)
ରାୟଗଡ଼ା: ଥାନାରୁ ଚମ୍ପଟ ମାରି ଖସି ପଳାଉଥିବା ବେଳେ ଜଣେ ଆସାମୀର ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଟିକିରି ଥାନା ଅଞ୍ଚଳର ସନ୍ତୋଷ ପଣ୍ଡୁ । ଟିକିରି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗତ ୧୧ ତାରିଖରେ ଅଭିଯୋଗ ହୋଇଥିଲା ।
ଯାହା ଜଣାପଡ଼ିଛି, ସୋମବାର ଆସାମୀକୁ କୋର୍ଟ ଚାଲାଣ କରିବା ପାଇଁ ଟିକିରି ପୁଲିସ ଟିମ୍ ରାୟଗଡ଼ା ଟାଉନ୍ ଥାନାକୁ ଆଣିଥିଲା । ତେବେ ଥାନାରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା ଆସାମୀ ସନ୍ତୋଷ ପଣ୍ଡୁ । ଥାନାକୁ ଲାଗି ଥିବା ମୁଖ୍ୟ ସଡ଼କ ଅତିକ୍ରମ କରୁଥିବା ବେଳେ ହଠାତ୍ ଏକ ଟ୍ରକ ଧକ୍କା ଦେଇଥିଲା । ପରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ସନ୍ତୋଷର ମୃତ୍ୟୁ ହୋଇଛି ।
ଅନ୍ୟପଟେ ସାଇନଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖୋଦ୍ ରାୟଗଡ଼ା ଏସପି ଘଟଣାର ଅନୁଧ୍ୟାନ କରିଛନ୍ତି ।