କଟକରେ ଲେଡି ଲୁଟେରା ଗ୍ୟାଙ୍ଗ, ଗିରଫ ହେଲେ ମାଆ ଭଉଣୀ ଓ ପ୍ରେମିକା

୨୪ ଘଣ୍ଟାରେ ଦୁଇ ଦୁଇଟି ଏନକାଉଣ୍ଟର। କଟକରେ ଲୁଟେରା ଗ୍ୟାଙ୍ଗ। ପ୍ଲାନିଂ ଦେଉଥିଲା ଲେଡି ଗ୍ୟାଙ୍ଗ। ଅପରାଧର ରିଙ୍ଗରେ ଲେଡି ଡନ୍। ମାଆ, ଭଉଣୀ ଓ ଗର୍ଲଫ୍ରେଣ୍ଡ ପୋଲିସକୁ ଦେଉଥିଲେ ଚକମା ଲୁଟ୍ ସାମଗ୍ରୀକୁ କରୁଥିଲେ ଅଣ୍ଡରଗ୍ରାଉଣ୍ଡ। କିପରି ଶିକାରକୁ କରିବେ ଟାର୍ଗେଟ୍ ରଚୁଥିଲେ ବ୍ଲୁ ପ୍ରିଣ୍ଟ। ଲେଡି ଗ୍ୟାଙ୍ଗର ଇସାରାରେ ଘଟୁଥିଲା ଅପରାଧ ଲୁଟ୍ ହେଉଥିଲା ଟଙ୍କା, ଗଡୁଥିଲା ମୁଣ୍ଡ।

କଟକରେ ଲେଡି ଲୁଟେରା ଗ୍ୟାଙ୍ଗ, ଗିରଫ ହେଲେ ମାଆ ଭଉଣୀ ଓ ପ୍ରେମିକା

କଟକ: ୨୪ ଘଣ୍ଟା ମଧ୍ୟରେ କଟକରେ ପୋଲିସର  ଦୁଇ ଦୁଇଟି ଏନକାଉଣ୍ଟର। ଏନକାଉଣ୍ଟରର ଶିକାର ହୋଇଛନ୍ତି କୁଖ୍ୟାତ  ଲୁଟେରା ମୁନ୍ନା ଓ ଜିତୁ। ତେବେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ଆହୁରି ଦୁଇ ଜଣଙ୍କ ସମ୍ପୃକ୍ତି ରହିଥିବା ଖବର ପାଇଛି ପୋଲିସ। ସବୁଠାରୁ ବଡ଼ କଥା ହେଉଛି ଏହି ଲୁଟେରା ଗ୍ୟାଙ୍ଗକୁ ପରିଚାଳନା କରୁଥିଲା ଏକ ଲେଡି ଗ୍ୟାଙ୍ଗ। ଏହି ଲେଡି ଗ୍ୟାଙ୍ଗରେ ରହିଛନ୍ତି ଏନକାଉଣ୍ଟରର ଶିକାର ହୋଇଥିବା ଜିତୁର ମା, ଭଉଣୀ ଓ ଗର୍ଲଫ୍ରେଣ୍ଡ। ଏହି ୩ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି କଟକ ଡିସିପି। 

