)
Cheque bounce case:
ଚେକ୍ ବାଉନ୍ସ ମାମଲାରେ ଇମେଲ ଏବଂ ହ୍ୱାଟସ୍ ଆପ୍ ମାଧ୍ୟମରେ ପଠାଯାଇଥିବା ନୋଟିସ ବୈଧ ହେବ, ଯଦି ଏହା ଆଇଟି ଆକ୍ଟର ଧାରା 13 ଅନୁଯାୟୀ ପଠାଯାଇଥିବ । ଏହାର ଅର୍ଥ ହେଉଛି ଯଦି ଆପଣ ନିଜ ମୋବାଇଲ୍ ଫୋନ୍ (ହ୍ୱାଟସ୍ ଆପ୍, ଇମେଲ୍) ମାଧ୍ୟମରେ କାହାକୁ ଚେକ୍ ବାଉନ୍ସ ଡିମାଣ୍ଡ ନୋଟିସ୍ ପଠାନ୍ତି ତେବେ ତାହା ସମ୍ପୂର୍ଣ୍ଣ ବୈଧ ହେବ । ଏପରି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟ ଏବଂ ଆଇଟି ଆକ୍ଟର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କୋର୍ଟ ଏହା କହିଛନ୍ତି।
ରାଜେନ୍ଦ୍ର ଯାଦବ ବନାମ ଉତ୍ତରପ୍ରଦେଶ ସରକାରଙ୍କ ମାମଲାରେ କୋର୍ଟଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ହାଇକୋର୍ଟର ବିଚାରପତି ଅରୁଣ କୁମାର ସିଂ ଦେଶୱାଲ ଏହି ମାମଲାର ଶୁଣାଣି କରିଥିଲେ। ବିଚାରପତି ଅରୁଣ କୁମାର ସିଂ ଦେଶୱାଲ କହିଛନ୍ତି ଯେ ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟର ଧାରା 138 ଲିଖିତ ଆକାରରେ ନୋଟିସ୍ ଦେବା କଥା କହୁଛି କିନ୍ତୁ ଏହାକୁ ପଠାଇବା ପଦ୍ଧତି ବିଷୟରେ କିଛି କହି ନାହିଁ। ତେଣୁ ଚେକ୍ ବାଉନ୍ସ ମାମଲାରେ ଇମେଲ ଏବଂ ହ୍ୱାଟସ୍ ଆପ୍ ମାଧ୍ୟମରେ ପଠାଯାଇଥିବା ବିଜ୍ଞପ୍ତିରେ ହାଇକୋର୍ଟ କିଛି ଭୁଲ୍ ଥିବା ଅନୁଭବ କରିନାହାଁନ୍ତି।
ଆଇଟି ଏବଂ ପ୍ରମାଣ ଆଇନର ଉଦାହରଣ
ଏହି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଆହ୍ଲାବାଦ ହାଇକୋର୍ଟ ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟ ସହିତ ଆଇଟି ଆକ୍ଟର ବ୍ୟବସ୍ଥା ରମଧ୍ୟ ଯାଞ୍ଚ କରିଛନ୍ତି। ଆଇଟି ଆଇନରେ କୁହା ଯାଇଛି ଯେ ସୂଚନା ଲିଖିତ ଆକାରରେ ହେଉ କିମ୍ବା ଟାଇପ୍ ହେଉ, ଉଭୟ କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପଠାଯାଇଥିବା ସୂଚନା ସଠିକ୍ ବୋଲି ବିବେଚନା କରାଯିବ।
ଏହାକୁ ସୁନିଶ୍ଚିତ କରିବା ପାଇଁ କୋର୍ଟ ଆଇଟି ଆକ୍ଟର ଧାରା 4 ଏବଂ 13ର ଉଲ୍ଲେଖ କରିଛନ୍ତି। ଭାରତୀୟ ପ୍ରମାଣ ଆଇନର ଧାରା 65B କୁ ମଧ୍ୟ କୋର୍ଟ ଉଦାହରଣ ଭାବେ ରଖିଛନ୍ତି ,ଯାହା ଇଲେକ୍ଟ୍ରୋନିକ୍ ରେକର୍ଡକୁ ପ୍ରମାଣ ଭାବେ ଗ୍ରହଣ କରିବା ବିଷୟରେ କହୁଛି।
ହାଇକୋର୍ଟ ଆଉ କ’ଣ କହିଛନ୍ତି?
ନିକୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ସହ ଜଡିତ ମାମଲାର ଶୁଣାଣି ସମ୍ପର୍କରେ ଉତ୍ତରପ୍ରଦେଶର ମାଜିଷ୍ଟ୍ରେଟଙ୍କ ପାଇଁ କୋର୍ଟ ଆଉ କିଛି ନିର୍ଦ୍ଦେଶ ଜାରି କରିଛନ୍ତି, ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଯଦି କୌଣସି ଅଭିଯୋଗ ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟ ଅଧିନିୟମ ଅନୁଯାୟୀ ଦାଖଲ ହୁଏ, ତା’ହେଲେ ସଂପୃକ୍ତ ମାଜିଷ୍ଟ୍ରେଟ କିମ୍ବା କୋର୍ଟକୁ ପଂଜୀକୃତ ପୋଷ୍ଟ ମାଧ୍ୟମରେ ପଠାଯାଇଥିବା ଅଭିଯୋଗର ସମ୍ପୂର୍ଣ୍ଣ ଟ୍ରାକ-ରେକର୍ଡ ରଖିବାକୁ ପଡ଼ିବ ଏବଂ ଯେପରି କୌଣସି ପ୍ରକାରର ଅସାଧୁତା ପାଇଁ କିଛି ସୁଯୋଗ ରହିବ ନାହିଁ ।