ହ୍ୟାକରଙ୍କ ଟାର୍ଗେଟରେ IPS

ସାଇବର ଅପରାଧୀମାନେ ସଂପୃକ୍ତ ଅଧିକାରୀଙ୍କ ଫଟୋ ମଧ୍ୟ ଲଗାଇଛନ୍ତି ଆକାଉଣ୍ଟ‌ରେ । ଏହା ପରେ ସଂପୃକ୍ତ ଆଇପିଏସଙ୍କ ଫେସବୁକ ଆକାଉଣ୍ଟରୁ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଫ୍ରେଣ୍ଡ ରିକ୍ୟେଷ୍ଟ ପଠାଇବା ସହିତ ସେମାନଙ୍କୁ ଟଙ୍କା ମାଗୁଛନ୍ତି ।

ହ୍ୟାକରଙ୍କ ଟାର୍ଗେଟରେ IPS

ସରୋଜ ବେହେରା, ଭୁବନେଶ୍ୱର: ଲକଡାଉନ ଏବେ ସାଇବର ହ୍ୟାକରଙ୍କ ପାଇଁ ଆଣିଛି ରୋଜଗାର ପନ୍ଥା । ଲକଡାଉନ ପରେ ବିଭିନ୍ନ କମ୍ପାନୀରୁ ଛଟେଇ ହୋଇଥିବା ହ୍ୟାକରମାନେ ଏବେ ଲୋକଙ୍କ ଫେସବୁକ, gmail ଆକାଉଣ୍ଟ ହ୍ୟାକ୍ କରି ରୋଜଗାର କରିବାକୁ ଆପଣାଇଛନ୍ତି । ଯେକୌଣସି ଲୋକଙ୍କ ଆକାଉଣ୍ଟ ହ୍ୟାକ୍ କରି ସେଥିରେ ଥିବା ଲୋକଙ୍କୁ ନିଜ ମୋବାଇଲ ଓ ବ୍ଯାଙ୍କ ଆକାଉଣ୍ଟ ଦେଇ ଟଙ୍କା ମାଗି ଚାଲିଛନ୍ତି । ଏଭଳି ହ୍ୟାକରଙ୍କ ଶିକାର ହୋଇଛନ୍ତି ବରିଷ୍ଠ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ । ପ୍ରାଣବିନ୍ଦୁ ବର୍ତ୍ତମାନ ରେଳବାଇ ଓ କୋଷ୍ଟାଲ ସୁରକ୍ଷା ଦାୟିତ୍ବରେ ଏଡିଜି ଭାବେ କାର୍ଯ୍ୟରତ ଅଛନ୍ତି । ହ୍ୟାକରଙ୍କ ସାହସ ଏତେ ଯେ ଆଇପିଏସ ଅଧିକାରୀ ବୋଲି ଜାଣି ମଧ୍ୟ ତାଙ୍କ ଫେସବୁକ ହ୍ଯାକ କରି ଫ୍ରେଣ୍ଡ ଲିଷ୍ଟରେ ଥିବା ଲୋକଙ୍କୁ ଟଙ୍କା ମାଗି ଚାଲିଛନ୍ତି ହ୍ୟାକର । ଏ ନେଇ ପ୍ରାଣବିନ୍ଦୁ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ହ୍ୟାକରଙ୍କ ଆଗରେ ପୋଲିସ ବିଭାଗ ମଧ୍ୟ ନାଚାର ରହିଛି ।

ସାଇବର ଅପରାଧୀମାନେ ସଂପୃକ୍ତ ଅଧିକାରୀଙ୍କ ଫଟୋ ମଧ୍ୟ ଲଗାଇଛନ୍ତି ଆକାଉଣ୍ଟ‌ରେ । ଏହା ପରେ ସଂପୃକ୍ତ ଆଇପିଏସଙ୍କ ଫେସବୁକ ଆକାଉଣ୍ଟରୁ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଫ୍ରେଣ୍ଡ ରିକ୍ୟେଷ୍ଟ ପଠାଇବା ସହିତ ସେମାନଙ୍କୁ ଟଙ୍କା ମାଗୁଛନ୍ତି । ଏହା ଜାଣିବା ପରେ ସଂପୃକ୍ତ ଅଧିକାରୀ ଜଣକ ନିଜ ଫେସବୁକ ଆକାଉଣ୍ଟରେ ଏହା ସେୟାର କରିବା ସହିତ ଏଥିପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ କରିଛନ୍ତି । ପ୍ରାଣବିନ୍ଦୁ କ୍ରାଇମ ବ୍ରାଂଚରେ ଅଭିଯୋଗ କରିବା ପରେ ଏବେ ସାଇବର ଅପରାଧୀଙ୍କୁ ନେଇ ସମସ୍ତେ ଚିନ୍ତାରେ । ଯଦି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସାଇବର ଅପରାଧୀମାନେ ଟାର୍ଗେଟ କରି ପାରୁଛନ୍ତି, ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ତାହା ଚିନ୍ତାଜନକ । ଏହାପୂର୍ବରୁ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଏସିପି ରବି ଶତପଥି, ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ରଙ୍କ ଭଳି ଅଧିକାରୀଙ୍କ ଆକାଉଣ୍ଟ ହ୍ୟାକ୍ କରିସାରିଛନ୍ତି । ସାଧାରଣ ଲୋକଙ୍କ ତାଲିକା କହିଲେ ନ ସରେ । କୌଣସି ଗୋଟାଏ ବି ମାମଲାରେ ପୋଲିସକୁ ସଫଳତା ନ ମିଳିବା ପୋଲିସକ କାଢୁଆ ପଣକୁ ପଦାରେ ପକାଇଛି ।