ଗ୍ୟାଙ୍ଗଷ୍ଟର ରାଜା ଓ ତା'ର ପ୍ରେମ କାହାଣୀ
Advertisement

ଗ୍ୟାଙ୍ଗଷ୍ଟର ରାଜା ଓ ତା'ର ପ୍ରେମ କାହାଣୀ

ଜୁଡ଼ୋ କୋଚ୍ ବିରଞ୍ଚି ଦାସଙ୍କୁ ହତ୍ୟା ରାଜା ଆଚାର୍ଯ୍ୟ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ଆଲବମ୍ କୁଇନ୍ ଲେସଲି ତ୍ରିପାଠୀଙ୍କ ଉପରେ ପାପ ନଜର, ରାଜାକୁ ରାଜେନ୍ଦ୍ରାସନରୁ ନେଇ ଫକିର ଆସନରେ ବସାଇଦେଲା । କହିବାକୁ ଗଲେ ସେହିଦିନଠାରୁ ରାଜା ପାଇଁ ଆରମ୍ଭ ହୋଇଗଲା ଦୁର୍ଦ୍ଦିନ । କାରଣ ଯେଉଁ ନେତା ଓ ଅଫିସର ରାଜାକୁ ଛିଡ଼ା କରାଇଥିଲେ, ସେମାନେ ଭଲଭାବରେ ବୁଝି ସାରିଥିଲେ ଯେ, ରାଜା ଆଗାମୀ ସମୟରେ ତାଙ୍କରି ପାଇଁ ହିଁ ସାଜିବାକୁ ଯାଉଛି ଭସ୍ମାସୁର । 

 

ଗ୍ୟାଙ୍ଗଷ୍ଟର ରାଜା ଓ ତା'ର ପ୍ରେମ କାହାଣୀ

ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ରାଜା ଆଚାର୍ଯ୍ୟ, ରାଜ୍ୟ ଅପରାଧ ଜଗତରେ ଚଳିତ ଶତାବ୍ଦୀର ପ୍ରଥମ ଦଶକରେ ଓଡ଼ିଶା ଅପରାଧ ଜଗତରେ ଛାଇ ହୋଇ ରହିଥିବା ଏକ ଚର୍ଚ୍ଚିତ ନାମ । ମର୍ଡର, କିଡନାପିଂ, ଏକ୍ସଟରସନ, ଧମକ, ଦାଦାବଟି ଇତ୍ୟାଦି ସମସ୍ତ ଅପରାଧର ମାଷ୍ଟର ମାଇଣ୍ଡ ଥିଲା ରାଜା ।  ଦିନ ଥିଲା ରାଜ୍ୟର ବଡ଼ ବଡ଼ ପଲିଟିକାଲ ଲିଡର ନିଜ ସ୍ୱାର୍ଥ ହାସଲ ନିମନ୍ତେ ରାଜାକୁ କରୁଥିଲେ ହାତବାରିସି । ବ୍ୟୁରୋକ୍ରାଟମାନେ ମଧ୍ୟ ରାଜାକୁ ଢାଲ କରି ନିଜ ନିଜ ସ୍ୱାର୍ଥ ହାସଲ କରୁଥିଲେ । ଆଉ ରାଜା ମଧ୍ୟ ପଲିଟିକାଲ କ୍ରାଇମ୍ ନିମନ୍ତେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପ୍ରଥମ ପସନ୍ଦ ପାଲଟିଥିଲା । 

ତେବେ ସ୍ୱନାମଧନ୍ୟ ଜୁଡ଼ୋ କୋଚ୍ ବିରଞ୍ଚି ଦାସଙ୍କୁ ହତ୍ୟା ରାଜା ଆଚାର୍ଯ୍ୟ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ଆଲବମ୍ କୁଇନ୍ ଲେସଲି ତ୍ରିପାଠୀଙ୍କ ଉପରେ ପାପ ନଜର, ରାଜାକୁ ରାଜେନ୍ଦ୍ରାସନରୁ ନେଇ ଫକିର ଆସନରେ ବସାଇଦେଲା । କହିବାକୁ ଗଲେ ସେହିଦିନଠାରୁ ରାଜା ପାଇଁ ଆରମ୍ଭ ହୋଇଗଲା ଦୁର୍ଦ୍ଦିନ । କାରଣ ଯେଉଁ ନେତା ଓ ଅଫିସର ରାଜାକୁ ଛିଡ଼ା କରାଇଥିଲେ, ସେମାନେ ଭଲଭାବରେ ବୁଝି ସାରିଥିଲେ ଯେ, ରାଜା ଆଗାମୀ ସମୟରେ ତାଙ୍କରି ପାଇଁ ହିଁ ସାଜିବାକୁ ଯାଉଛି ଭସ୍ମାସୁର । 

