ବେଙ୍ଗବେଙ୍ଗୁଲିଙ୍କ ବିବାହରେ ଉତ୍ସବମୁଖର ଗ୍ରାମ

ବାହା ହେଲେ ବେଙ୍ଗ ଆଉ ବେଙ୍ଗୁଲି। ନାଚି ଉଠିଲା ପୁରା ଗାଁ । ଭୋଜିଭାତର ଆସର ବି ହେଲା । କଥାଟି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି କଥାରେ ସେତିକି ସତ୍ୟତା ମଧ୍ୟ ରହିଛି। ଆଉ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ। 

ବେଙ୍ଗବେଙ୍ଗୁଲିଙ୍କ ବିବାହରେ ଉତ୍ସବମୁଖର ଗ୍ରାମ

ମାଲକାନଗିରି: ବାହା ହେଲେ ବେଙ୍ଗ ଆଉ ବେଙ୍ଗୁଲି। ନାଚି ଉଠିଲା ପୁରା ଗାଁ । ଭୋଜିଭାତର ଆସର ବି ହେଲା । କଥାଟି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି କଥାରେ ସେତିକି ସତ୍ୟତା ମଧ୍ୟ ରହିଛି। ଆଉ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ। ବିଶ୍ୱାସ ହେଉ ବା ଅନ୍ଧବିଶ୍ୱାସ ହେଉ ପରମ୍ପରାକୁ ଏବେବି ବଞ୍ଚାଇ ରଖିଛନ୍ତି ଆଦିବାସୀ। 

ନିଜର ପରମ୍ପରାକୁ ନିଜର ପରିଚୟ କରି ବଞ୍ଚି ଆସୁଥିବା ଆଦିବାସୀ ବର୍ତ୍ତମାନ ବର୍ଷା ହେବା ପାଇଁ ନିଜର ପରମ୍ପରା ଅନୁଯାୟୀ କରିଛନ୍ତି ବେଙ୍ଗ ବାହାଘର। ବର୍ଷା ହେବା ପାଇଁ ବେଙ୍ଗ-ବେଙ୍ଗୁଲିଙ୍କୁ ବେଦୀରେ ବସାଇ ଆଦିବାସୀ ରୀତିନୀତି ଅନୁସାରେ ବିବାହ କରିଛନ୍ତି ମାଲକାନଗିରିର ଜିଲ୍ଲାର ସେରାପଲୀ ଗ୍ରାମବାସୀ। ଜିଲ୍ଲାରେ ଦୀର୍ଘଦିନ ହେଲା ବର୍ଷା ହେଉନାହିଁ । 

ଫଳରେ ଚାଷକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗ୍ରାମବାସୀମାନେ ଆଡମ୍ବରପୂର୍ଣ୍ଣ ଭାବେ ବେଙ୍ଗ-ବେଙ୍ଗୁଲିଙ୍କ ବିବାହ କରିଛନ୍ତି । ପାରମ୍ପରିକ ରୀତିନୀତି ଅନୁସାରେ ଏହି ବାହାଘର ସମ୍ପନ୍ନ ହୋଇଛି । ଗ୍ରାମ ମୁଖିଆ ଓ ପୂଜାରୀମାନେ ଏବଂ ବର ଓ କନ୍ୟା ପକ୍ଷ ବେଦୀରେ ପହଁଚି ବେଙ୍ଗବେଙ୍ଗୁଲିଙ୍କୁ ମଣିଷଙ୍କ ପରି ସଜାଇ ମନ୍ତ୍ରପାଠ କରିଥିଲେ । 

ଏହି ବିବାହ କଲେ କୁଆଡେ ଇନ୍ଦ୍ରଦେବ ପ୍ରସନ୍ନ ହେବା ସହ ବର୍ଷା ହୁଏ ବୋଲି ମାନ୍ୟତା ରହି ଆସୁଥିବା ବେଳେ ଲୋକେ ମଧ୍ୟ ଏହାକୁ ମାନି ଆସୁଛନ୍ତି । ଆଡମ୍ବରର ସହ ବିବାହ ହେବାପରେ ଗ୍ରାମବାସୀମାନେ ଭୋଜି ମଧ୍ୟ ଖାଇଥିଲେ ।