ଯିଏ ଗଣ୍ଡଗୋଳ ସମାଧାନ କରିଥିଲେ, ସେ ହିଁ ବନିଗଲେ ଟାର୍ଗେଟ । ଏପରିକି ଉକ୍ତ ଯୁବକଙ୍କୁ ଜୀବନ ବି ଚାଲିଗଲା । ଢେଙ୍କାନାଳ ଆଠଗଡ଼ର ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
Trending Photos
ମନୋରଞ୍ଜନ ମହାନ୍ତି, ଆଠଗଡ଼: ପୃଥକ ପୃଥକ ଭାବେ ଗୋଟିଏ ସ୍ଥାନକୁ ଭୋଜି କରିବା ପାଇଁ ଯାଇଥିଲେ ଦୁଇ ଗୋଷ୍ଠୀ । କୌଣସି କାରଣରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚାସା ହୋଇଥିଲା । ଜଣେ ସ୍ଥାନୀୟ ଯୁବକ ରାଜେନ୍ଦ୍ର ରାଉତ(32) ସେଠାରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝା ସୁଝା କରି ପରିସ୍ଥିତି ଶାନ୍ତ କରିଥିଲେ । ହେଲେ ସେ ଘରକୁ ଫେରୁଥିବା ବେଳେ ଗୋଟିଏ ଗୋଷ୍ଠୀର ଗୋଷ୍ଠୀର ଆକ୍ରମଣର ଶିକାର ହେଲେ । ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ । ଯିଏ ଗଣ୍ଡଗୋଳ ସମାଧାନ କରିଥିଲେ, ସେ ହିଁ ବନିଗଲେ ଟାର୍ଗେଟ । ଏପରିକି ଉକ୍ତ ଯୁବକଙ୍କୁ ଜୀବନ ବି ଚାଲିଗଲା । ଢେଙ୍କାନାଳ ଆଠଗଡ଼ର ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଆଜି(ବୁଧବାର) ଢେଙ୍କାନାଳ ଭାପୁର ଥାନା ଅଧିନସ୍ଥ ଶଙ୍କରପୁର ପଞ୍ଚାୟତର ବିଂଝାରପୁର ଗାଁରେ ଏହି ଘଟଣା ଘଟିଛି । ଯାହା କୁହାଯାଉଛି, ପୁରା ଘଟଣା ଥିଲା କିଛି ଏପରି । ଗାଁର ହରିଜନ ସାହି ନିକଟରେ ଥିବା କାଜୁ ବଗିଚାକୁ ଆଠଗଡ଼ ବୀରକିଶୋରପୁର ଏବଂ ଶଙ୍କରପୁର ଗାଁର କିଛି ଯୁବକ ଭୋଜି କରିବା ପାଇଁ ଆସିଥିଲେ । ତେବେ କୌଣସି କାରଣରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପାଖ ବଗିଚାକୁ ଆମ୍ବ ତୋଳିବା ପାଇଁ ଯାଇଥିବା ପର୍ବତିଆ ଗାଁର ମୃତକ ରାଜେନ୍ଦ୍ର ରାଉତ ଏଦୃଶ୍ୟ ଦେଖିବାକୁ ପାଇଥିଲେ । ରାଜେନ୍ଦ୍ର ନିଜେ ଘଟଣା ସ୍ଥଳକୁ ଆସି ଉଭୟ ଗୋଷ୍ଠୀଙ୍କୁ ବୁଝା ସୁଝା କରି ସ୍ଥିତି ଶାନ୍ତ କରିଥିଲେ ।
ହେଲେ ରାଜେନ୍ଦ୍ରଙ୍କ ସମାଧାନ ନେଇ ଗୋଟିଏ ଗୋଷ୍ଠୀର ଯୁବକ ପୁରା ଖପ୍ପା ହୋଇପଡ଼ିଥିଲେ । ରାଜେନ୍ଦ୍ର ଆମ୍ବ ଧରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ପୂର୍ବ ଯୋଜନା ମୁତାବକ ଆକ୍ରମଣ କରିଥିଲେ । ହାତରେ ମାରଣାସ୍ତ୍ର ଧରି ରାଜେନ୍ଦ୍ରଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ ଦୁର୍ବୃତ୍ତ । ଯିଏ ଗଣ୍ଡଗୋଳ ସମାଧାନ କରିବାକୁ ଉଦ୍ୟମ କରିଥିଲେ, ସେ ହିଁ ହେଲେ ଆକ୍ରମଣର ଶିକାର । ରକ୍ତ ଜୁଡ଼ୁବୁଡ଼ୁ ଆବସ୍ଥାରେ ରାଜେନ୍ଦ୍ରଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣା ସ୍ଥଳରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।
ସେପଟେ ମୃତ ରାଜେନ୍ଦ୍ର ରାଉତଙ୍କ ଭାଇ ଅମରେନ୍ଦ୍ର ରାଉତ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।