ଦିନ ଆସିଲା, ରାଜା ଆଚାର୍ଯ୍ୟକୁ ଓଡ଼ିଶା ଅପରାଧ ଜଗତର ଏକ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠା କରିଥିବା ରାଜନେତାଙ୍କ ହାତ ତା' ପିଠିରୁ ଅପସରି ଯାଇଥିଲା । ପୋଲିସ ବିଭାଗ ଓ ବ୍ୟୁରୋକ୍ରାଟମାନେ ବି ରାଜାର ବିପଦ ସମୟରେ ତା ହାତ ଛାଡ଼ିଦେଲେ । ସେଇଠୁ ରାଜା ହୋଇଗଲା ବେସାହାରା । ବ୍ରାହ୍ମଣ ଉପାସରେ ଥିଲେ ସୁଦାମା । ବୁଝିପାରିଲେ ଚାଣକ୍ୟ । ଆଉ ରାଗିଗଲେ ପାଲଟେ ରାବଣ । ଏହି କେତୋଟି ଧାଡ଼ି ଓଡ଼ିଶା ଅପରାଧ ଜଗତରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ପତିଆରା ବଖାଣିବାକୁ ଯଥେଷ୍ଟ । ଆମେ କାହିଁକି ରାଜା ଆଚାର୍ଯ୍ୟ କଥା କହିବା ପୂର୍ବରୁ ୨୦୧୩ର ସେହି ବଲିଉଡ୍ ଚଳଚ୍ଚିତ୍ର ବୁଲେଟ୍ ରାଜା ପ୍ରସଙ୍ଗ ଅବତାରଣା କରୁଛୁ, ସେ କଥା ବି ଜାଣିନିଅନ୍ତୁ । ଫିଲ୍ମଟି ରିଲିଜ ହେବାର ମାତ୍ର ୧୫ ଦିନ ଭିତରେ ଏହାକୁ ନେଇ ଜାତ ହୋଇଥିଲା ବିବାଦ ।

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ମାଆ ନଳିନୀ ଆଚାର୍ଯ୍ୟ ସେତେବେଳେ ଏହା ତାଙ୍କ ପୁଅର ଜୀବନୀକୁ ନେଇ ହୋଇଥିବା ଅଭିଯୋଗ କରିବା ସହ ଏହା ତାଙ୍କ ପରିବାରର ସମ୍ମାନହାନୀ କରୁଥିବା ଦର୍ଶାଇ ସେଥିପାଇଁ କୋର୍ଟରେ ୭ କୋଟି ଟଙ୍କାର ମାନହାନୀ ମକଦ୍ଦମା ଦାୟର କରିଥିଲେ । ତାଙ୍କ କହିବା କଥା ଥିଲା, ଚଳଚ୍ଚିତ୍ରଟି ରାଜା ଆଚାର୍ଯ୍ୟଙ୍କ ଛାୟାଙ୍କନରେ ହୋଇଥିଲା । ତା' ଛଡ଼ା ରାଜା ଆଚାର୍ଯ୍ୟ ନାମରେ ହାଇକୋର୍ଟରେ ମାମଲା ଚାଲିଥିବା ସମୟରେ ଫିଲ୍ମଟି ରିଲିଜ ହେବା ଯୋଗୁ ବିଚାର ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ଆପତ୍ତି କରିଥିଲେ ନଳିନୀଙ୍କ ଓକିଲ ସ୍ୱାଗତ ରାୟ । ଇଏତ ଗଲା, ରାଜା ଆଚାର୍ଯ୍ୟର ଜୀବନକୁ ନେଇ ଚଳଚ୍ଚିତ୍ର ନିର୍ମାଣର କଥା । ତେବେ କାହିଁକି ରାଜା ଆଚାର୍ଯ୍ୟର ନାଁକୁ ଓଡ଼ିଶା ଅପରାଧ ଜଗତ ଏତେ ସମ୍ମାନର ସହ ଉଚ୍ଚାରଣ କରେ, ଆସନ୍ତୁ ଜାଣିବା ।

