ଚିନ୍ତା ବଢ଼ାଉଛନ୍ତି 'ଲୁଚାଛପା' ଫେରନ୍ତା
Advertisement

ଚିନ୍ତା ବଢ଼ାଉଛନ୍ତି 'ଲୁଚାଛପା' ଫେରନ୍ତା

ପୂର୍ବ ଓଡିଶାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ କେନ୍ଦ୍ରବିନ୍ଦୁ ପାଲଟିଛି କଟକର ଓ.ଏମ.ପି ଛକ । ରାଜ୍ୟ ବାହାରରୁ ଯେ କୌଣସି ଗାଡି ଆସିଲେ ବି ଓ.ଏମ.ପି ଛକରେ ସମସ୍ତ ବସ , ଗାଡି ରହଣୀ ସ୍ଥଳ ପାଲଟିଛି । 

ପ୍ରତୀକାତ୍ମକ ଫଟୋ

ଜଗନ୍ନାଥ ପାତ୍ର, କଟକ: ରେଜିଷ୍ଟ୍ରେସନ ହେଉ ଅବା ଲୁଚା ଛପାରେ କଟକକୁ ଅନେକ ଓଡିଆ ଫେରନ୍ତାଙ୍କ ସଂଖ୍ୟା ବଢ଼ିଛି ।   କେନ୍ଦ୍ରପ଼ଡା , ଅନୁଗୁଳ, ପାରାଦ୍ୱୀପ, ଜଗତସିଂପୁର ଆଦି ସ୍ଥାନକୁ କଟକ ଓ.ଏମ.ପି ସଂଯୋଗ କେନ୍ଦ୍ର ରହିଥିବାରୁ ଏଠାରେ ଦିନକୁ ଦିନ ଅଧିକ ପ୍ରବାସୀ ଓଡିଆଙ୍କ ଚଳପ୍ରଚଳ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚିନ୍ତାରେ ସ୍ଥାନୀୟ ଲୋକେ । ତେବେ ଏପରି ଲୋକଙ୍କୁ ଠାବ କରି କ୍ୱାରନଣ୍ଟାଇନରେ ରଖିବା ସହିତ ସହଯୋଗ ଲାଗି ଏକ ହେଲ୍ପ ଡେସ୍କ ବ୍ୟବସ୍ଥା ଲାଗୁ କରାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ  ।

ଏଣେ ତେଣେ ବୁଲୁଛନ୍ତି ପ୍ରବାସୀ ଓଡିଆ । କିଏ ବସରେ ତ କିଏ ଟ୍ରକରେ ଅବା ଆଉ କିଏ ଛୋଟ ବଡ ଗାଡିରେ । ରେଜିଷ୍ଟ୍ରେସନ ହେଉ ଅବା ଲୁଚା ଛପାରେ ଯେ ଯେମିତି ପାରିଲା ଘରେ ପହଞ୍ଚିବା ପାଇଁ ବାଟ ଖୋଜୁଛନ୍ତି ପ୍ରବାସୀ ଓଡିଆ । ପୂର୍ବ ଓଡିଶାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ କେନ୍ଦ୍ରବିନ୍ଦୁ ପାଲଟିଛି କଟକର ଓ.ଏମ.ପି ଛକ । ରାଜ୍ୟ ବାହାରରୁ ଯେ କୌଣସି ଗାଡି ଆସିଲେ ବି ଓ.ଏମ.ପି ଛକରେ ସମସ୍ତ ବସ , ଗାଡି ରହଣୀ ସ୍ଥଳ ପାଲଟିଛି । ଏହି ଠାରୁ ହିଁ ପ୍ରବାସୀ ଓଡିଆ ମାନେ ପାରାଦ୍ୱୀପ, ଜଗତସିଂପୁର ଠାରୁ ଆରମ୍ଭ କରି ବାଲେଶ୍ୱର ଯାଏଁ ଯାତ୍ରା ଆରମ୍ଭ କରୁଛନ୍ତି । ଯିଏ ରେଜିଷ୍ଟ୍ରେସନରେ ଆସୁଛି ସେମାନଙ୍କ ଲାଗି ଯିବା ଲାଗି ବ୍ୟବସ୍ଥା କରାଯାଉଛି । ମାତ୍ର ଲୁଚାଛପାରେ ଆସୁଥିବା ଲୋକେ ରାସ୍ତା ନ ଜାଣିପାରି ଚଳପ୍ରଚଳ ରହୁଥିବା ଦେଖିବକୁ ମିଳିଛି । ଯାହା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି ।

ଦୈନିକ ଶତାଧିକ ପ୍ରବାସୀ ଓଡିଆ ଏହି ଓ.ଏମ.ପିରେ ପହଞ୍ଚୁଥିବା ଦେଖିବାକୁ ମିଳିଛି । ଅଧିକାଂଶ ତାମିଲନାଡୁ , କର୍ଣ୍ଣାଟକ, ତେଲେଙ୍ଗାନା, ସୁରତ , ମୁମ୍ୱାଇ ଆଦି ରୁ ଶ୍ରମିକ ଶ୍ରେଣୀର ଲୋକଙ୍କ ସଂଖ୍ୟା ଅଧିକା ଆସୁଛନ୍ତି । ଏହି ବ୍ୟକ୍ତିମାନେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ କ୍ୱାରନଣ୍ଟାଇନ୍ କେନ୍ଦ୍ରରେ ରଖାଯିବା ଲାଗି ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ନିକଟବର୍ତ୍ତୀ ଜେ.କେ.ବି.କେ କଲେଜ ଓ ଚାଉଳିଆଗଞ୍ଜ କମୁନିଟିହଲରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଲୁଚାଛପାରେ ଆସୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା ସହିତ ଲକ୍ଷସ୍ଥଳୀକୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସେହି ଜିଲ୍ଲାର ଜିଲ୍ଲାପ୍ରଶାସନ ସହିତ ଯୋଗାଯୋଗ କରିବା ପାଇଁ ଏକ ହେଲ୍ପ ଡେସ୍କର ମଧ୍ୟ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

ଏହି ପ୍ରବାସୀ ଓଡିଆଙ୍କ ଲାଗି କ୍ୱାରେନଣ୍ଟାଇନ ହୋମରେ ଆବଶ୍ୟକୀୟ ଭିତ୍ତଭୂମି ସହିତ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି । କିଛି ସ୍ଥାନରେ ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସେ ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।