ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟବେକ୍ଷକ କରିଛି ଜିଲ୍ଲା ପ୍ରଶାସନ, ପ୍ରସ୍ତୁତ କରୁଛନ୍ତି ରିପୋର୍ଟ

ଅବଜରଭର ବନିଲେ ଛାତ୍ରଛାତ୍ରୀ, ଜିଲ୍ଲାପାଳଙ୍କୁ ଦେବେ ରିପୋର୍ଟ

ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟବେକ୍ଷକ କରିଛି ଜିଲ୍ଲା ପ୍ରଶାସନ, ପ୍ରସ୍ତୁତ କରୁଛନ୍ତି ରିପୋର୍ଟ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କଟକ: ମହାନଦୀ ପଠାରେ ନୂତନ ଭାବେ ୪୨୦ ଏକକର ସ୍ଥାନ ଚିହ୍ନଟ ହୋଇଛି । ଏହି ସ୍ଥାନକୁ ସମତଳ କରିବା ସହିତ ଏହି ପ୍ରଜେକ୍ଟକୁ ‘ବରଫି’ନାମରେ ନାମିତ କରିଛି କଟକ ଜିଲ୍ଲା ପ୍ରଶାସନ । ବରଫିର ନୂଆ ରୂପରେଖ କ'ଣ ହେବ, ତାକୁ ନେଇ ଚାଲିଛି ଅନେକ ଯୋଜନା । ଏହି ଯୋଜନା ପ୍ରସ୍ତୁତ କୌଣସି ସରକାରୀ ଅଧିକାରୀ ନୁହେଁ ବରଂ ସ୍କୁଲ ଛାତ୍ରଛାତ୍ରୀ କରୁଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫୪ ଜଣ ଛାତ୍ରଛାତ୍ରୀଙ୍କୁ ଇକୋ-ଅବଜରଭର ଭାବେ ଦାୟିତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ଛାତ୍ରଛାତ୍ରୀ ଛୁଟି ଦିନରେ ୪୨୦ ଏକକର ସ୍ଥାନରେ ବୁଲି, କିପରି ଉନ୍ନତିମୂଳକ କାର୍ଯ୍ୟ କରି ହେବ ସେନେଇ ଏକ ରିର୍ପୋଟ ପ୍ରସ୍ତୁତ କରିବେ । ସେହି ରିର୍ପୋଟକୁ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହେବ । କଟକର ସୌନ୍ଦର୍ଯ୍ୟ କ୍ଷେତ୍ରରେ ଏହି ସୁଯୋଗ ମିଳିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଢେର ଅଧିକା ରହିଛି । 

ମହାନଦୀର ଗର୍ଭରୁ ସୃଷ୍ଟି ହୋଇଥିବା ଉପକୂଳକୁ ବାଲି ଫିଲିଂ କରାଯାଇଛି । ଏହାପରେ ଏଠାରେ କ୍ରୀଡା , ଜଳକ୍ରୀଡା, ବିଭିନ୍ନ ପ୍ରକାରର ଉନ୍ନୟନ ପ୍ରକଳ୍ପ ଓ ନୂଆ ରୂପରେଖ, ସବୁଜ ବଳୟ ସୃଷ୍ଟି କିପରି କରାଯିବ ସେ ବାବଦରେ ଗୁରୁତ୍ୱ ଦିଆଯିବ । ତେଣୁ ଏହାର ନୂତନ ରୂପରେଖ କିପରି ହେବ, ସେନେଇ ଛାତ୍ରଛାତ୍ରୀ ପ୍ରସ୍ତୁତ କରିବେ ରିର୍ପୋଟ । ଏହି ରିର୍ପୋଟ ମିଳିବା ପରେ ଜିଲ୍ଲା ପ୍ରଶାସନ ଅନୁଧ୍ୟାନ କରିବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଅନେକ ରିର୍ପୋଟ ହସ୍ତଗତ ହୋଇଥିବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ।

କଟକ ସହରର ୨ଟି ସ୍କୁଲର ୫୪ ଜଣ ଛାତ୍ରଛାତ୍ରୀଙ୍କୁ ଇକୋ ଅବଜରଭର ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଛାତ୍ରଛାତ୍ରୀ ପ୍ରତି ଛୁଟି ଦିନରେ ମହାନଦୀ ପଠାର ଏହି ନୂତନ ସ୍ଥାନ ଭ୍ରମଣ କରି ରିର୍ପୋଟ ପ୍ରସ୍ତୁତ କରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଅଧିକ ଉତ୍ସାହ ଦେଖିବାକୁ ମିଳିଛି । ଏପରିକି ସକାଳ ସମୟରେ ଛାତ୍ରଛାତ୍ରୀ ଭ୍ରମଣ କରି ବିଭିନ୍ନ ସ୍ଥାନରେ ଫଟୋ ଉଠାଇବା ସହିତ ରିର୍ପୋଟ ମଧ୍ୟ ଲେଖୁଥିବା ଦେଖିବାକୁ ମିଳିଛି । 

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଭଳି ସୁଯୋଗକୁ ମଧ୍ୟ ହାତ ଛଡ଼ା କରୁନାହାଁନ୍ତି । ଅନେକ ପ୍ରସ୍ତାବ ଏବେ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚି ଥିବା ବେଳେ ଅନ୍ୟାନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଯୋଡ଼ା ଯିବାର ଯୋଜନା ରଖିଛନ୍ତି ଜିଲ୍ଲାପାଳ ।