fallback

୨୦୦୦ ମସିହାରୁ ୨୦୧୦ । ଶତାବ୍ଦୀର ପ୍ରଥମ ଦଶକ । ଏକ ଦଶନ୍ଧି ଧରି ଚାଲିଥିଲା ରାଜାର ରାଜ୍ । ଗ୍ୟାଙ୍ଗଷ୍ଟର ରାଜାର ଅପରାଧ ତାଲିକା ବହୁତ ଲମ୍ବା, ବିଭିନ୍ନ ଥାନାରେ ରାଜା ନାମରେ ରହିଛି  ୪୦ରୁ ଅଧିକ ଅପରାଧିକ ମାମଲା । ଯେତେବେଳେ ଟୁଇନ ସିଟିରେ ଜଣେ ଷ୍ଟ୍ରିଟ୍ ଗୁଣ୍ଡା ଭାବରେ ରାଜା ବିଭିନ୍ନ ମାରପିଟରେ ସମ୍ପୃକ୍ତ ରହୁଥିଲା, ସେତେବେଳେ ସେ ଭବିଷ୍ୟତରେ ଯେ ଜଣେ ବଡ଼ କ୍ରିମିନାଲ ହେବ, ସେକଥା କିଏ ବା ଜାଣିଥିଲା । ମାତ୍ର ସେହି ସମୟରେ ସେ ଏପରି କିଛି ଅପରାଧ ଘଟାଇ ବସିଲା, ଯାହାଦ୍ୱାରା ସାରା ଓଡ଼ିଶା ଭବିଷ୍ୟତର ଗ୍ୟାଙ୍ଗଷ୍ଟର ଭାବରେ ରାଜାର ଅଭ୍ୟୁଦୟକୁ ଦେଖୁଥିଲା ।

ରାଜା ଆଚାର୍ଯ୍ୟ ଏପରି ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିଲା, ଯାହା ସମ୍ପର୍କରେ କେହି ଥାନାରେ ଅଭିଯୋଗ ମଧ୍ୟ କରୁ ନଥିଲେ । କାରଣ ରାଜା ପଛରେ ଥିଲା ରାଜନେତା ଓ ବ୍ୟୁରୋକ୍ରାଟଙ୍କ ହାତ । କୁହାଯାଏ ବରିଷ୍ଠ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ସହ ମଧ୍ୟ ଥିଲା ରାଜାର ଲିଙ୍କ୍ । ରାଜା ନାମରେ କେବଳ କଟକ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ରହିଛି ୪୦ରୁ ଅଧିକ ଅପରାଧିକ ମାମଲା । ୨୦୧୦ରେ ଭୁବନେଶ୍ୱର ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ, ୨୦୧୧ରେ ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ  ଅପହରଣ, ୨୦୦୮ରେ ଜୁଡୋ କୋଚ୍ ବିରଞ୍ଚି ଦାସଙ୍କ ହତ୍ୟା... ତାଲିକା ଆହୁରି ଲମ୍ବା ।  ତେବେ ବିରଞ୍ଚି ଦାସଙ୍କ ହତ୍ୟା ରାଜା ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ଏହି ଗୋଟିଏ ହତ୍ୟାକାଣ୍ଡ ଯୋଗୁ ରାଜା ଅପରାଧ ଜଗତର ଏକ ଜଣାଶୁଣା ନାଁ ପାଲଟି ଯାଇଥିଲା ରାଜା । କାରଣ ମାରାଥନ ବାଳକ ବୁଦ୍ଧିଆ ସିଂକୁ କୋଚିଂ ଦେଇ ବିରଞ୍ଚି ଦାସ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିଲେ ।

ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ମାମଲାରେ ରାଜାକୁ ପୋଲିସ୍ ଗିରଫ କରିବା ପରେ ହାଇକୋର୍ଟରୁ ଜାମିନ ନେଇ ୨୦୧୮ ଏପ୍ରିଲ୍ ୨୫ରେ ଝାରପଡ଼ା ଜେଲରୁ ବାହାରିଥିଲା ରାଜା । ଓଲିଉଡ଼ ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କ ଅପହରଣ ମାମଲାରେ ୨୦୧୧ ଅକ୍ଟୋବରରେ ରାଜାକୁ ୪ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ । 

