ଏଠୁ ଯୋଜନ ଦୂରରେ ଯୋଜନା...

ପ୍ରଶାସନ ପାଖରେ, ଯୋଜନା ଦୂରରେ

ଏଠୁ ଯୋଜନ ଦୂରରେ ଯୋଜନା...
ଫଟୋ ସୌଜନ୍ୟ: ଜୀ ମିଡିଆ

ଅଜୟ କୁମାର ନାଥ, ସମ୍ବଲପୁର: ଯୋଜନା ଯେମିତି ଯୋଜନ ଯୋଜନ ଦୂରରେ । ସରକାର ଗରିବଙ୍କ ପାଇଁ କେତେ କ'ଣ ଯୋଜନା କରୁଛନ୍ତି । କିନ୍ତୁ ଏଠି ଏକ ପରିବାର ପାଇଁ ଯେମିତି ସବୁକିଛି ଫେଲ ମାରିଯାଇଛି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ୧ ନମ୍ବର ୱାର୍ଡରେ ବାସ କରୁଥିବା ଏକ ଗରିବ ପରିବାର ସରକାରୀ ସୁବିଧାରୁ ବହୁ ଦୂରରେ । ଦାରିଦ୍ର୍ୟର ତାଡ଼ନାରେ ବଞ୍ଚୁଥିବା ଏହି ପରିବାରର ଦୁଃଖ ଲକଡାଉନ ସମୟରେ ଦ୍ୱିଗୁଣିତ ହୋଇଛି । ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ୱାର୍ଡ ନଂ ୧ର ଚାଁଆରପୁର, ଝରାପାଲିର ଡୁଙ୍ଗରିପଡ଼ାରେ ରହୁଥିବା ବିଷ୍ଣୁ ମାଝୀଙ୍କ ପରିବାର ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ।

ଦିବ୍ୟାଙ୍ଗ ବିଷ୍ଣୁ ମାଝୀ । ୧୦ ବର୍ଷ ତଳେ ଏକ ଦୁର୍ଘଟଣାରେ ଗୋଟିଏ ହାତ ହରାଇ ବସିଛନ୍ତି । ସେବେଠୁ ନିଜ ବୋଝ ଉଠାଇବା ସହ ପରିବାରର ଅନ୍ୟ ୬ପ୍ରାଣୀଙ୍କ କଥା ମଧ୍ୟ ବୁଝୁଛନ୍ତି । ୪ ଫୁଟ ଉଚ୍ଚତା ବିଶିଷ୍ଟ ଭଙ୍ଗା ଆଜବେଷ୍ଟସ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାରର ୭ ସଦସ୍ୟ । ଜଙ୍ଗଲରୁ କାଠ ଆଣି ତ ପର ଘରୁ ମାଗିଯାଚି ଓଳିଏ ଖାଇ ଓଳିଏ ଉପାସ ରହିଥାନ୍ତି ଏହି ପରିବାର । ସେପଟେ ଏହି ଅଞ୍ଚଳ ମହାନଗର ନିଗମ ଅଧୀନରେ ଆସୁଥିଲେ ମଧ୍ୟ ନା ପରିବାରକୁ ମିଳୁଛି କୌଣସି ଭତ୍ତା ନା ସରକାରୀ ଆବାସ । 

1

କେବଳ ବିଷ୍ଣୁ ଯେ ଦିବ୍ୟାଙ୍ଗ ତାହା ନୁହେଁ, ତାଙ୍କ ସ୍ତ୍ରୀ ମଧ୍ୟ ପାରାଲିସିସ ରୋଗୀ । ସେଥିରେ ୫ ଜଣ ସନ୍ତାନ ସନ୍ତତି । କେବଳ ମାସକୁ ୧୫ କେଜି ଚାଉଳ ପାଆନ୍ତି ଏହି ପରିବାର । ଏମିତି କି ଜିଲ୍ଲାପାଳ ମଧ୍ୟ ୬ ମାସ ତଳେ ତାଙ୍କ ପାଖକୁ ଯାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ମିଳିପାରିନାହିଁ । ବିଷ୍ଣୁଙ୍କ ନିଜର କୌଣସି ଜମିପଟ୍ଟା ନଥିବାରୁ ସରକାରୀ ଯୋଜନାରୁ ସେ ବାଦ ପଡିଛନ୍ତି । 

ଅନ୍ୟପଟେ ଏହି ପରିବାରର ସମସ୍ୟା ନେଇ ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ସହ ଯୋଗାଯୋଗ କରାଯିବାରୁ ସେ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଯଦି ପରିବାର ଲୋକ ଅନୁମତି ଦେବେ, ତାହେଲେ ପିଲାଙ୍କୁ ସରକାରୀ ସ୍କୁଲ ଆଶ୍ରମରେ ରହିବାର ବ୍ୟବସ୍ଥା କରାଯିବ। ଏହାସହ ସରକାରୀ ଯୋଜନାରେ ଏହି ପରିବାର କିପରି ଅନ୍ତର୍ଭୁକ୍ତ ହୋଇପାରିବ, ସେନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ମହାନଗର ନିଗମ କମିଶନର ।