ପାରାଦୀପ: ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ମହାନଦୀ ପୋଲ ଉପରେ ଏକ ମାଲ ବୋଝେଇ ଟ୍ରକରୁ ଡ୍ରାଇଭର ନିଖୋଜ ଘଟଣା ଏବେ ସନ୍ଦେହ ଘେରରେ ରହିଛି । ଗତକାଲି ଏକ ଟ୍ରକ ଗାଡ଼ି ନମ୍ବର OD-05-AF-8499 ଆଇରନ୍ ବୋଝେଇ କରି ପାରାଦୀପକୁ ଆସୁଥିବା ବେଳେ ଭୂତମୁଣ୍ଡାଇ ପୋଲ ଉପରେ ଗାଡ଼ି ରଖି ମୋବାଇଲରେ କଥା ହେଉଥିବା ସମୟରେ ଡ୍ରାଇଭର ଅଲେଖ ନାୟକ ମହାନଦୀକୁ ଖସିପଡିଥିବା ନେଇ ସନ୍ଦେହ କରୁଛି ପୋଲିସ ।
ଗତକାଲି ପାରାଦୀପ ଅଭିମୁଖେ ଆସୁଥିବା ଏହି ଟ୍ରକଟି ମହାନଦୀ ପୋଲ ଉପରେ ଛିଡା ହୋଇଥିଲା । ଡ୍ରାଇଭର ଅଲେଖ ନାୟକ ମଦ୍ୟପାନ କରିଥିବା ବେଳେ ନିଜ ମୋବାଇଲରେ କଥା ହେଉଥଲେ । କୌଣସି କାରଣରୁ ସେ ନଦୀକୁ ଖସିପଡି ଥାଇ ପାରନ୍ତି ବୋଲି ଗାଡ଼ି ମାଲିକ କହିଛନ୍ତି ।
ଏନେଇ ଗାଡି ଡ୍ରାଇଭର ଓ ହେଲପର୍ ଦୁହେଁ ଅନୁଗୁଳ ଜିଲ୍ଲା କାଣ୍ଟିଆପଡା ଖମାର ଗାଁର ବୋଲି ଜଣାପଡିଥିବା ବେଳେ । ଡ୍ରାଇଭର ଅଲେଖ ନିଖୋଜ ଥିବା ନେଇ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ଘଟଣା ସ୍ଥଳରେ ପରିବାର ଲୋକେ ଆସି ପହଁଞ୍ଚିଛନ୍ତି ।
ଏ ଘଟଣା ଘଟିଛି ଗତକାଲି ଦିନ ଅପରାହ୍ନ ୫ ଟାରୁ ୬ଟା ସମୟ ମଧ୍ୟରେ । ଖବର ପାଇ କୁଜଙ୍ଗ ଅଗ୍ନିଶମ ଓ ପାରାଦୀପ ଗଡ ଲକ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଡ୍ରାଇଭରଙ୍କୁ ବହୁତ ଖୋଜାଖୋଜି ଓ ଅନୁସନ୍ଧାନ କଲାପରେ ମଧ୍ୟ ଗାଡି ଡ୍ରାଇଭରର କୌଣସି ପତ୍ତା ମିଳିପାରିନାହିଁ ।
ତେବେ ଡ୍ରାଇଭର ଅଲେଖ ନିଖୋଜ ଘଟଣାକୁ ନେଇ ପରିବାର ପକ୍ଷରୁ ପାରାଦୀପ ଗଡ ଲକ୍ ଥାନାରେ ଏକ ଏତଲା ଦିଆଯାଇଛି । ଘଟଣାକୁ ନେଇ ଗାଡି ହେଲପରକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ ।