଏହା ଟିକେ ଅଡୁଆ ଲାଗୁନାହିଁ କି?  

 

ସାରୁ ଭିତରେ ଅଛି କି ମାରୁ?

ଆଜ୍ଞା ହଁ, ଗତକାଲି ଆମେ ଖବର ପ୍ରସାରଣ କରିଥିଲୁ, ପାଞ୍ଚ ପାଞ୍ଚଜଣ ଅଭିଯୁକ୍ତ ଧରା ପଡ଼ିବା ପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବଂ ଝୁନା ଭୋଇଙ୍କୁ କେମିତି ଗିରଫ କରି ପାରୁନାହିଁ ପୋଲିସ? ସିଏ ପ୍ରକୃତରେ ଜୀବିତ ନା ଅସଲ ଅପରାଧୀ ନିଜ ଉପରୁ ଧ୍ୟାନ ହଟାଇବାକୁ ତାଙ୍କୁ ମଧ୍ୟ ସଫା କରିଦେଇଛି? ଆଉ ମଜାର କଥା ଦେଖନ୍ତୁ, ଏ ଖବର ପ୍ରସାରଣର ୨୪ ଘଣ୍ଟା ନ ପୂରୁଣୁ ଗିରଫ ହେଲେ ଶର୍ମିଷ୍ଠା। ତାହା ବି କେଉଁ ରାଜ୍ୟ ବାହାର କିମ୍ବା ଦୂରଦୂରାନ୍ତରୁ ନୁହେଁ, ଖୋଦ୍ ଘଟଣା ଘଟିଥିବା ଜିଲ୍ଲା ଭଦ୍ରକର ନଳାଙ୍ଗରୁ। ଶର୍ମିଷ୍ଠା ଓ ଝୁନାଙ୍କୁ ଏଇଠାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପୋଲିସ କହୁଛି, ସେ କୋଲକାତାରୁ ଆସୁଥବା ବେଳେ ଏକ ବସ୍ ଭିତରୁ ତାଙ୍କୁ ଗିରଫ କରାଯାଇଛି। ତେବେ ସେ ଏତେଦିନ ଧରି ଫେରାର ଥିବା ବେଳେ ଠିକ୍ ଆଜି ଦିନରେ ହିଁ କାହଁକି ଘରବାହୁଡ଼ା ହେଉଥିଲେ, ଯେତେବେଳେ କି ତାଙ୍କ ବଞ୍ଚିଥିବା ଉପରେ ଆଙ୍ଗୁଳି ଉଠିବା ଆରମ୍ଭ ହେଲା? ଏହା ଟିକେ ଅଡୁଆ ଲାଗୁନାହିଁ କି? ମାନେ ସତେ ଯେମିତି କେହି ତାଙ୍କୁ ଏ ତମାମ ଘଟଣା ସମ୍ପର୍କରେ ଟିକିନିଖି ଖବର ଦେଉଥିଲା। ଆଉ ଯେତେବେଳେ କଥା ତାଙ୍କଠାରୁ ଯାଇ ଅନ୍ୟ ଭିଭିଆଇପିଙ୍କ ଦିଗରେ ମଙ୍ଗ ମୋଡ଼ିବା ଆରମ୍ଭ କଲା, ସେତେବେଳେ କେହି ଯେମିତି ତାଙ୍କୁ ଆଗକୁ ପଠାଇଦେଲା। ନଚେତ୍ ସେ ଓଡ଼ିଶା ପୋଲିସ ଏବଂ କ୍ରାଇମବ୍ରାଞ୍ଚର ମୋଷ୍ଟ ୱାଣ୍ଟେଡ୍ ଥିବାବେଳେ ବୋକାଙ୍କ ଭଳି ଓଡ଼ିଶା ଫେରୁଥିଲେ କାହିଁକି? ସେ କ'ଣ ଜାଣି ନ ଥିଲେ ବର୍ତ୍ତମାନ ସମୟରେ ଓଡ଼ିଶା ଆସିଲେ ତାଙ୍କୁ ପୋଲିସ ଗିରଫ କରିନେବ ବୋଲି? ତେଣୁ ଟିକେ ସୁସ୍ଥ ମସ୍ତିଷ୍କରେ ଚିନ୍ତା କଲେ ଜଣାପଡ଼ିବ, ଏହା ପ୍ରକୃତରେ ପୋଲିସର ଗିରଫ ନୁହେଁ, ବରଂ ଶର୍ମିଷ୍ଠାଙ୍କ ଆତ୍ମସମର୍ପଣ!

