ଲୁଟେରାଙ୍କ ଟାର୍ଗେଟରେ ପୋଲିସ ଅଧିକାରୀ

ରାଜଧାନୀରେ ପୁଣି ସୁନା ଚେନ୍ ଲୁଟେରାଙ୍କ ଆତଙ୍କ । ଚାରିଆଡେ ଲକଡାଉନ ଚାଲିଥିବା ବେଳେ ଏହାର ପାଇଦା ଉଠାଉଛନ୍ତି ଅପରାଧୀ । ଅପରାଧୀମାନେ ନୂଆ ନୁହଁ । ପୂର୍ବରୁ କମିଶନରେଟ ପୋଲିସକୁ ନାକେଦମ କରିଥିବା ଦୁଇ ଅପରାଧୀ ହେଉଛନ୍ତି ଡେଙ୍ଗା ଗେଡା । 

ଲୁଟେରାଙ୍କ ଟାର୍ଗେଟରେ ପୋଲିସ ଅଧିକାରୀ
ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ୱର:- ରାଜଧାନୀରେ ଡେଙ୍ଗା ଗେଡା ଲୁଟେରା ଆତଙ୍କ । ପୁଣି ରାଜଧାନୀରେ ଆତଙ୍କ ଆରମ୍ଭ କରିଛନ୍ତି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ଅପରାଧୀଙ୍କ ସାହାସ ଏତେ ବଢିଯାଇଛି ଯେ, ପୋଲିସ ଅଧିକାରୀଙ୍କୁ ଟାର୍ଗେଟ କରିବାକୁ ସେମାନେ ପଛାଉନାହାନ୍ତି । ୟୁନିଟ ୩ରେ ରହୁଥିବା ଭିଜିଲାନ୍ସ ବିଭାଗର ଡିଏସପି ମହାନ୍ତିଙ୍କୁ ବନ୍ଧୁକ ଦେଖାଇ ବେକରୁ ସେମାନେ ଲୁଟି ନେଇଛନ୍ତି ସୁନା ଚେନ୍ ଓ ଅଳଙ୍କାର ।  ମୁଖିଆ ବଦଳିବା ସହ ନୂଆ ମୁଖିଆଙ୍କୁ ଚ୍ୟାଲେଞ୍ଜ ଦେବା ଲୁଟେରାଙ୍କ ସଉକ ପାଲଟି ଯାଇଛି । ଲକ ଡାଉନ ବେଳେ ଅପରାଧୀଙ୍କ ଏଭଳି କାର୍ଯ୍ୟକଳାପ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।  

ରାଜଧାନୀରେ ପୁଣି ସୁନା ଚେନ୍ ଲୁଟେରାଙ୍କ ଆତଙ୍କ । ଚାରିଆଡେ ଲକଡାଉନ ଚାଲିଥିବା ବେଳେ ଏହାର ପାଇଦା ଉଠାଉଛନ୍ତି ଅପରାଧୀ । ଅପରାଧୀମାନେ ନୂଆ ନୁହଁ । ପୂର୍ବରୁ କମିଶନରେଟ ପୋଲିସକୁ ନାକେଦମ କରିଥିବା ଦୁଇ ଅପରାଧୀ ହେଉଛନ୍ତି ଡେଙ୍ଗା ଗେଡା । ଏମାନଙ୍କ ସାହାସ ଏତେ ବଢିଯାଉଛି ଯେ ପୋଲିସ ଅଧିକାରୀଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ପଛାଇନାହାନ୍ତି । ରବିବାର ଭୋର ଏମାନେ ଟାର୍ଗେଟ କରିଛନ୍ତି ଭିଜିଲାନ୍ସର ମହିଳା ଡିଏସପି ତନୁଜା ମହାନ୍ତିଙ୍କୁ । ଘର ବାହାରେ ଝାଡୁ କରୁଥିବା ବେଳେ ତନୁଜାଙ୍କ ବେକରୁ ସୁନା ଚେନ୍ ଲୁଟିବାକୁ ଉଦ୍ୟମ କରିଥିଲେ ଏମାନେ । ଘଟଣାସ୍ଥଳରେ ପାଟି ଶୁଣି ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ବେଳେ ତନୁଜାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ସେମାନେ । ପରେ ତନୁଜାଙ୍କ ବେକରୁ ସୁନାଚେନ୍ ଓ କାନଫୁଲ ନେଇ ଫେରାର ହୋଇଯାଇଛନ୍ତି ଲୁଟେରା । ଧରିବାକୁ ଯିବା ବେଳେ ଲୁଟେରାଙ୍କ ହାତରେ ଥିବା ବନ୍ଧୁକ ଦେଖି ସେମାନେ ଭୟଭୀତ ହୋଇଯାଇଥିବା ମହିଳା ପୋଲିସ ଅଧିକାରୀ ଜଣକ କହିଛନ୍ତି ।  

କିଛି ଦିନ ତଳେ ଭୁବନେଶ୍ବର ତମାଣ୍ଡୋ ଥାନା ରିଗାଲିଆ ମଲ ପାଖରୁ ଲୁଟ ହୋଇଥିଲା ସୁନା ଚେନ୍ । ଯୁବତୀ ଜଣକ ନିଜ ସ୍କୁଟିରେ ଯାଉଥିବା ବେଳେ ପଛପଟୁ ଆସୁଥିବା ଦୁଇ ଲୁଟେରା ବେକରୁ ସୁନାଚେନ୍ ଲୁଟି ଫେରାର ହୋଇଯାଇଥିଲେ । ସେ ଘଟଣାରେ ପୋଲିସ କିଛି ସୁରାକ ପାଇପାରୁନଥିବା ବେଳେ ଏବେ ୟୁନିଟ ୩ରେ ଲୁଟ ପୋଲିସର ମୁଣ୍ଡ ଖରାପ କରିଛି ।  

ଆସନ୍ତା ୩୧ରେ ଖୋଲିବ ଲକଡାଉନ । ଘରେ ଥିବା ଲୋକେ ନିଜ ସ୍ୱାଭାବିକ ଜୀବନଯାତ୍ରାକୁ ଫେରିବେ । ଏଭଳି ପରିସ୍ଥିତିରେ ଲୁଟ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଯେତେ ବେଳେ ଭୁବନେଶ୍ୱରରେ ଡିସିପି କିମ୍ବା କମିଶନରଙ୍କ ବଦଳି ହୁଏ ସେ ସମୟରେ ଅପରାଧ ବୃଦ୍ଧି ପାଇଥାଏ । ଗତ କିଛି ଦିନ ହେବ ଏଭଳି କିଛି ଘଟଣା ଅପରାଧୀଙ୍କ ସାହାସକୁ ପ୍ରମାଣିତ କରୁଛି । ଏବେ ପୋଲିସ ଉପରେ ସିଧାସଳଖ ପ୍ରଶ୍ନ ଉଠୁଛି ଯେ, ଲକଡାଉନ ପୂର୍ବରୁ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇପାରିବ ନା ଲୋକେ ଏଭଳି ଆତଙ୍କରେ ରହିବାକୁ ବାଧ୍ୟ ହେବେ ।