ଆଠଗଡ଼: ଆଜି ମହା କାର୍ତ୍ତିକ ମାସର ମହାପର୍ବ ବଡ଼ ଓଷା । ସେଥିପାଇଁ ବେଶ୍ ଚଳଚଞ୍ଚଳ ହୋଇଉଠିଛି ଧବଳେଶ୍ୱର ପୀଠ । ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । .
ଆଜି ଭୋର ତିନିଟା ସମୟରେ ବାବା ଧବଳେଶ୍ଵରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇ ମଙ୍ଗଳ ଆଳତୀ ମଇଲମ ଆଦି ସମସ୍ତ ରୀତିନୀତି ନିର୍ଘଣ୍ଟ ସମୟ ଅନୁସାରେ ସମ୍ପାଦନ ହେବାପରେ, ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଆଜି ମଧ୍ୟରାତ୍ରୀରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ। ସେଥିପାଇଁ ଭୋଗ ପ୍ରସ୍ତୁତିରେ ଲାଗିପଡିଛନ୍ତି ପୂଜକ ପରିବାର ।ଶ୍ରଦ୍ଧାଳୁମାନଙ୍କ ଭିଡ ନିୟନ୍ତ୍ରଣ ଲାଗି ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ସହ ସିସିଟିଭି କ୍ୟାମେରା ଲଗାଯାଇଛି । ଏହା ସହ ଡଙ୍ଗାରେ ଯାତାୟାତ କରୁଥିବା ଶ୍ରଦ୍ଧାଳୁଙ୍କ ଲାଗି ଲାଇଫ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।