ବରିଷ୍ଠ କ୍ରିଡା ସାମ୍ବାଦିକ ସଂଜୀବ ବିଶ୍ୱାଳ, କ୍ରାଇମ ରିପୋର୍ଟର ଯତୀନ୍ଦ୍ର ସେଣ୍ଡ, ଆଲୋକ ବାରିକଙ୍କ ଫେସବୁକ ଆକାଉଂଟକୁ ମଧ୍ୟ ହ୍ୟାକ କରାଯାଇ ଅନୁରୂପ ଭାବେ ହ୍ୟାକରମାନେ ଟଙ୍କା ମାଗିଛନ୍ତି ।
Trending Photos
ସରୋଜ ବେହେରା, ଭୁବନେଶ୍ୱର: ଆପଣ ଫେସବୁକ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସାବଧାନ ! ଆପଣଙ୍କ ଆକାଉଂଟ ହ୍ୟାକ ହୋଇପାରେ । ସେଥିରେ ଥିବା ସମସ୍ତ ଡାଟା ସହ ଆପଣଙ୍କ ନାଁରେ ସାଙ୍ଗମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ହୋଇପାରେ । ଲକଡାଉନ ସମୟରେ ଏଭଳି ଭାବେ ଶହ ଶହ ଫେସବୁକ ହ୍ୟାକ କରି ହ୍ୟାକରମାନେ ଲକ୍ଷ ଲକ୍ଷ ଲୁଟି ନେଉଥିବା ଜଣାପଡିଛି । ଏଥିରୁ ପୋଲିସ, ସାମ୍ବାଦିକ ଓ ସରକାରୀ କର୍ମଚାରୀମାନେ ବି ବାଦ ପଡୁନାହିଁନ୍ତି ।
ଲକଡାଉନ ସମୟରେ ଏବେ ହ୍ୟାକରମାନେ ସକ୍ରିୟ ହୋଇଉଠିଛନ୍ତି । ଘରେ ବସିବା କାରଣରୁ ସେମାନେ ବିଭିନ୍ନ ଲୋକଙ୍କ ଫେସବୁକକୁ ହ୍ୟାକ କରିବା ସହ ତାହାର ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ଏଭଳି ଭାବେ ଗତ ୧୫ ଦିନ ଭିତରେ ପ୍ରାୟ ଶହେରୁ ଅଧିକ ଫେସବୁକ ହ୍ୟାକ କରାଯାଇଥିବା ଜଣାପଡିଛି । କମିଶନରେଟ ପୋଲିସର ବରିଷ୍ଠ ଏସିପି ରବୀନ୍ଦ୍ର ଶତପଥିଙ୍କ ଫେସବୁକ ହ୍ୟାକ କରାଯାଇଛି । ତାଙ୍କ ଆକାଉଂଟକୁ ହ୍ୟାକ କରି ମେସେଞ୍ଜରକୁ ବ୍ୟବହାର କରି ଶତପଥିଙ୍କ ସାଙ୍ଗସାଥୀ ଓ ବନ୍ଧୁମାନଙ୍କୁ ଜରୁରୀ ଆବଶ୍ୟକ ଥିବା କହି ହ୍ୟାକରମାନେ ଟଙ୍କା ମାଗିଛନ୍ତି । କେତେ ଜଣ ମଧ୍ୟ ତାଙ୍କୁ ଟଙ୍କା ପଠାଇଥିବା ଜଣାପଡିଛି ।
ସେହିପରି ବରିଷ୍ଠ କ୍ରିଡା ସାମ୍ବାଦିକ ସଂଜୀବ ବିଶ୍ୱାଳ, କ୍ରାଇମ ରିପୋର୍ଟର ଯତୀନ୍ଦ୍ର ସେଣ୍ଡ, ଆଲୋକ ବାରିକଙ୍କ ଫେସବୁକ ଆକାଉଂଟକୁ ମଧ୍ୟ ହ୍ୟାକ କରାଯାଇ ଅନୁରୂପ ଭାବେ ହ୍ୟାକରମାନେ ଟଙ୍କା ମାଗିଛନ୍ତି । ଖାଲି ଏମାନେ ନୁହଁନ୍ତି, ବରଂ ରାଜଧାନୀ ସମେତ ରାଜ୍ୟର ପ୍ରାୟ ଶହେରୁ ଅଧିକ ଲୋକଙ୍କ ଫେସବୁକ ହ୍ୟାକ ହୋଇଛି । ଯାହା ଏବେ ଚିନ୍ତାର ବିଷୟ ହୋଇଛି । ସେଭଳି ଭୁବନେଶ୍ବର ଇଡକୋରେ କାମ କରୁଥିବା ଜଣେ ଇଂଜିନିୟରଙ୍କ ଆକାଉଣ୍ଟ ହ୍ୟାକ କରି ହ୍ୟାକର ମାନେ ତାଙ୍କ ସାଙ୍ଗମାନଙ୍କଠାରୁ ଟଙ୍କା ନେବାରେ ସଫଳ ହୋଇଛନ୍ତି । କୋରୋନା ସମୟରେ ଫେସବୁକ ହ୍ୟାକ କରି ଟଙ୍କା ମାଗିବା ଯେତିକି ଚିନ୍ତାଜନକ ନୁହଁ, ଉକ୍ତ ଆକାଉଂଟକୁ ବ୍ୟବହାର କରି ଯଦି କିଛି ଆପତିଜନକ ଫଟୋ, ଭିଡ଼ିଓ କିମ୍ବା ମେସେଜ ଲେଖନ୍ତି, ତେବେ ଏହା ଆକାଉଂଟଧାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏନେଇ ପୋଲିସରେ ମଧ୍ୟ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ହ୍ୟାକରଙ୍କୁ ଧରିବା ଲାଗି ଉଦ୍ୟମ ଆରମ୍ଭ କରିଛି ।
ତେବେ ହ୍ୟାକରମାନେ ଏଭଳି କରିବା ପଛରେ ଲକଡାଉନ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । କାରଣ ଲକଡାଉନ ସମୟରେ ହ୍ୟାକରମାନଙ୍କର କିଛି କାମଧନ୍ଦା ରହୁନି । ସେମାନେ ଘରେ ବସି ବଦମାସି କରିବା ସହ କିଛି ଟଙ୍କା ଲୁଟିବା ପାଇଁ ଏଭଳି କରୁଛନ୍ତି । ତେବେ ଏହାକୁ କିଭଳି ରୋକାଯାଇପାରିବ, ସେନେଇ ଉପାୟ ଥିବା ଜଣେ ଆଇଟି ବିଶେଷଜ୍ଞ ଚିରାଗ ରଥ କହିଛନ୍ତି । ତାଙ୍କ କହିବାନୁସାରେ, ଫେସବୁକ ଆକାଉଂଟର ରିୟଲ ଟାଇମ ପାସୱାର୍ଡ ବଦଳାଇ ଦିଅନ୍ତୁ । ପରେ ସେଟିଂ ପ୍ରାଇଭେସିକୁ ଯାଇ ଟ୍ରୁ-ଫ୍ୟାକ୍ଟର ଅଥଂଣ୍ଡିକେସନ ଅନ କରନ୍ତୁ, ଡିଭାଇସ ରିକୋଜନାଇଜେସନ ଅନ କରନ୍ତୁ । ଫଳରେ ଅନ୍ୟ କେହି ଯଦି ଆପଣଙ୍କ ଆକାଉଂଟ ଖୋଲନ୍ତି, ତେବେ ଆପଣଙ୍କ ପାଖକୁ ମେସେଜ ଆସିଯିବ । ତେଣୁ ହ୍ୟାକରଙ୍କ ଠାରୁ ବର୍ତିବା ଲାଗି ଏସବୁ ସେଟିଂକୁ ବଦଳାଇ ଦିଅନ୍ତୁ, ନଚେତ ଆପଣମାନେ ମଧ୍ୟ ହ୍ୟାକରଙ୍କ ଟାର୍ଗେଟକୁ ଆସିବେ, ଏଥିରେ ସନ୍ଦେହ ନାହିଁ ।