ଗ୍ୟାଙ୍ଗଷ୍ଟରର ପ୍ରେମକାହାଣୀ
ରାଜା ଗ୍ୟାଙ୍ଗଷ୍ଟର ଭାବରେ ଯେତିକି ଚର୍ଚ୍ଚିତ, ନିଜ ହାଇ ପ୍ରୋଫାଇଲ ପ୍ରେମ କାହାଣୀ ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ । ଆଲବମ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ସହ ସମ୍ପର୍କ ଯୋଗୁ ସେ ରହିଥିଲା ଚର୍ଚ୍ଚାରେ । ଲେସଲି ହେଉଛନ୍ତି ଜଣେ ଇଂରାଜୀ ପ୍ରଫେସରଙ୍କ ଝିଅ । ଏପରିକି ତାଙ୍କୁ ବିବାହ କରିବାକୁ ମଧ୍ୟ ଜିଦି ଧରିଥିଲା ରାଜା । ମାତ୍ର ଏଥିରେ ରାଜି ହୋଇ ନ ଥିଲେ ଲେସଲି । ଏପରିକି ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଓଡ଼ିଶା ବାହାରକୁ ଚାଲି ଯାଇଥିଲେ ସେ । ଆଜି ମଧ୍ୟ ସେ ମୁମ୍ବାଇରେ ହିଁ ରହୁଛନ୍ତି । ତେବେ କଥା ବଢ଼ିବାରୁ ନିଜ ସମ୍ମାନ ବଞ୍ଚାଇବାକୁ ଯାଇ ରାଜା ତାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ କରିଥିଲେ ଲେସଲି । କାରଣ ତାଙ୍କୁ ଧମକ ଦେଉଥିଲେ ସେ ଲାପଟପ୍ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଉପହାର କାହିଁକି ଦିଅନ୍ତା ବୋଲି ପ୍ରଶ୍ନ ଉଠୁଛି । ତେଣୁ ଲେସଲିଙ୍କ ଅଭିଯୋଗ କେତେଦୂର ସତ, ତାହା ତଦନ୍ତ ସାପେକ୍ଷ । 

ଦିନ ଆସିଲା, ରାଜାକୁ ଓଡ଼ିଶା ଅପରାଧ ଜଗତର ଏକ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠା କରିଥିବା ରାଜନେତାଙ୍କ ହାତ ତା' ପିଠିରୁ ଅପସରି ଯାଇଥିଲା । ପୋଲିସ ବିଭାଗ ଓ ବ୍ୟୁରୋକ୍ରାଟମାନେ ବି ରାଜାର ବିପଦ ସମୟରେ ତା ହାତ ଛାଡ଼ିଦେଲେ । ସେଇଠୁ ରାଜା ହୋଇଗଲା ବେସାହାରା । ଜେଲରୁ ବାହାରିବା ପରେ ରାଜା ନାମରେ ଆଉ ନୂଆ ଅପରାଧର କାହାଣୀ ଯୋଡ଼ି ହୋଇ ନ ଥିଲା । ତେବେ ପୁରୁଣା ମାମଲା ରାଜାର ପିଛା ଛାଡୁ ନଥିଲା । ବିଭିନ୍ନ ଅପରାଧିକ ମାମଲାରୁ ମୁକୁଳିବା ପରେ ଜାମିନରେ ଥିଲା ରାଜା । ଏହାରି ଭିତରେ ଗତ ୧୩ ନଭେମ୍ବର ୨୦୧୯ରେ ପୋଲିସ ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରୁ ରାଜାକୁ ଉଠାଇ ନେଇଥିଲା ।

ଏକ ହତ୍ୟା ଉଦ୍ୟମ ମାମଲାରେ ରାଜାକୁ ଗିରଫ କରିଥିଲା କଟକ ମାଲଗୋଦାମ ଥାନା ପୋଲିସ୍ । ୨୦୦୪ ମସିହାରେ  ମାଲଗୋଦାମ ଥାନାରେ ଏହି ମାମଲା ରୁଜୁ ହୋଇଥିଲା । ରାଜା ନାମରେ ଥିଲା ଜାମିନବିହୀନ ଗିରଫ ପରୱାନା । ଏହି ୱାରେଣ୍ଟ ଆଧାରରେ ମାଲଗୋଦାମ ଥାନା ପୋଲିସ୍ ରାଜାକୁ ଗିରଫ କରିଥିଲା । ୧୪ ନଭେମ୍ବର  ୨୦୧୯ରେ ରାଜାକୁ କୋର୍ଟ ଚାଲାଣ କରାଯାଇଥିଲା, ଜାମିନ ନାମଞ୍ଜୁର ହେବାରୁ ଏବେ ଚୌଦ୍ୱାର ଜେଲର ଚାରିକାନ୍ଥରେ  ଭିତରେ ଗ୍ୟାଙ୍ଗଷ୍ଟର ।