ଝାରସୁଗୁଡ଼ାର ୫ ନସିଂ ହୋମ ସିଲ

ଘରୋଇ ହସ୍ପିଟାଲ ପାଇଁ ଜାରି କରିଥିବା କୋରୋନା ଗାଇଡଲାଇନକୁ ଏହି ସମସ୍ତ ନର୍ସିଂହୋମ ପାଳନ କରୁ ନ ଥିବା ଅଭିଯୋଗ ହୋଇଥିଲା ।

ଝାରସୁଗୁଡ଼ାର ୫ ନସିଂ ହୋମ ସିଲ

ମୁକେଶ ପ୍ରଧାନ, ଝାରସୁଗୁଡ଼ା: କୋଭିଡ ନିୟମ ପାଳନ କରୁ ନ ଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଟି ଘରୋଇ ନର୍ସିଂହୋମ ସିଲ୍ କରାଯାଇଛି । ଝାରସୁଗୁଡା ସହରରେ ଥିବା ତିନୋଟି ଓ ବ୍ରଜରାଜନଗର ଏବଂ ବେଳପାହାଡ଼ ସହରର ଗୋଟିଏ ଲେଖାଏଁ ଘରୋଇ ନର୍ସିଂହୋମ ସିଲ୍ ହୋଇଛି । ସରକାର ଘରୋଇ ହସ୍ପିଟାଲ ପାଇଁ ଜାରି କରିଥିବା କୋରୋନା ଗାଇଡଲାଇନକୁ ଏହି ସମସ୍ତ ନର୍ସିଂହୋମ ପାଳନ କରୁ ନ ଥିବା ଅଭିଯୋଗ ହୋଇଥିଲା ।

ଶନିବାର ଝାରସୁଗୁଡା ସହର ମଙ୍ଗଳ ବଜାର ନିକଟରେ ଥିବା ଆରକେ ମଲଟି କେୟାର ହୋମ, ଅଗ୍ରୱାଲ ନର୍ସିଂ ହୋମ ଓ ବେହେରାମାଲ ଠାରେ ଥିବା ଲକ୍ଷ୍ୟ କେୟାର, ବ୍ରଜରାଜନଗର ନିବେଦିତା ସେବା ସଦନ ଏବଂ ବେଳପାହାଡ଼ ଆଶୀର୍ବାଦ ନର୍ସିଂହୋମକୁ ସିଲ୍ କରାଯାଇଥିବା ଜଣାପଡିଛି । ସରକାର ଘରୋଇ ହସ୍ପିଟାଲ ପାଇଁ ଜାରି କରିଥିବା କୋରୋନା ଗାଇଡଲାଇନକୁ ଏହି ସମସ୍ତ ନର୍ସିଂହୋମ ପାଳନ କରୁ ନ ଥିବା ଅଭିଯୋଗ ହୋଇଥିଲା । 

ଗୋଟିଏ ପଟେ ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ ରାଜ୍ୟର ଅନେକ ଡାକ୍ତରଖାନାରେ କୋଭିଡ ପଜିଟିଭ ଚିହ୍ନଟ ହେଉଥିବାରୁ ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝି , ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ନର୍ସିଂହୋମ ଗୁଡ଼ିକ ସିଲ କରିଛନ୍ତି । ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନର୍ସିଂହୋମ ଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି ।