Trending Photos
)
ପ୍ରେମାନନ୍ଦ ପୁଜାରୀ, ଗଜପତି: ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ଅଞ୍ଚଳରୁ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ଦେଢ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଓଜନର ଗଞ୍ଜେଇ ପୋଲିସ ଜବତ କରିଛି। ଏହା ସହିତ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ସମ୍ପର୍କରେ ବାପା ପୁଅ ବୋଲି ପୋଲିସ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଅଡବା ଥାନା କଟାମା ପଞ୍ଚାୟତ ତେଲଙ୍ଗାପଦା ଗାଁର ବାପା ସତୃଘନ ନାୟକ ଓ ପୁଅ ଶ୍ରୀକାନ୍ତ ନାୟକ।
ମିଳିଥିବା ସୂଚନା ମୁତାବକ ମୋହନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ରାଇସିଂ ଛକ ନିକଟରେ ଏକ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଅଟୋରେ ପ୍ରାୟ ୮୭ କେଜି ଗଞ୍ଜେଇକୁ ଜବତ କରିଥିଲା। ତେବେ ଅଟୋକୁ ଛାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଅଟୋ ସହ ଗଞ୍ଜେଇକୁ ଜବତ କରି ତଦନ୍ତ ଜାରି ରଖିଛି ।
ସେହିପରି ଅଡବା ଥାନା ପୋଲିସ ପକ୍ଷରୁ ହରଭଙ୍ଗୀ ଡ୍ୟାମ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ପୋଲିସ ଏକ ଅଟୋକୁ ଯାଞ୍ଚ କରିଥିଲା ଏବଂ ସେଥିରୁ ଗଞ୍ଜାମ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ୭୦ କେଜି ଗଞ୍ଜେଇ ଜବତ କରିଥିଲା। ଏନେଇ ମୋହନା ଥାନାରେ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ନେଇ ସେ ସୂଚନା ଦେଇଥିଲେ।