ଗାଙ୍ଗପୁର IIC ଅପମୃତ୍ୟୁ ଫଲୋଅପ୍
Advertisement

ଗାଙ୍ଗପୁର IIC ଅପମୃତ୍ୟୁ ଫଲୋଅପ୍

ଗଞ୍ଜାମ ଜିଲ୍ଲା ଗାଙ୍ଗପୁରରେ ଘଟିଥିଲା ଅଘଟଣ। ଆଇନର ରକ୍ଷକ ହୋଇଥିଲେ ମୃତ୍ୟୁର ଶିକାର।

ଗାଙ୍ଗପୁର IIC ଅପମୃତ୍ୟୁ ଫଲୋଅପ୍

 

  • ରହସ୍ୟମୟ ଅପମୃତ୍ୟୁ !
  • ମିଳିମିଶି ଚାପିଦେଲେ ?
  • ସତରେ ଗାଙ୍ଗପୁର IIC କରିଛନ୍ତି ଆତ୍ମହତ୍ୟା ?
  • ଉପସ୍ଥିତ ବରଷ୍ଠ ଅଧିକାରୀ କରୁଥିଲେ କ'ଣ ?
  • ପୁଣି ଭାଇରାଲ୍ ହେଲା ଅଡିଓ-ଭିଡିଓ

ଆଜିକୁ ଠିକ୍ ଆଠ ଦିନ ବିତିଗଲା। ଆଠ ଦିନ ପୂର୍ବରୁ ଅର୍ଥାତ ଗତ ମାର୍ଚ୍ଚ ୨୨ ତାରିଖ ଘଟିଥିଲା ସେହି ଅଭାବନୀୟ ଘଟଣା। ଗଞ୍ଜାମ ଜିଲ୍ଲା ଗାଙ୍ଗପୁରରେ ଘଟିଥିଲା ଅଘଟଣ। ଆଇନର ରକ୍ଷକ ହୋଇଥିଲେ ମୃତ୍ୟୁର ଶିକାର। ହେଲେ କେମିତି? ତାହା ଆଜି ବି ରାଜ୍ ହୋଇ ରହିଯାଇଛି। ଅପରାହ୍ନରେ ଫୁଟିଥିଲା ଗୁଳି। ଗାଙ୍ଗପୁର ଥାନା ଅଧିକାରୀଙ୍କ କ୍ଵାର୍ଟରରେ ଫୁଟିଥିଲା ଗୁଳି। ଆଉ ସେହିଠାରେ ହିଁ ଟଳି ପଡ଼ିଥିଲେ ମାତ୍ର ୩ ମାସ ପୂର୍ବରୁ ଯୋଗ ଦେଇଥିବା ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ। ପରିବାର ସଦସ୍ୟଙ୍କୁ ମୃତ୍ୟୁର ବିଶ୍ୱସନୀୟ କାରଣ ନ ଜଣାଇ ତରବର ହୋଇ ଘଟଣାସ୍ଥଳ ଅର୍ଥାତ୍ ଦେବ କୁମାରଙ୍କ ସରକାରୀ ବାସଭବନରୁ ଚାଲି ଯାଇଥିଲେ ଦୁଇ ବରିଷ୍ଠ ପୋଲିସ ଅଧିକାରୀ। ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଏସଡିପିଓ ଏବଂ ଆଉ ଜଣେ ଥାନାର ସବ୍ ଇନ୍ସପେକ୍ଟର ବୋଲି କୁହାଯାଉଛି। ଏ ଘଟଣା ସେତେବେଳେ ସାରା ରାଜ୍ୟର ପୋଲିସ ବିଭାଗକୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା। ଏପରିକି ରାଜ୍ୟର ଆଇନ ବ୍ୟବସ୍ଥା ଉପରକୁ ଆଙ୍ଗୁଳି ମଧ୍ୟ ଉଠାଇଥିଲା। ତାଙ୍କ ପରିବାର ତ ଏବେ ବି ଏହି ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ମାନିବାକୁ ରାଜି ନୁହନ୍ତି। ତାଙ୍କ ମାଆ ଏବେ ବି କହୁଛନ୍ତି, ପୁଅର ମୃତ୍ୟୁ ପଛରେ ସେହି ଦୁଇଜଣଙ୍କର କିଛି ହାତ ଥାଇପାରେ। ନ ହେଲେ ସେମାନେ ଘଟଣାସ୍ଥଳ ଛାଡ଼ି ପଳାଇଗଲେ କାହିଁକି?

 ଏଣେ ଘଟଣାଦିନ ଦେବ କୁମାରଙ୍କ ପତ୍ନୀ ଏବଂ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ତିନିଟି ଅଡିଓ ଏବେ ଭାଇରାଲ ହେଉଛି। ଗୋଟିଏ ଅଡିଓରେ ଏସଡିପିଓ ତୁରନ୍ତ ଦେବ କୁମାରଙ୍କୁ ନେଇ ଚିକିତ୍ସା କରାନ୍ତୁ ବୋଲି କହୁଥିବା ବେଳେ ଆଉ ଗୋଟିଏ ଅଡିଓରେ ଦେବ କୁମାରଙ୍କ ପତ୍ନୀ ତାଙ୍କୁ ବିଶାଖାପାଟଣା ନେଇଯିବେ ବୋଲି କହୁଛନ୍ତି। ଆଉ ତୃତୀୟ ଅଡିଓରେ ଏସଡିପିଓ ଦେବ କୁମାରଙ୍କ କ୍ୱାର୍ଟର୍ସରେ ଥିବା କହୁଛନ୍ତି। ଏଥିସହ ଥାନାର ଜଣେ ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ମଧ୍ୟ ତମାମ ଘଟଣା ବିଷୟରେ ବର୍ଣ୍ଣନା କରୁଥିବାର ଭିଡିଓ ଭାଇରାଲ ହେଉଛି। ତେଣେ ରାସ୍ତାକଡ଼ରେ ରହିଛି ସିସିଟିଭି କ୍ୟାମେରା। ତେଣୁ ତାକୁ ତଦନ୍ତ ପରିସରକୁ ନେଲେ ବହୁକଥା ଜଣା ପଡ଼ିଯାଆନ୍ତା ବୋଲି କୁହାଯାଉଛି। ଏଥିରେ କିଏ କିଏ ମୃତ ଥାନାଧିକାରୀ ଦେବକୁମାର ଗମାଙ୍ଗଙ୍କ ଘରକୁ ଯାଇଥିଲେ, ତାହାର ଏକ ସ୍ପଷ୍ଟ ଚିତ୍ର ମଧ୍ୟ ମିଳିପାରନ୍ତା।

ତେବେ ସେହି ଘଟଣାକୁ ଆଠ ଦିନ ବିତି ଯାଇଥିଲେ ମଧ୍ୟ ଘଟଣା ଉପରୁ ଏବେ ବି ପରଦା ଉଠାଇବାରେ ସକ୍ଷମ ହୋଇ ପାରିଲା ନାହିଁ ଜିଲ୍ଲା ପୋଲିସ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେବ କୁମାର ଗମାଙ୍ଗ ସେଭଳି ହାଇ ପ୍ରୋଫାଇଲ ବ୍ୟାକ୍ ଗ୍ରାଉଣ୍ଡରୁ ଆସି ନଥିଲେ। ତେଣୁ ତାଙ୍କ ମୃତ୍ୟୁରେ ଯେ କାହାରି ମୁଣ୍ଡବ୍ୟଥା ହେବ, ଏପରି ଭାବିବା ଅସମ୍ଭବ। ବର୍ତ୍ତମାନ କେବଳ ତଦନ୍ତ ଆଳରେ ଦିନ ଗଡୁଥିବା ବେଳେ ଘଟଣାର ଜୁଡିସିଆଲ ତଦନ୍ତ ପାଇଁ ଦାବି କରିଛନ୍ତି ଜିଲ୍ଲାର ବରିଷ୍ଠ ନାଗରିକ ମାନେ। ତେବେ ସେଥିରେ ମଧ୍ୟ ବିଶେଷ ଲାଭ ହେବା ଆଶା ଜଣା ପଡୁନାହିଁ। ଘଟଣା ଉପରେ ଜିଲ୍ଲା ବାସୀଙ୍କ ନଜର ହଟି ନଥିବା ବେଳେ ଏବେ ଦିନ ଯେତିକି ବଢୁଛି ଅଡିଓ ଭିଡ଼ିଓ ସୋସିଆଲ ମିଡିଆରେ ଘୂରିବୁଲିବାରେ ଲାଗିଛି। ତେବେ ଘଟଣା ପଛରେ କ'ଣ ରହସ୍ୟ ରହିଛି ତାକୁ ଏବେ ଚାହିଁ ବସିଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେବାର ମଧ୍ୟ ଆବଶ୍ୟକତା ରହିଛି।