ହୋଟେଲରେ ରହିବାକୁ ଯାଇଥିଲା, ଆଇଡି ମାଗିବାରୁ ପଳାଇଲା...

ଘଟଣା ପରେ ପ୍ରଥମ ଥର ପାଇଁ ସିସିଟିଭିରେ ନଜର ଆସିଲା ବିକାଶ ଦୁବେ

ହୋଟେଲରେ ରହିବାକୁ ଯାଇଥିଲା, ଆଇଡି ମାଗିବାରୁ ପଳାଇଲା...
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: କେଉଁଠି ଅଛି କାନପୁର ଏନକାଉଣ୍ଟରର ମାଷ୍ଟରମାଇଣ୍ଡ ବିକାଶ ଦୁବେ ? ଯେତେବେଳେ ୨୫ରୁ ଉର୍ଦ୍ଧ୍ୱ ପୋଲିସ ଟିମ୍ ଏନେଇ ଛାନଭିନ୍ କରୁଛନ୍ତି, ସେହି ସମୟରେ ବଡ଼ ସୁରାଗ ସାମ୍ନାକୁ ଆସିଛି । ଘଟଣା ପରେ ପ୍ରଥମ ଥର ପାଇଁ ହରିୟାଣାର ଫରିଦାବାଦ ବଡ଼ଖଲ ଛକରେ ଥିବା ଶ୍ରୀ ସାସାରାମ ହୋଟେଲରେ ନଜର ଆସିଛି ବିକାଶ ଦୁବେ । ହୋଟେଲରେ ଲାଗିଥିବା ସିସିଟିଭିରୁ ଏକଥା ସ୍ପଷ୍ଟ ହୋଇଛି । 

ହୋଟେଲ ମାଲିକଙ୍କ ସୂଚନା ମୁତାବକ, ମଙ୍ଗଳବାର ସାଢ଼େ ୧୨ଟାରେ ନିଜର ଜଣେ ସହଯୋଗୀ ସହ ଶ୍ରୀ ସାସାରାମ ହୋଟେଲକୁ ଯାଇଥିଲା ବିକାଶ ଦୁବେ । ହୋଟେଲରେ ନିଜ ନାମକୁ ଅଙ୍କୁର କହି କିଛି ସମୟ ପାଇଁ ହୋଟେଲରେ ରହିବା କଥା କହୁଥିଲା । ପରିଚୟ ପତ୍ର ମାଗିବାକୁ ଏକ ପାନ କାର୍ଡ ଦେଖାଇଥିଲା ବିକାଶ ଦୁବେ । ତେବେ ଉକ୍ତ ପାନ କାର୍ଡରେ ଅକ୍ଷର ସବୁ ସ୍ପଷ୍ଟ ଭାବେ ଦେଖାଯାଉଥିଲା । ତେଣୁ ଅନ୍ୟ ପ୍ରମାଣ ପତ୍ର ଦେବାକୁ କହିଥିଲେ ହୋଟେଲ କର୍ମଚାରୀ । ହେଲେ ଅନ୍ୟ କୌଣସି ପରିଚୟ ପତ୍ର ନଦେଖାଇ ସେଠାରୁ ପଳାଇଥିଲା ବିକାଶ ଦୁବେ । 

ଏହାର ୨ ଘଣ୍ଟା ପରେ ହୋଟେଲରେ ପହଞ୍ଚିଥିଲା ପୋଲିସ । ହରିୟାଣା ପୋଲିସର କ୍ରାଇମବ୍ରାଞ୍ଚ ଟିମ ଉକ୍ତ ହୋଟେଲକୁ ଯାଇଥିଲେ । ପୋଲିସ ହୋଟେଲରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କ ସଂଗ୍ରହ କରିଛି । ଏହି ମାମଲାରେ ହରିୟାଣା ପୋଲିସ ସହ ସମ୍ପର୍କ କରିଛି ୟୁପି ପୋଲିସ । ବିକାଶ ଦୁବେକୁ ଧରିବା ପାଇଁ ଅଭିଯାନ ଜୋରସୋରରେ ଚାଲିଛି । ୟୁପି ଏସଟିଏଫ ଟିମ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ପହଞ୍ଚିଛନ୍ତି ।