ସବୁଠୁ ବଡ଼କଥା ହେଉଛି, ପୋଲିସ ଗିରଫ (!) କରିଥିବା ନେଇ ଦାବି କରୁଥିବା ଶର୍ମିଷ୍ଠାଙ୍କ ପ୍ରଥମ ଚିତ୍ର ଯେତେବେଳେ ଗଣମାଧ୍ୟମ ହାତରେ ଲାଗିଲା, ସେ ଉଦବିଗ୍ନ କିମ୍ବା ଚିନ୍ତିତ ଥିବାପରି ଆଦୌ ଜଣାପଡୁ ନ ଥିଲେ। ଅର୍ଥାତ୍ ସତେଯେମିତି ଏହା ଥିଲା ପୂର୍ବ ନିର୍ଦ୍ଧାରିତ। ତେଣୁ ତାଙ୍କ ଉପରେ ସେଭଳି କୌଣସି ଚାପ ଥିବା ପରିଲକ୍ଷିତ ହେଉ ନ ଥିଲା। ଆଜି ତାଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ। କ୍ରାଇମବ୍ରାଞ୍ଚ କହୁଛି ତାଙ୍କୁ ୧୦ ଦିନିଆ ରିମାଣ୍ଡ ଆବେଦନ କରିବ। ଏଇଟା ବି ଟିକେ ଖାପଛଡ଼ା ଲାଗୁନାହିଁ କି ? କାରଣ ବହୁ ବଡ଼ ବଡ଼ ମାମଲାରେ ପୋଲିସ ସର୍ବାଧିକ ୭ ଦିନ ରିମାଣ୍ଡ ଆବେଦନ କରୁଥିବା ବେଳେ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ଏଭଳି କ'ଣ ରହିଛି ଯେ, ପୋଲିସ ଏକାବେଳକେ ଦଶଦିନ ରିମାଣ୍ଡ ଆବେଦନ କରିବ? ମାନସଙ୍କ ପରିବାରର ସନ୍ଦେହ ଅନୁସାରେ ତେବେ କ'ଣ 'ସାରୁ ଭିତରେ ମାରୁ ଅଛି କି?' ଶର୍ମିଷ୍ଠା ରାଉତ-ନିରଞ୍ଜନ ସେଠୀ ଭିନ୍ନ ଏଥିରେ ଆଉ କୌଣସି ବଡ଼ ମାଛଙ୍କ ସମ୍ପୃକ୍ତି ରହିଛି କି? ଇତିମଧ୍ୟରେ ମାନସଙ୍କ ଭାଇ ରାକେଶ ସ୍ୱାଇଁ କହିଛନ୍ତି, ତାଙ୍କ ଭାଇଙ୍କ ସହ ଯାଇଥିବା ଦୀପକକୁ ମଧ୍ୟ ଗିରଫ କରାଯିବା ଦରକାର। କାରଣ ମାନସଙ୍କ ହତ୍ୟାକାଣ୍ଡରେ ତା'ର ମଧ୍ୟ ହାତ ରହିଛି।

  • ଧରାପଡ଼ିଲେ ଶର୍ମିଷ୍ଠା
  • ଜୀ ଓଡ଼ିଶା ନ୍ୟୁଜ୍ ପ୍ରଭାବ
  • 'ଶର୍ମିଷ୍ଠା ଜୀବିତ ତ' ପ୍ରସାରଣ ପରେ ଗିରଫ

