ସିରିଜ ଏନକାଉଣ୍ଟର ପରେ ଟାର୍ଗେଟରେ ପୋଲିସ ଓ ଇନଫର୍ମର

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଓ ସିରିକୁଟି ଜଙ୍ଗଲରେ ୩ ଦିନରେ ୨ଟି ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ କନ୍ଧମାଳ ପୋଲିସ ପାଇଁ ବଡ଼ ସଫଳତା ଆଣିଦେଇଛି। ଏଥିରେ କିଛି ମାଓବାଦୀ ଆହତ ହୋଇଥିବା ବେଳେ ସକ୍ରିୟ ହୋଇ ଉଠିଥିବା କ୍ୟାମ୍ପ ଭିତରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସାଙ୍ଗକୁ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା। ହେଲେ ଏନକାଉଣ୍ଟର ପରେ

ସିରିଜ ଏନକାଉଣ୍ଟର ପରେ ଟାର୍ଗେଟରେ ପୋଲିସ ଓ ଇନଫର୍ମର

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଓ ସିରିକୁଟି ଜଙ୍ଗଲରେ ୩ ଦିନରେ ୨ଟି ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ କନ୍ଧମାଳ ପୋଲିସ ପାଇଁ ବଡ଼ ସଫଳତା ଆଣିଦେଇଛି। ଏଥିରେ କିଛି ମାଓବାଦୀ ଆହତ ହୋଇଥିବା ବେଳେ ସକ୍ରିୟ ହୋଇ ଉଠିଥିବା କ୍ୟାମ୍ପ ଭିତରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସାଙ୍ଗକୁ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା। ହେଲେ ଏନକାଉଣ୍ଟର ପରେ ମାଓବାଦୀମାନେ ପୁଣି ରକ୍ତମୁଖା ହୋଇ ପଡ଼ିଛନ୍ତି। ପୋଲିସ ଓ ଇନଫର୍ମରଙ୍କୁ ଟାର୍ଗେଟ କରି ଦୁଇ ଗୋଷ୍ଠୀ ହୋଇ ବୁଲୁଥିବା ଜଣାପଡିଛି। 

ଜଙ୍ଗଲରେ କ୍ୟାମ୍ପ ଚାଲିଥିବା ବିଷୟରେ ପୋଲିସକୁ ସୂଚନା ଦେଇଥିବା ଇନଫର୍ମରଙ୍କୁ ମାଓବାଦୀମାନେ ଖୋଜିବା ଆରମ୍ଭ କରିଦେଇ ଥିବା ସୂଚନା ମିଳିଛି। ସିର୍ଲା ଜଙ୍ଗଲରେ କେକେବିଏନ ଡିଭିଜନର ୩୫ ରୁ ୪୦ ଜଣ ସଦସ୍ୟ ସକ୍ରିୟ ରହି ବଡଧରଣର ହମଲା ଘଟାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ. ଏଥିରେ ୮ ରୁ ୧୦ ଜଣ ମହିଳା ମାଓବାଦୀ ଥିଲେ। ଗତ ୪ ତାରିଖରେ ଗୁଇନ୍ଦା ବିଭାଗର ସୂଚନା ପାଇଁ ଯବାନମାନେ ଜଙ୍ଗଲ ଭିତରକୁ ପଶିଥିବା ସମୟରେ ମାଓବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। 

ଯବାନଙ୍କ ପାଲଟା ଆକ୍ରମଣରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସେହି ସ୍ଥାନ ଛାଡ଼ି ସିରିକୁଟି ଜଙ୍ଗଲ ଆଡ଼କୁ ପଳାଇଥିଲେ। ଏହାପରେ ଗତ ୬ ତାରିଖରେ ପୁଣି ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିଲା।ଏହା ପରଠୁ ୩୦ରୁ ଅଧିକ ମାଓବାଦୀ ପୁଣି ପ୍ରତିଶୋଧ ପରାୟଣ ପାଲଟି ରକ୍ତମୁଖା ହୋଇଛନ୍ତି। ସେମାନଙ୍କ କ୍ୟାମ୍ପ ଚାଲିଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଛନ୍ତି। ଏହା ପରେ ମାଓବାଦୀ ଧମକଚମକ ଦେଉଥିବା ଜଣାପଡ଼ିଛି। 

ଯାହାକି ପୋଲିସ ପାଖରେ ସୂଚନା ମଧ୍ୟ ରହିଛି। ଦୁଇ ଗୋଷ୍ଠୀରେ ଭାଗ ହୋଇ ମାଓବାଦୀମାନେ ବର୍ତ୍ତମାନ ଯୋଜନା ତିଆରି କରୁଛନ୍ତି।ଆଉ ସେମାନଙ୍କ ଟାର୍ଗେଟରେ ଅଛନ୍ତି ପୋଲିସକୁ ସୂଚନା ଦେଉଥିବା ଇନଫର୍ମର ତଥା ସୂଚନାଦାତା। ପୋଲିସ ପକ୍ଷରୁ ପୁଣି ଏନକାଉଣ୍ଟର ଆଶଙ୍କାରେ ମାଓବାଦୀମାନେ ଘଞ୍ଚ ଓ ପାହାଡ଼ ତଳ ଜଙ୍ଗଲରେ ଘୁରି ବୁଲୁଛନ୍ତି। ପ୍ରତିଶୋଧ ପରାୟଣ ପାଲଟିଥିବା ଏହି ଗୋଷ୍ଠୀ କୌଣସି ସମୟରେ ମଧ୍ୟ ହିଂସାକାଣ୍ଡ ଘଟାଇବାର ଆଶଙ୍କା ରହିଛି। ଫଳରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ସିର୍ଲା ଓ ସିରିକୁଟି ଜଙ୍ଗଲକୁ ଅଧିକ ଯବାନଙ୍କୁ ପଠାଯାଇଛି।

ସେପଟେ ପୂର୍ବାପେକ୍ଷା ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରି ଯବାନମାନେ କୁମ୍ବିଂ ଅପରେସନକୁ ବ୍ୟାପକ କରିଛନ୍ତି। ଆଉ କନ୍ଧମାଳ ଜିଲ୍ଲାର କୋଟଗଡ଼, ଫିରିଙ୍ଗିଆ, ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ, ଗୋଛାପଡ଼ା, ବାଲିଗୁଡା, କେ. ନୂଆଗାଁ ଥାନା ଅଞ୍ଚଳର ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ପୂର୍ବପେକ୍ଷା ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନରେ ନାକାବନ୍ଦୀ ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ବାଇକ, ସମେତ ବିଭିନ୍ନ ଯାନବାହନ ଯାଞ୍ଚ କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ତନ୍ନ ତନ୍ନ ଖାନତଲାସୀ କରାଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି।