ଭିଜିଲାନ୍ସ ହାତରେ ଧରାପଡୁଛନ୍ତି ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି
Advertisement
Article Detail0/zeeodisha/odisha707084

ଭିଜିଲାନ୍ସ ହାତରେ ଧରାପଡୁଛନ୍ତି ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି

କହିବାକୁ ଗଲେ ଗତ ଏକ ମାସ ମଧ୍ୟରେ ମାସକରେ ୧୨ ଜଣ ଅଧିକାରୀ ଓ ଜନ ପ୍ରତିନିଧି ଗିରଫ ହେବା ଲୋକଙ୍କ ଭିତରେ ଥିବା ଲୋଭିକ ପ୍ରବୃ୍ତ୍ତିକୁ ପଦାରେ ପକାଇଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କୋରୋନା କାୟା ବିସ୍ତାର କରିଚାଲିଛି । ଲୋକେ ଯେତେ ଚେଷ୍ଟା କରି ବି ଏଥିରୁ ନିସ୍ତାର ପାଇବାରେ ସଫଳ ହୋଇପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଓଡିଶା କୋରୋନା ମୁକାବିଲା କରିବାରେ ସୁନାମ କରିଛି । ହେଲେ ରାଜ୍ୟ ସରକାରଙ୍କ ଏଭଳି ସଫଳତାକୁ ଧକ୍କା ଲାଗିଛି । ଚାରିଆଡେ ଲକ ଡାଉନ, ସଟଡାଉନ କରି କୋରୋନା ବିରୋଧରେ ଲଢେଇ ଚାଲିଥିବା ବେଳେ ସରକାରୀ ଅଧିକାରୀ ଓ ଜନ ପ୍ରତିନିଧିମାନେ ସେମାନଙ୍କ ଲୋଭ ସମ୍ଭାଳି ନ ପାରି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କହିବାକୁ ଗଲେ ଗତ ଏକ ମାସ ମଧ୍ୟରେ ମାସକରେ ୧୨ ଜଣ ଅଧିକାରୀ ଓ ଜନ ପ୍ରତିନିଧି ଗିରଫ ହେବା ଲୋକଙ୍କ ଭିତରେ ଥିବା ଲୋଭିକ ପ୍ରବୃ୍ତ୍ତିକୁ ପଦାରେ ପକାଇଛି ।

କୋଭିଡ୍‌ ବିରୋଧରେ ସାରା ବିଶ୍ୱ ଲଢ଼ୁଛି । ଅନେକ ତାଙ୍କର ଜୀବିକା ହରାଇଛନ୍ତି । ଅନେକ ତାଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି । ପେଟ ପୋଡ଼ି ଯାଉଥିଲେ ବି ଅନେକଙ୍କୁ ଏବେ ମଧ୍ୟ ଆତ୍ମଗୋପନ କରିବାକୁ ପଡ଼ୁଛି । କୋରୋନା କାୟା ବିସ୍ତାର କରିଚାଲିଥିବାରୁ ଏଭଳି ସ୍ଥିତି ଆଉ କେତେଦିନ ରହିବ କେହି ଜାଣି ନାହାନ୍ତି । ଏଭଳି ଏକ ସଙ୍କଟକୁ ଟାଳିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ନିଜ କର୍ତ୍ତବ୍ୟ ଠାରୁ ଅନେକ ପାଦ ଆଗକୁ ଯାଇ ପୋଲିସ କୋଭିଡ୍‌ ଯୋଦ୍ଧା ଭାବରେ ସ୍ୱୀକୃତି ଲାଭ କରିଛି । ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ ମାନ୍ୟତା ମିଳିଛି । ଯିଏ ଯାହା ସ୍ତରରେ ମୁକାବିଲାରେ ସାମିଲ ହୋଇଛି । ଏଭଳି ସଙ୍କଟ ବେଳେ ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି ନିଜର ଅର୍ଥ ମୋହ ଛାଡ଼ି ନାହାନ୍ତି । ଜୁନ୍‌ ମାସର ୨୪ ଦିନ ଭିତରେ ୧୨ ଜଣ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି । ଏଭଳି ୨୪ ଦିନରେ ‌ଜଣେ ୧୨ ଜଣ ବନ୍ଧା ହେବା ଗତ ଦୁଇ ବର୍ଷର ପରିସଂଖ୍ୟାନ ତୁଳନାରେ ରେକର୍ଡ ବୋଲି କୁହାଯାଉଛି । ଗିରଫ ଲାଞ୍ଚୁଆଙ୍କ ମଧ୍ୟରେ ଓଏଏସ୍‌ ଅଫିସରଙ୍କ ସହ ମହିଳା ସରପଞ୍ଚ ଅଛନ୍ତି । 

ଜୁନ୍‌ ୪ ତାରିଖରେ ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କ ସହିତ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଥିଲେ । ଏକ ଜମିର କିସମ ବଦଳାଇବା ପାଇଁ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜରିଆରେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । 