ଶର୍ମିଷ୍ଠାଙ୍କ ବିଷୟରେ ଯାହା କୁହାଯାଉଛି, ତାହା କୌଣସି ସସପେନ୍ସ ଥ୍ରୀଲର ଠାରୁ କୌଣସି ଗୁଣରେ କମ୍ ନୁହେଁ। କୁହାଯାଉଛି, ଶର୍ମିଷ୍ଠା ଏବଂ ଝୁନା ତିନିଟି ରାଜ୍ୟରେ ଲୁଚି ବୁଲୁଥିଲେ। ତାହା ହେଉଛି, ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ଆସାମର ଗୌହାଟୀ ଏବଂ ପଶ୍ଚିମବଙ୍ଗର କୋଲକାତା। ଯୋଗାଯୋଗରୁ ପୋଲିସ ତାଙ୍କ ଉପସ୍ଥିତି ଟ୍ରାକ୍ କରିବ ବୋଲି ସେମାନେ ଫୋନ୍ ବ୍ୟବହାର କରୁ ନ ଥିଲେ। ଘଡ଼ିକୁ ଘଡ଼ି ନିଜ ଲୋକେସନ୍ ବଦଳାଉଥିଲେ। କୌଣସିଠାରେ ସ୍ଥାୟୀ ହୋଇ ରହୁ ନ ଥିଲେ। ତେବେ ତାଙ୍କ ସହ ଓଡ଼ିଶାରୁ କିଏ ସେ ଯୋଗାଯୋଗରେ ଥିଲା ? ଇଏ ଏବେ ସବୁଠୁ ବଡ଼ ପ୍ରଶ୍ନ। ବାହାରକୁ ଲାଗୁଛି ମାନସ ସ୍ୱାଇଁ ମାମଲାର ସମାଧାନ ହୋଇଗଲା। କାରଣ ତାଙ୍କ ପାଖରେ ଥିବା ଭିଡିଓ କ୍ଲିପଟି କ'ଣ, ସେଥିରେ କ'ଣ ସବୁ କଣ୍ଟେଣ୍ଟ ରହିଥିଲା, ସେ ଦିଗରେ ଲୋକଙ୍କ ଅନୁସନ୍ଧିତ୍ସା ବଢ଼ିବାରେ ଲାଗିଥିଲା। ବର୍ତ୍ତମାନ ଶର୍ମିଷ୍ଠା ରାଉତ ଧରାପଡ଼ିବା ପରେ ଆପାତତଃ ସେଥିରେ ଯବନିକା ପଡ଼ିଗଲା। ତେଣୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚର କର୍ତ୍ତବ୍ୟ ହେଉଛି, ଯେଉଁଥିପାଇଁ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟିଛି, ସେହି ମୂଳ କାରଣ ଭିଡିଓ କ୍ଲିପ୍ ବା ଚିପଟିକୁ ଉଦ୍ଧାର କରି ଲୋକଲୋଚନକୁ ଆଣିବା। ଅନ୍ୟଥା ଶର୍ମିଷ୍ଠା ଓଡ଼ିଶା ଆସିବା ଏବଂ ଆସିବା ରାସ୍ତାରେ ତାଙ୍କୁ ପୂର୍ବ ଯୋଜନା ମୁତାବକ ବସ୍ ମଧ୍ୟରୁ ଗିରଫ କରାଯିବା, ଷଡ଼ଯନ୍ତ୍ର ପଛର ଆଉ ଏକ ସୂଷ୍ମ ଷଡ଼ଯନ୍ତ୍ର ବୋଲି ଲୋକଙ୍କ ମନରେ ଥିବା ଧାରଣାକୁ ଦୂର କରିପାରିବ ନାହିଁ।