ଦୁର୍ଦ୍ଦାନ୍ତ ବିକାଶ ଓ 'ବାଜପେୟୀ' କନେକସନ

କିଏ ସେହି ଜୟ ବାଜପେୟୀ ? 

ଦୁର୍ଦ୍ଦାନ୍ତ ବିକାଶ ଓ 'ବାଜପେୟୀ' କନେକସନ
ଫାଇଲ ଫଟୋ

କାନପୁର: କାନପୁର ଏନକାଉଣ୍ଟରର ମାଷ୍ଟରମାଇଣ୍ଡ ବିକାଶ ଦୁବେକୁ ଧରିବା ପାଇଁ ଦିନ ରାତି ଏକ କରିଦେଇଛି ପୋଲିସ । ୨୫ରୁ ଉର୍ଦ୍ଧ୍ୱ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ତେବେ ଏସବୁ ଭିତରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ବିକାଶ ଦୁବେର ଜୟ ବାଜପେୟୀ କନେକସନ ମଧ୍ୟ ପୋଲିସ ଜାଣିବାକୁ ପାଇଛି । ବିକାଶ ଦୁବେର କିଛି ନିକଟତର ଲୋକଙ୍କୁ ପଚରାଉଚରା ପରେ ଜୟ ବାଜପେୟୀ ସମ୍ପର୍କରେ ଜଣାପଡ଼ିଛି । ବିକାଶ ଦୁବେକୁ ଜିଲ୍ଲା ପାର୍ କରିବାରେ ସେ ସାହାଯ୍ୟ କରିଥିବା ଆଶଙ୍କା କରାଯାଉଛି । ଦୀର୍ଘ ୨୪ ଘଣ୍ଟା ପର୍ଯ୍ୟନ୍ତ ଜେରା କରିବା ପରେ ଜୟକୁ ଲକ୍ଷ୍ନୌକୁ ନେଇଛି ପୋଲିସ । 

କିଏ ସେହି ଜୟ ବାଜପେୟୀ ? 

ସୂତ୍ର ଅନୁସାରେ, ଜୟ ବାଜପେୟୀ ଜମି ମାଫିଆ । ବିକାଶ ଦୁବେର ସହାୟତାରେ ସେ ବିବାଦୀୟ ଜମି କିଣାବିକା କରିଥାଏ । ଜୟର ୧୫ରୁ ଅଧିକ କୋଠା ରହିଛି । କେବଳ ଏତିକି ନୁହେଁ ୧୨ରୁ ଉର୍ଦ୍ଧ୍ୱ ସ୍ଥାନରେ ଜମି ମଧ୍ୟ ରହିଛି । ଏ ତମାମ ସାମ୍ରାଜ୍ୟ ବିକାଶ ଦୁବେର ସହାୟତାରେ କରିଥିବା କୁହାଯାଉଛି । 

୭ ବର୍ଷ ପୂର୍ବରୁ ଜୟ ବାଜପେୟୀ ମାତ୍ର ୪ ହଜାର ଟଙ୍କା ଦରମା ପାଉଥିଲା । ସେ ଏକ ଛାପାଖାନାରେ କାମ କରୁଥିଲା । ତେବେ ମାତ୍ର କମ୍ ସମୟ ମଧ୍ୟରେ କୋଟିପତି ହୋଇଯାଇଛି ଜୟ । କାନପୁର-ଲକ୍ଷ୍ନୌ ରାସ୍ତାକଡ଼ରେ ତାର ଏକ ପେଟ୍ରୋଲ ପମ୍ପ ମଧ୍ୟ ଅଛି । ଏହି ପେଟ୍ରୋଲ ପମ୍ପ ବେଆଇନ ଭାବେ ହୋଇଥିବା କୁହାଯାଉଛି । 

କୁହାଯାଉଛି, ବିକାଶ ସହାୟତାରେ ଏତେବଡ଼ ସାମ୍ରାଜ୍ୟର ଅଧିକାରୀ ହୋଇଛି ଜୟ । ଏପରିକି ୮ ପୋଲିସ କର୍ମଚାରୀଙ୍କୁ ମାରିବା ପରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଜିଲ୍ଲା ପାର କରିବାରେ ସେ ସହାୟତା କରିଥିବା ଆଶଙ୍କା କରାଯାଉଛି । ଅବଶ୍ୟ ପୋଲିସର ତଦନ୍ତ ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ।