ଦୁଷ୍କର୍ମୀ ଫେରାର, ଚାପରେ କମିଶନରେଟ ପୋଲିସ

ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ଚାପରେ କମିଶନରେଟ ପୋଲିସ 

ଦୁଷ୍କର୍ମୀ ଫେରାର, ଚାପରେ କମିଶନରେଟ ପୋଲିସ

ସରୋଜ ବେହେରା, ଭୁବନେଶ୍ୱର: ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଚାପରେ କମିଶନରେଟ ପୋଲିସ। ଘଟଣାରେ ସମ୍ପୃର୍କ ଗଣମାଧ୍ୟମ କମ୍ପାନୀର କର୍ମଚାରୀ ଓ ପୋଲିସ ଅଧିକାରୀଙ୍କୁ ନେଇ ଦ୍ୱନ୍ଦରେ ପୋଲିସ । ସମୟ ଗଡିବା ସହ ଅଭିଯୁକ୍ତ ହେଲେଣି ଫେରାର । ଏପଟେ ବିଜେପି ଓ କଂଗ୍ରେସ କମିଶନରେଟ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିସାରିଲେଣି । ପୀଡିତାଙ୍କୁ ନେଇ ଭୁବନେଶ୍ୱର ଡିସିପିଙ୍କ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।

ଦୁଷ୍କର୍ମକାରୀଙ୍କୁ ଗିରଫ କରିବା ପାଇଁ କାହାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । କଂଗ୍ରେସ ମଧ୍ୟ ଏ ନେଇ ଏକ ଦାବି ପତ୍ର ଦେଇ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ନକଲେ ଦଳ ଆନ୍ଦୋଳକୁ ଓହ୍ଲାଇବ ବୋଲି ଧମକ ଦେଇଛନ୍ତି ମହିଳା କଂଗ୍ରେସ ଜିଲ୍ଲା ସଭାପତି । 

ଘଟଣାରେ କମିଶନରେଟ ପୋଲିସ ତଦନ୍ତ ଜୋରଦାର କରିଛି । ୪ ଜଣିଆ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ତିଆରି କରାହୋଇଛି । ସବୁ ପ୍ରକାର ପ୍ରମାଣ ସଂଗ୍ରହ ପାଇଁ ସମସ୍ତ ଦିଗରୁ ଚେଷ୍ଟା ଚାଲାଇଛି ପୋଲିସ । ଘଟଣାକୁ ୪ ମାସରୁ ଅଧିକ ସମୟ ବିତିଯାଇଥିବାରୁ ଫରେନସିକ ଦିଗକୁ ଗୁରୁତ୍ୱ ଦିଆଯାଉଛି । ସେପଟେ ଅଭିଯୁକ୍ତ ଫେରାର ନେଇ ଚର୍ଚା ଜୋର ଧରିଛି । ଅଭିଯୁକ୍ତ ପୋଲିସ ଅଧିକାରୀ ଜଣକ ଝାରସୁଗୁଡାର ଜଣାପଡିବା ପରେ ସେଠାର ଏସପି ସହ ଯୋଗାଯୋଗରେ ଅଛି କମିଶନରେଟ ପୋଲିସ ।

ସେପଟେ ବର୍ତ୍ତମାନ ସୁଦ୍ଧା ଘଟଣାରେ ୧୦ ଜଣଙ୍କୁ ଜେରା କରାଯାଇସାରିଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଏଭଳି ଏକ ସମ୍ବେଦନ ଘଟଣାରେ ଯେଉଁଠି ଗଣମାଧ୍ୟମ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ କମିଶନରେଟ ପୋଲିସ ମଧ୍ୟ ସବୁ ଦିଗକୁ ନେଇ ତଦନ୍ତ କରୁଛି । ହେଲେ ପୋଲିସର ଏଭଳି ଢିଲା ତଦନ୍ତ ଯୋଗୁ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଛନ୍ତି ।