ଲୁଟେରା ଗ୍ୟାଙ୍ଗକୁ ପ୍ଲାନିଂ ଦେଉଥିଲା ଲେଡି ଗ୍ୟାଙ୍ଗ। କେଉଁଠି, କିପରି ଓ କିଭଳି ଲୋକଙ୍କୁ କରିବେ ଟାର୍ଗେଟ୍। ଉପଯୁକ୍ତ ସ୍ଥାନରେ ଛପିରହି ଶିକାର ଉପରେ କିଭଳି କରିବେ ଆଟାକ୍। ସବୁକିଛିର ବ୍ଲୁ ପ୍ରିଣ୍ଟ ରଚୁଥିଲା ଲେଡି ଗ୍ୟାଙ୍ଗ। ଲେଡି ଗ୍ୟାଙ୍ଗର ଇସାରା ପରେ ଲୁଟେରାମାନେ ଘଟାଉଥିଲେ ଲୁଟ। ୨୪ ଘଣ୍ଟା ମଧ୍ୟରେ କଟକରେ ଦୁଇ ଦୁଇଟି ଏନକାଉଣ୍ଟର ପରେ ଏ ଭଳି କିଛି ଗୁମର ଫିଟାଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ। ଏହି ଲେଡି ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ହେଉଛନ୍ତି ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଜିତୁର ଗାର୍ଲଫ୍ରେଣ୍ଡ ସୁନିତା ସିଂ ଓରଫ ଜିନା, ଭଉଣୀ ଲକ୍ଷ୍ମୀପ୍ରିୟା ମାହାଲା ଓରଫ ଅନୁ ଏବଂ ମାଆ କାଞ୍ଚନ ସାହୁ ଓରଫ  ମାଳତୀ। 
କୁହାଯାଉଛି,ଏନକାଉଣ୍ଟର କରି ମୁନ୍ନା ଓ ଜିତୁକୁ ପୋଲିସ କାବୁ କରିବା ପରେ ଏହି ଲେଡି ଗ୍ୟାଙ୍ଗର ୩ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।  ଏହି ଲେଡି ଗ୍ୟାଙ୍ଗର ଲେଡି ଡନମାନେ ଲୁଟ୍ ପାଇଁ ସମସ୍ତ ପ୍ଲାନିଂ ଦେବା ପରେ ଲୁଟ ହେଉଥିବା ଟଙ୍କାଠାରୁ ସୁନା ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଏମାନଙ୍କ ନିକଟରେ ହିଁ ଡିପୋଜିଟ କରୁଥିଲେ ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ।
 ଲୁଟେରା ଗ୍ୟାଙ୍ଗ ମଧ୍ୟରେ କେବଳ ଯେ  ମୁନ୍ନା କି ଜିତୁ ହିଁ ସମ୍ପୃକ୍ତ ଅଛନ୍ତି ତାହା ନୁହେଁ, ଏଥିରେ ସେମାନଙ୍କ ସମେତ ଆହୁରି ୨ ଜଣଙ୍କର ମଧ୍ୟ ସମ୍ପୃକ୍ତି ରହିଛି। ଯାହାକୁ ଆଧାର କରି ପୋଲିସ ଏହାର ଛାନଭିନ କରୁଛି। ଦୀର୍ଘ ୧୦ ବର୍ଷ ଧରି ଏ ଭଳି ଲୁଟପାଟ କାରବାର ଜାରି ରଖିଥିଲେ ଏହି ଲେଡି ଗ୍ୟାଙ୍ଗ ସହିତ ଲୁଟେରା ଗ୍ୟାଙ୍ଗ। ମାତ୍ର ଗତ ମାସ ୨୪ ତାରିଖ ନୂଆପାଟଣାଠାରେ ଘଟିଥିବା ଲୁଟ ଓ ପରେ ଗୁଳିମାଡ଼ ଘଟଣା ଏମାନଙ୍କ ପାଇଁ ପଡିଲା ମହଙ୍ଗା। ପ୍ରତିଟି ମୂହୁର୍ତ୍ତରେ ପୋଲିସକୁ ଚକମା ଦେଉଥିବା ବେଳେ ଏ ଘଟଣାରେ ଜିତୁ ଓ ମୁନ୍ନାକୁ ଏନକାଉଣ୍ଟର କରି କାବୁ କରିବାରେ ସଫଳ ହୋଇଛି କଟକ କମିଶନରେଟ ପୋଲିସ।

ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟଙ୍କ ସହିତ ସେମାନଙ୍କ କିଛି ସମ୍ପର୍କୀୟଙ୍କୁ ମଧ୍ୟ ଏବେ ପୋଲିସ ତଦନ୍ତ ପରିସରକୁ ନେଇଛି।  ତେବେ ତଦନ୍ତ ସମୟରେ କଟକ ସମେତ ସହର ଉପକଣ୍ଠ ଅଞ୍ଚଳ ଓ ଜିଲ୍ଲାଗୁଡ଼ିକରେ ଏହି ଗ୍ୟାଙ୍ଗ ଅଧିକ ଲୁଟପାଟ କରୁଥିବା ଜଣାପଡିଛି।  ଏହାଦ୍ୱାରା କ'ଣ  ଏବେ ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଉଛି ଏହି ଲୁଟେରା ଗ୍ୟାଙ୍ଗ ?

କଟକରେ ଲେଡି ଡନଙ୍କ ଦୌରାତ୍ମ୍ୟ ଏବେ ସାରା ରାଜ୍ୟରେ ଚହଳ ପକାଇଛି। ପୂରା ସିନେମା  ଷ୍ଟାଇଲରେ ଡକାୟତି କରୁଥିବା ଏହି ଗ୍ୟାଙ୍ଗ ପାଖକୁ ହୁଏତ ପୋଲିସର ହାତ ପହଞ୍ଚି ପାରି ନ ଥାନ୍ତା, ଯଦି ନୂଆପାଟଣା ଘଟଣାରେ ଗ୍ୟାଙ୍ଗର ଦୁଇ ସଦସ୍ୟ ପୋଲିସ ହାତରେ ଧରା ପଡ଼ି ନ ଥାନ୍ତେ।  ଏ ଘଟଣା ଏଇଆ ସୂଚାଉଛି ଯେ, କଟକରେ ଏବେ ଅଣ୍ଡରୱାର୍ଲ୍ଡ ପରି ଲେଡି ଡନଙ୍କ ଭୂମିକା ମଧ୍ୟ ଲାଇମ ଲାଇଟକୁ ଆସିସାରିଛି।