)
ଭୁବନେଶ୍ୱର: ଏକ କୋଟି ଟଙ୍କା ବୀମା ରାଶି ପାଇବା ପାଇଁ ଜଣେ ମହିଳା ପୁଲିସ କନଷ୍ଟେବଳଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି। ସେ ପୁରୁଷ ଜଣକ ପୁଣି କମିଶନରେଟ ପୁଲିସରେ କିରାଣୀ ଭାବେ କାମ କରୁଛନ୍ତି। ଅର୍ଥାତ୍ ଆଇନର ରକ୍ଷାକାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ପୁଲିସ କିରାଣୀ ଆଉ ଜଣେ ଆଇନ ରକ୍ଷକଙ୍କୁ ହତ୍ୟା କରିଛନ୍ତି। ପୁଣି ଏ ଦୁହିଁଙ୍କ ସମ୍ପର୍କ ଆଇନଗତ ଭାବେ ପତି-ପତ୍ନୀଙ୍କ ସମ୍ପର୍କ ବୋଲି ପୁଲିସ ତଦନ୍ତରୁ ଜାଣିପାରିଛି।
ପୁଲିସ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ହତ୍ୟା ହୋଇଥିବା ମହିଳା ପୁଲିସ କନଷ୍ଟେବଳ ହେଉଛନ୍ତି ଶୁଭମିତ୍ରା ସାହୁ। ସେ ଭୁବନେଶ୍ୱର କମିଶନରେଟ ପୁଲିସରେ ଟ୍ରାଫିକ୍ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ଶୁଭମିତ୍ରା ଗଲା ୬ ତାରିଖରୁ ନିଖୋଜ ରହିଥିବା ଅଭିଯୋଗ ହୋଇଥିଲା। ଭୁବନେଶ୍ୱରର ସୂର୍ଯ୍ୟ ନଗର ଅଞ୍ଚଳରେ ସେ ରହୁଥିଲେ କିନ୍ତୁ ହଠାତ୍ ଘରକୁ ନ ଆସିବା ସନ୍ଦେହ ବଢ଼ାଇଥିଲା। ସୂଚନା ଅନୁସାରେ ଶୁଭସ୍ମିତା ପୁଲିସ କମିଶନରେଟରେ କାର୍ଯ୍ୟ କରୁଥିବା ଦୀପକ ରାଉତଙ୍କୁ ପ୍ରେମ ବିବାହ କରିଥିଲେ। କୋର୍ଟରେ ସେମାନେ ବିବାହ ପଞ୍ଜିକରଣ ମଧ୍ୟ କରିଥିବା ସୂଚନା ମିଳିଛି।
ଗତକାଲି ସନ୍ଧ୍ୟାରେ ଘଟଗାଁର କୁସୁନପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପୋତାଯାଇଥିବା ଏକ ବସ୍ତାରୁ ଦୁର୍ଗନ୍ଧ ଆସିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ପୁଲିସ ତାହାକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା। ଆଉ ଏ ତଦନ୍ତ ପରେ ଶୁଭମିତ୍ରାଙ୍କ ଦେହାବଶେଷ ମିଳିଥିଲା। ଏହାକୁ ଚିହ୍ନଟ କରିବା ସହ ପୁଲିସ ସମାନ୍ତରାଳ ଭାବେ ଦୀପକଙ୍କୁ ପଚରାଉଚୁରା କରିଥିଲା। ପଚରା ଉଚୁରା ସମୟରେ ସେ ହିଁ ହୈତ୍ୟାକାରୀ ବୋଲି ସ୍ୱୀକାର କରିଥିବା ସୂଚନା ମିଳିଛି। ଏହି ହତ୍ୟା କାଣ୍ଡରେ ପୁଲିସ ଅନ୍ୟ ଦୁଇଜଣ ସହଯୋଗୀଙ୍କ ହାତ ଥିବା ଜାଣିବାକୁ ପାଇଛି। ସେମାନେ ହେଲେ ଦୀପକର ମାଉସୀ ପୁଅ ଭାଇ ପପୁ ଏବଂ ତାଙ୍କ ବନ୍ଧୁ ଜଟିଆ। ଯେହେତୁ ଜଟିଆଙ୍କ ବାଡ଼ିରେ ଶବ ପୋତା ଯାଇଥିଲା ତାହାକୁ ନେଇ ଜଟିଆଙ୍କ ଉପରେ ସନ୍ଦେହ ବଢ଼ିଥିଲା।
ପୁଲିସ ପଚରାଉଚୁରା ଚାଲିଛି ଓ ତଦନ୍ତ ଶେଷ ହେଲେ ସବିଶେଷ ସୂଚନା ଦିଆଯିବ ବୋଲି କୁହାଯାଇଛି। କିନ୍ତୁ ଯେଉଁ ସୂଚନା ମିଳିଛି ସେଥିରେ; ଦୀପକ ଓ ଶୁଭମିତ୍ରାଙ୍କ ଭିତରେ ଟଙ୍କା ନେଣ-ଦେଣକୁ ନେଇ ବଚସା ହୋଇଥିବା ସୂଚନା ମିଳିଛି। ଶୁଭମିତ୍ରା ଦୀପକଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ବିବାହ ପାଇଁ ସେ ଏହାକୁ ମାଗି ଥିଲେ। କିନ୍ତୁ ଦୀପକ ତାହା ଦେଇ ପାରି ନଥିବାରୁ ଦୁହିଁଙ୍କ ଭିତରେ ବଚସା ହୋଇଥିଲା। ଏହା ହତ୍ୟାର ପ୍ରମୁଖ କାରଣ ବୋଲି ବି କୁହାଯାଉଛି।
ତଦନ୍ତ ବେଳେ ଦୀପକ ଶୁଭସ୍ମିତାଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଥିବା ସୂଚନା ମିଳିଛି। ହତ୍ୟା ପରେ ତାଙ୍କୁ ଭୁବନେଶ୍ୱରରୁ କେନ୍ଦୁଝର ଏକ କାରରେ ଭର୍ତ୍ତିକରି ନେଇଥିଲେ। ଘଟଗାଁରେ ତାହାକୁ ପୋତି ଦେଇଥିବେ ସୂଚନା ମିଳିଛି।