ଜୁନ୍‌ ୫ ତାରିଖରେ ମାଲକାନଗିରିର ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ) ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁଙ୍କୁ ଧରିଥିଲା ଭିଜିଲାନ୍ସ । କନ୍ଦିକିଗୁଡ଼ା ଗାଁର ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇ ଓ ୟୁନିଫର୍ମ କିଣାର ବିଲ୍ ପାସ୍ କରିବା ଲାଗି କର୍ମୀ ଗାୟତ୍ରୀ ନାୟକ ଏବଂ ଅନ୍ୟ ତିନି ଅଙ୍ଗନୱାଡ଼ିକର୍ମୀଙ୍କ ଠାରୁ ୪ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ବନ୍ଧା ହୋଇଥିଲେ । 

ଜୁନ୍‌ ୧୦ ତାରିଖରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବଲାଙ୍ଗିର କେନ୍ଦୁଲିଫ୍‌ ଡିଏଫ୍‌ଓ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ତ୍ରିଲୋଚନ ଦେହୁରୀ । କେନ୍ଦୁପତ୍ର ବନ୍ଧେଇ କାମ ପାଇଁ ୧୦ ଲକ୍ଷ ୩୭ ହଜାର ଟଙ୍କାର ବିଲ୍‌ ପାସ୍‌ କରିବାକୁ ପିସି ନେଉଥିଲେ ୧ ଲକ୍ଷ ୬୬ ହଜାର ଟଙ୍କା । 

ଜୁନ୍‌ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଫାଣ୍ଡି ଏଏସ୍‌ଆଇ ଆଶିଷ ପଣ୍ଡାଙ୍କୁ ଧରିଥିଲା ଭିଜିଲାନ୍ସ । ଜମିଜମା ମାମଲା ରଫାଦଫା କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ । 

ଜୁନ୍‌ ୧୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଅଭୟ କୁମାର ତ୍ରିପାଠୀ ଧରା ପଡ଼ିଥିଲେ । ବାରିପଦାରୁ ଫେରୁଥିବା ବେଳେ ବେତନଟି ପାଖରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କଲା ବେଳେ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଥିଲେ, ଯାହାର ହିସାବ ଦେଇ ପାରିନଥିଲେ ଅଭିଯୁକ୍ତ ସିଡିଭିଓ । 

ଜୁନ୍‌ ୨୦ ତାରିଖରେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ଥାନା ମହୁଲ ପାଟଣା ଫାଣ୍ଡିର ଏଏସ୍‌ଆଇ ମଳୟ ରଣା ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ମହେଶ୍ୱର ସାଗରଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ମୁକ୍ତ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । 

ଜୁନ୍‌ ୨୨ ତାରିଖରେ ପାଟଣାଗଡ଼ ଏନଏସି ଜେଇ ଦେବୀ ପ୍ରସାଦ ମିଶ୍ରଙ୍କୁ ଧରିଥିଲା ଭିଜିଲାନ୍ସ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାମପୁରର ଟଙ୍କଧର କୁମ୍ଭାରଙ୍କର ଫାଇନାଲ୍‌ ବିଲ୍‌ କରାଇ ଦେବାକୁ ଲାଞ୍ଚ ନେଉଥିଲେ ।

ଜୁନ୍‌ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନାର ସବ୍‌ଇନ୍ସପେକ୍ଟର ସିଦ୍ଧାର୍ଥ ଗୌଡ଼ ଥାନା ଭିତରେ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିଲେ । ଏକ ଗଣ୍ଡଗୋଳ ମାମଲାକୁ ରଫାଦଫା କରିବା ପାଇଁ ପି.ରାଜା ସେନାପତିଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଦୁଇମାସ ହେବ କାର୍ଯ୍ୟରେ ଯୋଗ ଦେଇଥିବା ଏଇ ଅଧିକାରୀଙ୍କୁ ଭିଜିଲାନ୍ସ ଧରିଥିଲା । 

ଜୁନ ୨୬ ତାରିଖରେ ମାଲକାନଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅକ୍ଷୟ ନାୟକ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡ଼ିଥିଲେ । ମେଡିକାଲ ଛକର ଏକ ଜମି ଉପରେ ଲାଗିଥିବା ୧୪୪ ଧାରା ହଟାଇବା ପାଇଁ ଜୀବନ ମଣ୍ଡଳଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ । 

ଜୁନ୍‌ ୨୭ ତାରିଖରେ ଧରା ପଡ଼ିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଜିଲ୍ଲାପାଳ, ଅର୍ଥାତ୍‌ ଜଣେ ମହିଳା ସରପଞ୍ଚ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗର ସରପଞ୍ଚ ରଇଲା ମାଝି ଏକ ପୋଖରୀ ଖୋଳାଇବା ପାଇଁ ଅଭିଯୋଗକାରୀ ଗଙ୍ଗାଧର ସାଉଁଟାଙ୍କ ଠାରୁ ୨୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

ଏତେ ସବୁ ପରେ ବି ଲୋକେ କୋରୋନା ବିରୋଧରେ ଲଢେଇ କରିବେ କଣ ଏଭଳି ସରକାରୀ ଓ ଜନ ପ୍ରତିନିଧୀଙ୍କ ଲୋଲୁପ ଦୃଷ୍ଟିର ଶୀକର ହେଉଛନ୍ତି ।

;