ସୁଜିତ ବିଷୋୟୀ, ଗଜପତି: ଧର୍ମ ଗ୍ରହଣକୁ ନେଇ ଉପୁଜିଛି ବିବାଦ। ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଧର୍ମ ପରିବର୍ତ୍ତନ କରୁନଥିବା ଯୋଗୁଁ ଚାପରେ ଅଛନ୍ତି ପରିବାର ବର୍ଗ। ଏପରିକି ନିଜ ପୈତୃକ ସମ୍ପତ୍ତି ନଦେବାକୁ ଧମକ ଦେବା ସହ ଆକ୍ରମଣ କରାଯାଉଛି। ଏନେଇ ଲିଖିତ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି , ରାୟଗଡ଼ ଥାନା ଲକ୍ଷ୍ମୀପୁର ପଞ୍ଚାୟତ ଲାଙ୍ଗାସାହି ଗ୍ରାମର ପଣ୍ଡା ଶବର।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲାଙ୍ଗାସାହି ଗ୍ରାମରେ ବସବାସ କରନ୍ତି ୩୫ଟି ଆଦିବାସୀ ପରିବାର। ପୂର୍ବରୁ ୨୫ ପରିବାର ଧର୍ମ ପରିବର୍ତ୍ତନ କରିଥିବା ବେଳେ ଏଥିପାଇଁ ଚାପରେ ଅଛନ୍ତି ବଳକା ୧୦ ପରିବାର। ଏପରିକି ନିଜ ପୈତୃକ ସମ୍ପତ୍ତିର ଭାଗ ନ ଦେବାକୁ ଧମକ ଦେଉଥିବା ସହ କିଛି ଖଳ ପ୍ରକୃତିର ଲୋକ ବାରମ୍ବାର ଆକ୍ରମଣ କରୁଥିବା ଥାନାରେ ଅଭିଯୋଗ ହୋଇଛି।
ଅପରପକ୍ଷରେ ଏହାକୁ ତୀବ୍ର ନିନ୍ଦା କରିବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ପରିବାରକୁ ସୁରକ୍ଷା ଦାବି କରିଛନ୍ତି ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଶଵର ସମାଜ କଲ୍ୟାଣ ସମିତି ତଥା ହିନ୍ଦୁ ଜାଗରଣ ସାମୁଖ୍ୟ। ଧର୍ମ ପରିବର୍ତ୍ତନ କରୁନଥିବା ଘଟଣାକୁ କେନ୍ଦ୍ର କରି ଗ୍ରାମର ପଣ୍ଡା ଶବରଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ତେଣୁ କେତେବେଳେ ଯେ ବଡଧରଣର ହିଂସାକାଣ୍ଡ ଘଟିବା ଆଶଙ୍କା ରହିଛି। ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ ଥାନା ପକ୍ଷରୁ ଉଭୟ ପକ୍ଷ ସହ ଆଲୋଚନା କରି ଘଟଣାର ସମାଧାନ କରାଯିବା ନେଇ ପ୍ରୟାସ ଆରମ୍ଭ କରାଯାଇଛି।
ବିଭିନ୍ନ ସ୍ଥାନରେ ଧର୍ମାନ୍ତରୀକରଣକୁ ନେଇ ଗୋଷ୍ଠୀ ସଂଘର୍ଷ ତଥା ସାମ୍ପ୍ରଦୟିକ ଦଙ୍ଗା ଭଳି ପରିସ୍ଥିତି ଉପୁଜିଥିବା ପୂର୍ବରୁ ବହୁ ନଜିର ରହିଛି। ଏପରି ସ୍ଥଳେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଜରୁରୀ ହୋଇପଡିଛି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ଯେକୌଣସି ବ୍ୟକ୍ତି ନିଜ ଇଚ୍ଛାନୁସାରେ ଧର୍ମ ପରିବର୍ତ୍ତନ କରିପାରିବେ। କିନ୍ତୁ ଧର୍ମପରିବର୍ତ୍ତନ ପାଇଁ ଚାପ ପକାଇବା ଅପରାଧ।
ପଣ୍ଡା ଶବରଙ୍କ ଏତଲା ଅନୁସାରେ, ତାଙ୍କ ବଡବାପା ଗଙ୍ଗାଧର ଶବରଙ୍କ ପରିବାର ଖ୍ରୀଷ୍ଟିଆନ ଧର୍ମାମ୍ବଲମ୍ବୀ। ଆଉ ଗଙ୍ଗାଧରଙ୍କ ୩ ପୁଅ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାରମ୍ବାର ଚାପ ପକାଉଛନ୍ତି। କିନ୍ତୁ ସେ ଏଥିରେ ରାଜି ନହେବାକୁ ଜୀବନରୁ ମାରିଦେବାକୁ ସେମାନେ ପ୍ରୟାସ କରିଥିବା ପାଣ୍ଡା ଅଭିଯୋଗ କରିଛନ୍ତି।