ଥାନା ପଡିଛି ମୁଗୁରାମେଲା, ଲୋକଙ୍କୁ ସୁଧାରିବାକୁ ଚାଲିଛି ପୋଲିସ
Advertisement
Article Detail0/zeeodisha/odisha682417

ଥାନା ପଡିଛି ମୁଗୁରାମେଲା, ଲୋକଙ୍କୁ ସୁଧାରିବାକୁ ଚାଲିଛି ପୋଲିସ

କୋରୋନା ଯୁଦ୍ଧରେ ଆଗଧାଡ଼ିର ସୈନିକ ସାଜିଥିବା ଖାକି ପୋଷାକଧାରୀ ପୁଲିସ ବିଭିନ୍ନ ଆଡୁ ପ୍ରସଂଶା ସାଉଟିଛି । କେଉଁଠି ଫୁଲ ଚନ୍ଦନ ଦେଇ ଲୋକେ ପୂଜା କରୁଛନ୍ତି ତ ଆଉ କେଉଁଠି ତାଙ୍କ ଚଲାପଥରେ ପୁଷ୍ପବର୍ଷା କରୁଛନ୍ତି । କୋଭିଡ଼ ଯୋଦ୍ଧାର ମାନ୍ୟତା ପାଇଥିବା ପୁଲିସ କର୍ମଚାରୀ ଏଭଳି ସମ୍ମାନ ପାଇବା ପାଇଁ ପ୍ରକୃତପକ୍ଷେ ହକଦାର । ହେଲେ କେଇଜଣ

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ବର: କୋରୋନା ଯୁଦ୍ଧରେ ଆଗଧାଡ଼ିର ସୈନିକ ସାଜିଥିବା ଖାକି ପୋଷାକଧାରୀ ପୁଲିସ ବିଭିନ୍ନ ଆଡୁ ପ୍ରସଂଶା ସାଉଟିଛି । କେଉଁଠି ଫୁଲ ଚନ୍ଦନ ଦେଇ ଲୋକେ ପୂଜା କରୁଛନ୍ତି ତ ଆଉ କେଉଁଠି ତାଙ୍କ ଚଲାପଥରେ ପୁଷ୍ପବର୍ଷା କରୁଛନ୍ତି । କୋଭିଡ଼ ଯୋଦ୍ଧାର ମାନ୍ୟତା ପାଇଥିବା ପୁଲିସ କର୍ମଚାରୀ ଏଭଳି ସମ୍ମାନ ପାଇବା ପାଇଁ ପ୍ରକୃତପକ୍ଷେ ହକଦାର । ହେଲେ କେଇଜଣ ହାତଗଣତି ଖାକି ପୋଷାକ ପିନ୍ଧା ଏହି କରୋନା ଯୋଦ୍ଧାଙ୍କୁ ବଦନାମ କରୁଛନ୍ତି । ଯେଉଁ କେତେଜଣଙ୍କ ଲାଗି ଆଜି ପୁଲିସ ବିଭାଗ ବଦନାମ ହେଉଛି, ସେମାନଙ୍କ ବିରୋଧରେ ଆଖିଦୃଶୀୟା କାର୍ଯ୍ୟାନୁଷ୍ଠାନ ନିଆଯାଉନି । 

ନିଜ ଥାନାରେ ଚାଲିଥିବା ଅବ୍ୟବସ୍ଥା ଏବେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ କାଳ ସାଜୁଛି । ଆଜ୍ଞା ହଁ ଆମେ କହୁଛୁ ଓଡିଶା ପୋଲିସର  କିଛି ଥାନାର କଥା । ଲକଡାଉନ ସମୟରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରୀ ଦୀପକ ଜେନା ଏକ ସିଜ ଗାଡ଼ିରେ ନାଲିବତୀ (ଅରେଞ୍ଜ) ଲଗାଇ ପୁରା ପରିବାର ସହ ପୁରୀ ଯାଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମନ୍ଦିର ପ୍ରବେଶ ଉପରେ ସରକାରୀ କଟକଣା ଥିବା ବେଳେ ସେ ନିଜ କ୍ଷମତାର ଅପବ୍ୟବହାର କରିଥିଲେ । ଖାଲି ଏତିକି ନୁହେଁ, ଏକ ସିଜ ଗାଡିରେ ନାଲିବତୀ ଲଗାଇ ଯାଜପୁରରୁ ପୁରୀ ପର୍ଯ୍ୟନ୍ତ ପୁଲିସ ପ୍ରଶାସନକୁ ଚକମା ଦେଇ ଘୂରିବୁଲିଥିଲେ । ଏହି ଘଟଣାରେ ଇନସ୍ପେକ୍ଟର ଦୀପକ ଜେନାକୁ ପୁଲିସ ଡିଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

କେବଳ ସେତିକି ନୁହଁ । ମୋଷ୍ଟ ପାୱାରଫୁଲ କୁହାଯାଉଥିବା କମିଶନରେଟ ପୋଲିସ ମଧ୍ୟ କିଛି କମ ନୁହଁ । ଲକଡାଉନ ସମୟରେ ରାଜଧାନୀର ସମ୍ବେଦନଶୀଳ ସ୍ଥାନ ତଥା କୋଭିଡ-୧୯ ନେଇ ଦୈନିକ ସାମ୍ବାଦିକ ସମ୍ମିଳନୀ କରାଯାଉଥିବା ଗୀତଗୋବିନ୍ଦ ଭବନ ନିକଟରେ ସାଙ୍ଗମାନଙ୍କ ସହ ମଦପିଇବା ବେଳେ ହାବିଲଦାର ଓ କନଷ୍ଟେବଲ ସଂଘ ସମ୍ପାଦକ ପ୍ରସନ୍ନ ବେହେରା ପୁଲିସ ହାତରେ ଧରାପଡିଥିଲେ । ପୁଲିସ ତାଙ୍କ ଠାରୁ ଓଡ଼ିଶା ସହରାଂଚଳ ଆଇନ ଅନୁସାରେ ଜୋରିମାନା ଆଦାୟ କରିଥିଲା । ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତାଙ୍କ ଠାରୁ ବଳି ଗଲେ କ୍ୟାପିଟାଲ ଥାନାର ସବଇନ୍ସପେକ୍ଟର । କ୍ୟାପିଟାଲ ଥାନାର ସବ-ଇନସ୍ପେକ୍ଟର ରାକେଶ ସାମଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସବ ଇନ୍ସପେକ୍ଟର ଜଣକ ନିଜ କ୍ଷମତାର ଅପବ୍ୟବହାର କରି ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ ଗାଡି କିଣାଇ ଦେବାକୁ କହି ୫ଲକ୍ଷ ଟଙ୍କା ଠକି ନେଇଥିବା ଯୁବତୀ ଜଣକ ଖୋଲାଖୋଲି କହିଛନ୍ତି । ତାଙ୍କ ବିରୋଧରେ ମହିଳା ଥାନାରେ ଦଫା ୩୭୬, ୩୧୩, ୫୦୬ ଏବଂ ୪୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ମାମଲା ରୁଜୁ ପରେ ସଂପୃକ୍ତ ପୁଲିସ ଏସଆଇକୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ହେଲେ ଅଦ୍ୟାବଧି ତାଙ୍କୁ ଗିରଫ କରାଯାଇନାହିଁ ।

ଏଥିସହିତ ଲକଡାଉନ ନିୟମ ଭାଙ୍ଗିବାରୁ ସର୍ବସମ୍ମୁଖରେ ଦୁଇ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବନମାଳିପୁର ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟି ବିବାଦକୁ ଆସିଛନ୍ତି । ସର୍ବସମ୍ମୁଖରେ ସେ ଗାଳିଗୁଳଜ କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ବିବାଦକୁ ଆସିବା ପରେ ତାଙ୍କୁ କମିଶନରେଟ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏସବୁ ଘଟଣାକୁ ଅନୁଧ୍ୟାନ କଲେ, ବିବାଦୀୟ ଖାକି ପୋଷାକଧାରୀ ଅଫିସରଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ କି ବୋଲି ପ୍ରଶ୍ନ ଉଠିଛି ? କେବଳ ବନମାଳିପୁର ଫାଣ୍ଡି ଅଧିକାରୀ ଶ୍ରୀପୃଷ୍ଟିଙ୍କୁ ଛାଡିଲେ, ବାକି ସମସ୍ତ ପୁଲିସ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି । ହେଲେ ପୁଲିସ ମୁଖିଆ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁହାଯାଉଛି, ଯେଉଁ କରିତକର୍ମା ପୁଲିସକୁ ବଦନାମ କରୁଛନ୍ତି, ସେମାନଙ୍କର ଉପରମହଲରେ ବେଶ ପ୍ରଭାବ ରହିଛି । ତେଣୁ ଚାପରେ ପଡି ପୁଲିସ ବଡ଼ପଣ୍ଡାମାନେ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ନେବାକୁ କୁଣ୍ଠାବୋଧ କରୁଛନ୍ତି । ଅନ୍ୟପଟେ ଥାନାରେ ଥାନାଧିକାର ସବୁ ଦାୟୀତ୍ବରେ ଥିବା ବେଳେ ତାଙ୍କର ଅପାରଗତା ଯୋଗୁ ବାଘ ଥାଇ ବି ମିରିଗ ନାଟ କରୁଛନ୍ତି । ଏହାର କାରଣ ଥାନାଧିକାରୀ ସେତିକି ଦକ୍ଷ ନ ଥିବା ବେଳେ ସବ ଇନ୍ସପେକ୍ଟର ଉପରେ ନିର୍ଭର ରହୁଛନ୍ତି । ଏହାର ଫାଇଦା ଉଠାଉଛନ୍ତି ସେମାନେ । ଶେଷରେ ଭୁଲ ହୋଇ ବଦନାମ ହେଉଛି ଥାନା। ଏନେଇ ପୁଲିସ ଡିଜି କିମ୍ବା ପୁଲିସ କମିଶନରଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ବିବାଦୀୟ ଖାକି ପୋଷାକଧାରୀଙ୍କ ବିରୋଧରେ ଆଶାଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୁଦ୍ଧିଜୀମୀମାନେ ଆଶାପ୍ରକାଶ କରିଛନ୍ତି ।

;